ପରାଜୟ ପାଇଁ ବୋଲରଙ୍କୁ ଦାୟୀ କଲେ କୋହଲି

  • ଦ୍ୱିତୀୟ ଦିନିକିଆରେ ୫୧ ରନ୍‌ରେ ହାରିଲା ଭାରତ

  • ଅଷ୍ଟ୍ରେଲିଆର ସିରିଜ୍ ବିଜୟୀ

ସିଡ୍‌ନୀ : ଭାରତ ଲଗାତାର ଭାବେ ଅଷ୍ଟ୍ରେଲିଆ ଠାରୁ ଦୁଇଟି ଦିନିକିଆ ହାରିଛି । ଫଳରେ ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ୨-୦ରେ ଆଗୁଆ ରହିଛି । ପ୍ରଥମ ଦିନିକିଆରେ ଭାରତ ୬୬ ରନ୍‌ରେ ପରାଜୟ ହୋଇଥିବା ବେଳେ ଦ୍ୱିତୀୟ ଦିନିକିଆରେ ୫୧ ରନ୍‌ରେ ହାରିଛି । ଏହାକୁ ନେଇ ଅଧିନାୟକ ବିରାଟ କୋହଲି ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଦ୍ୱିତୀୟ ଦିନିକିଆ ପରାଜୟ ପାଇଁ ଦଳର ପ୍ରଭାବହୀନ ବୋଲିଂକୁ ଦାୟୀ କରିଛନ୍ତି । ମ୍ୟାଚ୍ ପରେ ପୁରସ୍କାର ବିତରଣ ସମାରୋହରେ କୋହଲି କହିଛନ୍ତି କି, ଘରୋଇ ଦଳ ସମ୍ପୂର୍ଣ୍ଣ ଭାବେ ଆମକୁ ପଛରେ ପକାଇ ଦେଇଛନ୍ତି । ଆମେ କ୍ରମାଗତ ଭାବେ ବୋଲିଂରେ ପ୍ରଭାବଶାଳୀ ଦେଖାଇ ନାହୁଁ । ଯାହାର ଫାଇଦା ଅଷ୍ଟ୍ରେଲୀୟ ଖେଳାଳୀ ଉଠାଇଥିଲେ । ସେହିପରି ତାଙ୍କର ଓ ଶ୍ରେୟସ ଆୟରଙ୍କ କ୍ୟାଚ୍ ଖେଳର ଟର୍ଣ୍ଣିଂ ପଏଣ୍ଟ ଥିଲା ।
ସୂଚନା ଯେ, ସିଡ୍‌ନୀରେ ଭାରତୀୟ ବୋଲର୍‌ମାନେ ଶୋଚନୀୟ ପ୍ରଦର୍ଶନ କରିବା ଫଳରେ ଘରୋଇ ଅଷ୍ଟ୍ରେଲିଆ ୩୭୪ ରନ୍ କରିଥିଲା । ଏହି ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନେ ମଧ୍ୟ ବିଫଳ ହେବାରୁ ଅଷ୍ଟ୍ରେଲିଆ ୬୬ ରନ୍‌ରେ ବିଜୟୀ ହୋଇଥିଲା । ଏହାର ଦୁଇ ଦିନ ପରେ ଅର୍ଥାତ୍ ରବିବାର ବି ଭାରତୀୟ ବୋଲରମାନେ ସେମାନଙ୍କ ତ୍ରୁଟିବିଚ୍ୟୁତି ସୁଧାରିବାରେ ବିଫଳ ହେବାରୁ ଦ୍ୱିତୀୟ ମ୍ୟାଚ୍‌କୁ ଜିତି ଅଷ୍ଟ୍ରେଲିଆ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ହାତେଇପାରିଛି । ପ୍ରଥମ ମ୍ୟାଚ୍ ପରି ରବିବାର ଅଷ୍ଟ୍ରେଲିଆର ଦୁଇ ଓପନର ଡେଭିଡ୍ ୱାର୍ଣ୍ଣର୍ ଓ ଅଧିନାୟକ ଆରୋନ୍ ଫିଞ୍ଚ୍ ଶତକୀୟ ଭାଗୀଦାରୀ କରିଥିଲେ । ଉଭୟ ୧୪୨ ରନ୍ ଯୋଡ଼ିବା ସହ ଷ୍ଟିଭେନ୍ ସ୍ମିଥ୍ କ୍ରମାଗତ ଦ୍ୱିତୀୟ ଶତକ କରିଥିଲେ । ଆହୁରି ମଧ୍ୟ ମ୍ୟାକ୍ସୱେଲ୍ ପୁଣି ଏକ ବିସ୍ଫୋରକ ଇନିଂସ ଖେଳି ମାତ୍ର ୨୯ଟି ବଲରେ ୬୩ ରନ୍ କରିଥିଲେ । ୧୪ଟି ଚୌକା ଓ ୨ଟି ଛକା ସହ ମାତ୍ର ୬୪ଟି ବଲ୍‌ରେ ୧୦୪ ରନ୍ କରିଥିବା ସ୍ମିଥ୍ କ୍ରମାଗତ ଦ୍ୱିତୀୟ ଥର ପାଇଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ସିରିଜ୍‌ର ତୃତୀୟ ତଥା ଅନ୍ତିମ ଦିନିକିଆ ଆସନ୍ତା ୨ ତାରିଖରେ କାନବେରାଠାରେ ଖେଳାଯିବ । ୱାର୍ଣ୍ଣର୍ ଓ ଫିଞ୍ଚ୍ ଯଥାକ୍ରମେ ୮୩ (୭ ଚୌକା, ୩ ଛକା) ଓ ୬୦ (୬ ଚୌକା, ୧ ଛକା) ରନ୍ କରିଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ସ୍ମିଥ୍ ଶୁକ୍ରବାର ପରି ରବିବାର ମଧ୍ୟ ମାତ୍ର ୬୨ଟି ବଲରେ ଶତକ ପୂରଣ କରିଥିଲେ । ସେ ୬୪ଟି ବଲ୍ ଖେଳି ୧୦୪ ରନ୍ କରିଥିବା ବେଳେ ମ୍ୟାକ୍ସୱେଲ୍ ୪ଟି ଲେଖାଏଁ ଚୌକା ଓ ଛକା ଲଗାଇଥିଲେ । ଆହୁରି ଗତ ମ୍ୟାଚ୍‌ରେ ବିଫଳ ହୋଇଥିବା ମାର୍ନସ୍ ଲାବୁଶେନ୍ ୬୧ ବଲ୍ ଖେଳି ୫ଟି ଚୌକା ଜରିଆରେ ୭୦ ରନ୍ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ଶମି, ଜସପ୍ରୀତ୍ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟା ଗେଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଜବାବରେ ଭାରତ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା । ବିଶେଷକରି ସମସ୍ତ ଶୀର୍ଷ ଭାଗ ବ୍ୟାଟ୍ସମ୍ୟାନ୍‌ମାନେ ଭଲ ଷ୍ଟାର୍ଟ ପାଇଥିଲେ ହେଁ ଏହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ । ଫଳସ୍ୱରୂପ ଭାରତ ୯ ୱିକେଟ୍ ହରାଇ ୩୩୮ ରନ୍ କରିଥିଲା । ଦଳ ପକ୍ଷରୁ ଅଧିନାୟକ ବିରାଟ କୋହଲି ୮୭ ବଲ୍‌ରେ ୭ଟି ଓ ୨ଟି ଛକା ସହ ୮୯, ଲୋକେଶ ରାହୁଲ୍ ୪ଟି ଚୌକା ଓ ୫ଟି ଛକା ସହ ୭୬, ଓପନର ଶିଖର ଧୱନ୍ ୫ଟି ଚୌକା ସମ୍ବଳିତ ୩୦ ଏବଂ ଅନ୍ୟତମ ଓପନର ମୟଙ୍କ ଅଗରୱାଲ୍ (୪ଟି ଚୌକା) ଓ ହାର୍ଦ୍ଦିକ ପାଣ୍ଡ୍ୟା ୨୮ ରନ୍ ଲେଖାଏଁ କରିଥିଲେ । ରବୀନ୍ଦ୍ର ଜାଡେଜା ମଧ୍ୟ ମାତ୍ର ୧୧ ବଲରେ ଗୋଟିଏ ଚୌକା ଓ ୨ଟି ଛକା ସହ ଦ୍ରୁତ ୨୪ ରନ୍ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କମିନ୍ସ ସର୍ବାଧିକ ୩ଟି ଏବଂ ଜୋଶ୍ ହେଜଲଉଡ୍ ଓ ଆଡାମ୍ ଜାମ୍ପା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

Spread the love