ପୁରୀରେ ଜୁନ୍ ୩୦ରୁ ଜୁଲାଇ ୨ ଯାଏଁ କର୍ଫ୍ୟୁ

ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ଘୋଷ ଯାତ୍ରା ଭଳି ବାହୁଡା ଯାତ୍ରା ମଧ୍ୟ ବିନା ଭକ୍ତରେ ହେବ। ସୁପ୍ରିମକୋର୍ଟଙ୍କ ଆଦେଶ ମୁତାବକ ବାହୁଡା ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଅପାତତଃ ଶେଷ ହୋଇଥିବା ବେଳେ ଶନିବାର ସନ୍ଧ୍ୟାରେ ଜିଲ୍ଲାପାଳ ବଲୱନ୍ତ ସିଂ ଏ ନେଇ ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି। ଜୁନ ୩୦ ତାରିଖ ରାତିରୁ ଜୁଲାଇ ୨ ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ ଲାଗୁ ହେବ ବୋଲି ସେ ସୂଚନା ଦେଇଛନ୍ତି। ଚଳିତ ବର୍ଷର ରଥଯାତ୍ରାକୁ ଅବିଶ୍ୱସନୀୟ ଏବଂ ଅଦ୍ଭୁତ ବୋଲି କହିବା ସହ ଜିଲ୍ଲାପାଳ ପୁରୀବାସୀଙ୍କୁ ସେମାନଙ୍କ ସହଯୋଗ ଓ ଅନୁଶାସନ ପାଇଁ ଧନ୍ୟବାଦ ଦେଇଛନ୍ତି। ଜୁଲାଇ ୧ରେ ବାହୁଡା ଯାତ୍ରା, ୨ରେ ସୁନାବେଶ, ୩ରେ ଅଧରପଣା ଓ ୪ରେ ନୀଳାଦ୍ରିବିଜେ ଅନୁଷ୍ଠିତ ହେବାକୁ ଥିବାରୁ ଏହି ୪ ଦିନ ପାଇଁ ଭକ୍ତମାନଙ୍କ ଲାଗି କଟକଣା ରହିବ। ତେଣୁ ଜୁନ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ ଯାଏଁ ସମ୍ପୂର୍ଣ୍ଣ ଜିଲ୍ଲାରେ କର୍ଫ୍ୟୁ ଏବଂ ସଟ ଡାଉନ ଲାଗୁ ହେବ।ସେହି ସମୟ ମଧ୍ୟରେ କୌଣସି ଯାନବାହାନ ଚଳାଚଳ କରିବ ନାହିଁ, କେବଳ ସ୍ୱାସ୍ଥ୍ୟ ସେବା ଓ ମେଡିକାଲ ଯିବା ଆସିବା ଭଳି ଜରୁରୀକାଳୀନ ସେବା ଜାରି ରହିବ ବୋଲି ଜିଲ୍ଲାପାଳ କହିଛନ୍ତି। ସେ କହିଛନ୍ତି ଯେ ସେହି ସମୟରେ ସମସ୍ତ ଜିଲ୍ଲାରୁ ପୁରୀ ଜିଲ୍ଲାକୁ ଆସୁଥିବା ସମସ୍ତ ରାସ୍ତା ସିଲ କରାଯିବ। ଅନ୍ୟ ପକ୍ଷରେ ଜିଲ୍ଲାର ସମସ୍ତ ହୋଟେଲ, ଲଜ, ଧର୍ମଶାଳା ଓ ଅନ୍ୟାନ୍ୟ ଅନୁଷ୍ଠାନଗୁଡିକୁ ସେହି ୪ ଦିନ ପାଇଁ କୌଣସି ଲୋକଙ୍କୁ ନ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବଡ ଦାଣ୍ଡରେ ଥିବା ସମସ୍ତ ଦୋକାନ ବନ୍ଦ ରହିବ। ତେବେ ଆସନ୍ତା କଲି ଅର୍ଥାତ ରବିବାର ଦିନ ବଡଦାଣ୍ଡ ନିକଟବର୍ତ୍ତୀ ଅଂଚଳରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନ, ମଠ ଓ ରହଣି ସ୍ଥଳ ଯାଞ୍ଚ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ଏବଂ ସେହିସବୁ ସ୍ଥାନମାନଙ୍କରେ କେବଳ ଅଧିକୃତ ଅଧିବାସୀଙ୍କ ବ୍ୟତୀତ ଆଉ କାହାକୁ ରହିବ ପାଇଁ ଅନୁମତି ଦିଆଯିବ ନାହିଁ।

Spread the love

Leave a Reply

Your email address will not be published. Required fields are marked *