ପିଡିଏସ କେନ୍ଦ୍ର ନେଇ ସ୍ୱୟଂ ସହାୟିକା ଗୋଷ୍ଠୀ ଚୟନରେ ପାତରଅନ୍ତର ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ସଜନାଗଡ଼ ପଞ୍ଚାୟତରେ ୫ଟି ପିଡିଏସ କେନ୍ଦ୍ରରେ ପିଡିଏସ ସାମଗ୍ରୀ ପ୍ରଦାନ ପାଇଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଚୟନ ହେବା ନେଇ ମିଶନ ଶକ୍ତି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା । ୫ଟି କେନ୍ଦ୍ରଗୁଡ଼ିକ ହେଲା ତେଣ୍ଡା, ସଜନାଗଡ଼-୧, ସଜନାଗଡ଼-୨, ରାଜେନ୍ଦ୍ରପୁର ଓ କାଳିଝାଟି । ଏଥିପାଇଁ ମୋଟ୍ ୧୮ଗୋଟି ମହିଳାଗୋଷ୍ଠୀ ନିଜ ନିଜର କାଗଜପତ୍ର ମିଶନ ଶକ୍ତି ଠାରେ ଦାଖଲ କରିଥିଲେ । ସମସ୍ତ ଗ୍ରୁପର କାଗଜପତ୍ରକୁ ନୀଳଗିରି ସିଡିପିଓ ଏବଂ ମିଶନଶକ୍ତି ଯାଞ୍ଚ କରି କାର୍ଯ୍ୟାଳୟ ଚିଠି (ନଂ. ୧୧୦୩ ତା. ୨୭ ।୦୮ ।୨୦)ରେ ନୀଳଗିରି ଉପଜିଲାପାଳଙ୍କୁ ପ୍ରଦାନ କରିଥିଲେ ।

ଏଥିରେ ତେଣ୍ଡା, କାଳିଝାଟି ଦୁଇଟି କେନ୍ଦ୍ର ପାଇଁ ଚୟନରେ ଠିକ୍‌ଠାକ୍ ଥିବା ବେଳେ ଅନ୍ୟ ୩ଟି କେନ୍ଦ୍ର ପାଇଁ ଚୟନରେ ପାତରଅନ୍ତର ଅଭିଯୋଗ ହୋଇଛି । ରାଜେନ୍ଦ୍ରପୁର କେନ୍ଦ୍ର ପାଇଁ ମା’ ଖଡ଼ିପାଟୁଳି ମହିଳାଗୋଷ୍ଠୀ ଓ ମା’ ଲକ୍ଷ୍ମୀ ମହିଳାଗୋଷ୍ଠୀ ଆବେଦନ କରିଥିବା ବେଳେ ଯାଞ୍ଚ ରିପୋର୍ଟରେ ସମସ୍ତ କାଗଜପତ୍ର ମା’ ଖଡ଼ିପାଟୁଳି ମହିଳା ଗୋଷ୍ଠୀର ସଠିକ୍ ଥିବାବେଳେ ମା’ ଲକ୍ଷ୍ମୀ ମହିଳାଗୋଷ୍ଠୀର ପ୍ରଦାନ କରିଥିବା କାଗଜପତ୍ର ସଠିକ୍ ନ ଥିବା ଏବଂ ଆବଶ୍ୟକୀୟ କାଗଜପତ୍ର ପ୍ରଦାନ କରି ନ ଥିବାର ମିଶନ ଶକ୍ତି ନୀଳଗିରି ଉପଜିଲାପାଳଙ୍କୁ ପ୍ରଦାନ କରିଥିବା ବେଳେ ନୀଳଗିରି ଉପଜିଲାପାଳ ଯାଞ୍ଚ ରିପୋର୍ଟକୁ ଅଣଦେଖା କରି ମା’ଲକ୍ଷ୍ମୀ ମହିଳାଗୋଷ୍ଠୀକୁ ଚୟନ କରିଛନ୍ତି । ସେହିପରି ସଜନାଗଡ଼-୨ କେନ୍ଦ୍ର ପାଇଁ ୩ଟି ମହିଳା ଗୋଷ୍ଠୀ ଆବେଦନ କରିଥିବା ବେଳେ ସଜନାଗଡ଼ ମହାସଂଘ ର ସମସ୍ତ କାଗଜପତ୍ର ସଠିକ୍ ଥିବାର ମିଶନ ଶକ୍ତି ଯାଞ୍ଚ ରିପୋର୍ଟ ଦେଇଥିବା ବେଳେ କୁସୁମଣୀ ମହିଳା ଗୋଷ୍ଠୀର କ୍ୟାଶ ବୁକ ୨୦୧୧ ମସିହା ପର୍ଯ୍ୟନ୍ତ ସଠିକ୍ ଥିବା ବେଳେ କେଉଁ ଆଧାର ମୂଳେ ଉକ୍ତ ମହିଳା ଗୋଷ୍ଠୀକୁ ଚୟନ କରାଗଲା । ସେହିପରି ସଜନାଗଡ଼-୧ କେନ୍ଦ୍ର ପାଇଁ ୬ଟି ମହିଳା ଗୋଷ୍ଠୀ ଆବେଦନ କରିଥିବା ବେଳେ ଜୟଶ୍ରୀ କ୍ରୀଷ୍ଣା ମହିଳା ଗୋଷ୍ଠୀର ସମସ୍ତ କାଗଜପତ୍ର ସଠିକ୍ ଥିବା ନେଇ ମିଶନ ଶକ୍ତି ରିପୋର୍ଟ ପ୍ରଦାନ କରିଥିବା ବେଳେ ମା’ ତାରିଣୀ ମହିଳା ଗୋଷ୍ଠୀର କାଗଜପତ୍ର ସଠିକ୍ ନ ଥିବାର ମିଶନ ଶକ୍ତି ରିପୋର୍ଟ ଦାଖଲ କରିଥିବା ବେଳେ ନୀଳଗିରି ଉପଜିଲାପାଳ ସଠିକ୍ ନ ଥିବା କାଗଜପତ୍ର ଗୋଷ୍ଠୀକୁ କେଉଁ ଆଧାର ମୂଳେ ଚୂଡ଼ାନ୍ତ ଚୟନ କଲେ ତାହା ଏବେ ନୀଳଗିରିର ଚର୍ଚ୍ଚା ଚାଲିଛି । ଏ ସମସ୍ତ କାଗଜପତ୍ର ସୂଚନା ଆଇନବଳରେ ଅଣାଯାଇଥିବାର ଜଣାପଡ଼ିଛି । ଏ ନେଇ ନୀଳଗିରି ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନାଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ସେ ଫୋନ୍ ଉଠାଇ ନ ଥିଲେ।

Spread the love