ପୁଡୁଚେରୀ ମୁଖ୍ୟମନ୍ତ୍ରୀ ହେବେ ଏଆଇଏନ୍‌ଆରସି ମୁଖ୍ୟ ଏନ୍‌. ରଙ୍ଗସ୍ୱାମୀ

ପୁଡୁଚେରୀ : କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ହେବେ ଏଆଇଏନ୍‌ଆରସି ମୁଖ୍ୟ ଏନ୍‌. ରଙ୍ଗସ୍ୱାମୀ। ସେ ଶୁକ୍ରବାର ଦ୍ଵିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସେ ଏକୁଟିଆ ଶପଥ ନେବେ ଏବଂ ପରବର୍ତ୍ତୀ ସମୟରେ ଅବଶିଷ୍ଟ ୫ ମନ୍ତ୍ରୀଙ୍କୁ ତାଙ୍କ ମନ୍ତ୍ରିମଣ୍ଡଳରେ ଗ୍ରହଣ କରିବେ ବୋଲି ସୂଚନା ମିଳିଛି।

ରଙ୍ଗସ୍ୱାମୀ କଂଗ୍ରେସରୁ ଇସ୍ତଫା ଦେବା ପରେ ନିଜସ୍ୱ ଦଳ ଏଆଇଏନ୍‌ଆରସି ଗଠନ କରିଥିଲେ। ଗତ ଜାନୁଆରୀରେ ତାଙ୍କ ଦଳ ସହିତ ବିଜେପି ମେଣ୍ଟ କରିଥିଲା। ନିର୍ବାଚନରେ ରଙ୍ଗସ୍ୱାମୀଙ୍କ ଦଳ ୧୬ରୁ ୧୦ଟି ଆସନରେ ବିଜୟୀ ହୋଇଛି। ସହଯୋଗୀ ବିଜେପି ୯ଟିରୁ ୬ଟି ଆସନରେ ବିଜୟୀ ହୋଇଛି। ମୋଟ ୩୦ ଆସନ ବିଶିଷ୍ଟ ବିଧାନସଭାରେ ମିଳିତ ଭାବେ ଏମାନଙ୍କ ସଦସ୍ୟ ସଂଖ୍ୟା ୧୬ ରହିଛି। ମନ୍ତ୍ରିମଣ୍ଡଳ ଗଠନ ସମ୍ପର୍କରେ ଆଲେଚନା ପାଇଁ ବିଜେପିର ଏକ ଚାରି ଜଣିଆ ପ୍ରତିନିଧି ଦଳ ପୁଡୁଚେରୀ ଗସ୍ତ କରିଛନ୍ତି। ୭୦ବର୍ଷୀୟ ରଙ୍ଗସ୍ବାମୀ ୨୦୦୧ରୁ ୨୦୦୮ ପର୍ଯ୍ୟନ୍ତ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଥିଲେ। ନିଜର ସାଧାରଣ ଜୀବନଯାପନ ଶୈଳୀ ପାଇଁ ସେ ବେଶ୍‌ ଲୋକପ୍ରିୟ।

Spread the love