ପିତାଙ୍କ ସ୍ୱପ୍ନ ପୂରଣ ଏକମାତ୍ର ଲକ୍ଷ୍ୟ : ସିରାଜ୍‌

  • ପିତାଙ୍କ ଦେହାନ୍ତ ସତ୍ତ୍ୱେ ସ୍ୱଦେଶ ନ ଫେରିବା ନେଇ ରଖିଲେ ମତ

ସିଡ୍‌ନୀ : ଏବେ ଟିମ୍ ଇଣ୍ଡିଆ ଆସନ୍ତା ୨୭ ତାରିଖଠାରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ସିଡ୍‌ନୀରେ କ୍ୱାରେଣ୍ଟାଇନରେ ରହିବା ସହ ଅଭ୍ୟାସ ଜାରି ରଖିଛି। ଭାରତୀୟ ଖେଳାଳିଙ୍କ ମଧ୍ୟରେ ୨୬ ବର୍ଷୀୟ ଯୁବ ପେସର୍ ମହମ୍ମଦ ସିରାଜ୍ ମଧ୍ୟ ରହିଛନ୍ତି ଓ ସେ ଆସନ୍ତା ଡିସେମ୍ବର ୧୭ରୁ ଆଡିଲେଡଠାରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ସିରିଜ୍‌ରେ ଡେବ୍ୟୁ କରିବା ଲକ୍ଷ୍ୟରେ ଅଛନ୍ତି । ପୂର୍ବରୁ ଟି-୨୦ ଓ ଦିନିକିଆରେ ଜାତୀୟ ଦଳ ପକ୍ଷରୁ ଖେଳିସାରିଥିବା ସିରାଜ୍‌ଙ୍କ ପାଇଁ ଏହି ସିରିଜ୍‌ଟି ବେଶ୍ ଗୁରୁତ୍ୱପୂର୍ଣ୍ଣ । ତେବେ ଗତ ସପ୍ତାହରେ ତାଙ୍କ ପିତା ମହମ୍ମଦ ଘାଉସ୍ ୫୩ ବର୍ଷ ବୟସରରେ ପରଲୋକ ଗମନ କରିଛନ୍ତି । ଅଷ୍ଟ୍ରେଲିଆରେ ଥିବାରୁ ପିତାଙ୍କ ଶେଷ ଦର୍ଶନ କରିବାରୁ ସିରାଜ୍ ବଞ୍ଚିତ ରହିଛନ୍ତି । ଏପରି ଏକ ଦୁଃଖଦ ସମୟରେ ସିରାଜ୍ ଚାହିଁଲେ ସ୍ୱଦେଶ ଫେରିପାରିବେ ବୋଲି ମଧ୍ୟ ବିସିସିଆଇ ପକ୍ଷରୁ କୁହାଯାଇଥିଲା । କିନ୍ତୁ ହାଇଦ୍ରାବାଦର ଏହି ଯୁବ ପେସର୍ ସ୍ୱଦେଶ ଫେରିବାକୁ ମନା କରି କ୍ରିକେଟ୍‌ପ୍ରେମୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସିରାଜ୍‌ଙ୍କ ଦୃଢ଼ ମନୋବଳକୁ ତାରିଫ୍ କରିଛନ୍ତି । ତେବେ ପ୍ରଥମ ଥର ପାଇଁ ସୋମବାର ସିରାଜ୍ ଏନେଇ ତାଙ୍କର ମତାମତ ଉପସ୍ଥାପନ କରିଛନ୍ତି । ସ୍ୱଦେଶ ନ ଫେରିବା ପଛରେ କ\’ଣ କାରଣ ରହିଛି, ତାହା ସେ ଉଲ୍ଲେଖ କରିଛନ୍ତି । ପେସାରେ ଜଣେ ଅଟୋ ରିକ୍ସାଚାଳକ ଥିବା ଘାଉସ୍ ସବୁବେଳେ ପୁଅ ସିରାଜ୍‌କୁ ଜଣେ ଉଦୀୟମାନ କ୍ରିକେଟର୍ ଭାବେ କ୍ୟାରିୟର୍ ଗଢ଼ିବାକୁ ପରାମର୍ଶ ଦେଇଆସିଥିଲେ । ଏଥିପାଇଁ ସେ ଅନେକ କିଛି ବଳିଦାନ ମଧ୍ୟ ଦେଇଥିଲେ । ତାଙ୍କ ପୁଅ କିପରି ଅନ୍ତର୍ଜାତୀୟ ସ୍ତରରେ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରି ଗୌରବ ଆଣିପାରିବ, ତାହା ତାଙ୍କ ପିତାଙ୍କ ଏକମାତ୍ର ସ୍ୱପ୍ନ ଥିଲା । ତେଣୁ ଏହି ସ୍ୱପ୍ନ ପୂରଣ କରିବାର ସୁଯୋଗ ସିରାଜ୍‌ଙ୍କୁ ଚଳିତ ଅଷ୍ଟ୍ରେଲିଆ ଗସ୍ତରେ ମିଳିଛି । ତେବେ ସିରିଜ୍ ପୂର୍ବରୁ ପିତାଙ୍କ ଦେହାନ୍ତ ଖବର ଶୁଣିବା ପରେ ସିରାଜ୍ ଭାଙ୍ଗିପଡ଼ିଥିଲେ । ସେତିକିବେଳେ ତାଙ୍କ ପାଖରେ ଛିଡ଼ା ହୋଇଥିଲେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ସାଥୀ ଖେଳାଳି । ସେମାନେ ସମସ୍ତେ ଏପରି ଏକ ଦୁଃଖଦ ମୁହୂର୍ତ୍ତରେ ତାଙ୍କ ମନୋବଳ ବଢ଼ାଇଥିଲେ । ବିଶେଷକରି କୋହଲି ତାଙ୍କୁ ଆଦୌ ଭାଙ୍ଗି ନ ପଡ଼ିବାକୁ ପରାମର୍ଶ ଦେବା ସହ କିପରି ପିତାଙ୍କ ସ୍ୱପ୍ନ ପୂରଣ କରିବେ, ତା’ ଉପରେ ଫୋକସ୍ କରିବାକୁ ପରାମର୍ଶ ଦେଇଥିଲେ । ବିନା କୌଣସି ଚାପରେ ନିଜର ଲକ୍ଷ୍ୟ ପୂରଣଦିଗରେ ଆଗେଇ ଯାଅ, ବର୍ତ୍ତମାନ ସମୟରେ ଧୈର୍ଯ୍ୟ ଧରି କାମ କଲେ ଏହା ତାଙ୍କ ପାଇଁ ଏହା ଲାଭଦାୟକ ହେବ ବୋଲି କୋହଲି କହିଥିବା ସିରାଜ୍ କହିଛନ୍ତି । ସୋମବାର ବିସିସିଆଇ ଟ୍ୱିଟର୍ ହ୍ୟାଣ୍ଡଲେରେ ଅପଲୋଡ୍ ହୋଇଥିବା ଏକ ଭିଡିଓରେ ସିରାଜ୍ ଏହା କହିଛନ୍ତି ।


ସିରାଜ୍ କହିଛନ୍ତି, ପିତାଙ୍କ ଦେହାନ୍ତ ଖବର ଶୁଣିବା ପରେ ଯେତେବେଳେ ମା’ଙ୍କ ସହ କଥା ହେଲି, ସେତେବେଳେ ସେ କେତେକ ପ୍ରେରଣାଦାୟୀ ଶବ୍ଦ କହିଥିଲେ । ତାଙ୍କ ମା’ କହିଥିଲେ ଯେ ସଂସାରକୁ ଆସିଥିବା ପ୍ରତିଟି ଲୋକ ଦିନେ ନା ଦିନେ ପରଲୋକ ଗମନ କରିବେ । ଆଜି ତୁମ ପିତାଙ୍କର ପରଲୋକ ହୋଇଛି, କାଲି ମୋ ପାଳି ପଡ଼ିବ । ତେଣୁ ଏହାକୁ ଖାତିର୍ ନ କରି ତୁମ ପିତା ଯାହା ଚାହୁଁଥିଲେ, ତୁମେ ତାହା ହିଁ କର ବୋଲି ମା’ ପରାମର୍ଶ ଦେଇଥିବା ସିରାଜ୍ କହିଛନ୍ତି । ପିତାଙ୍କ ଦେହାନ୍ତ ତାଙ୍କ ଜୀବନର ସବୁଠାରୁ ବଡ଼ କ୍ଷତି । ତେବେ ପିତାଙ୍କ ସ୍ୱପ୍ନ ପୂରଣ କରିବା ତାଙ୍କର ବର୍ତ୍ତମାନ ଏକମାତ୍ର ଲକ୍ଷ୍ୟ ବୋଲି ସିରାଜ୍ କହିଛନ୍ତି । ଏଥିସହ ଟିମ୍ ଇଣ୍ଡିଆକୁ ଟେଷ୍ଟ୍ ସିରିଜ୍‌ରେ ଉତ୍ତମ ପ୍ରଦର୍ଶନ ମାଧ୍ୟମରେ ଜିତାଇପାରିଲେ, ଏହା ତାଙ୍କ ପିତାଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସିରାଜ୍ କହିଛନ୍ତି ।

Spread the love