ପଂଚଦଶ ଶତାବ୍ଦୀର ଆଦିକାଳରେ ପ୍ରଚଳିତ ଭାଷାକୁ ବ୍ୟବହାର କରି ସାହିତ୍ୟକୁ ଲୋକାଭିମୁଖୀ କରିବାରେ ସାରଳା ଦାସ ଥିଲେ ଅଗ୍ରଦୂତ : ଉପ ରାଷ୍ଟ୍ରପତି

  • ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କେୟା ନାଇଡୁ

  • ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ସମ୍ମାନଜନକ କଳିଙ୍ଗ ରତ୍ନ ସମ୍ମାନରେ ସମ୍ମାନୀତ

ଭୁବନେଶ୍ୱର : ପଂଚଦଶ ଶତାବ୍ଦୀର ଆଦିକାଳରେ ପ୍ରଚଳିତ ଭାଷାକୁ ବ୍ୟବହାର କରି ସାହିତ୍ୟକୁ ଲୋକାଭିମୁଖୀ କରିବାରେ ସାରଳା ଦାସ ଥିଲେ ଅଗ୍ରଦୂତ । ବିଶେଷକରି ମହାଭାରତରେ ସେ ଯେଉଁ ଶବ୍ଦାବଳୀ ପ୍ରୟୋଗ କରିଛନ୍ତି ତାହା ବୁଝିବା ପାଇଁ କୌଣସି ପାଠକକୁ ଶବ୍ଦକୋଷ ଆବଶ୍ୟକ ହେବ ନାହିଁ । ସମସ୍ତେ ବୁଝିପାରିବା ଭଳି ସରଳ ଭାଷାରେ ଜଟିଳ ଭାବକୁ ବ୍ୟକ୍ତ କରିବା ଏତେ ସହଜ ନୁହେଁ । ଏହା ହେଉଚି ମହାନ୍ କବିମାନଙ୍କ ଏକ ସ୍ୱାତନ୍ତ୍ର‌୍ୟ ଯାହାକି ଜନମାନସର ହୃଦୟ ଜିତିପାରିଛି । ଶ୍ରୀ ସାରଳା ଦାସ ସେହିପରି ଜଣେ ମହାନ୍ ବ୍ୟକ୍ତିତ୍ୱ ବୋଲି କହିଛନ୍ତି ଉପରାଷ୍ଟ୍ରପତି ଶ୍ରୀ ଏମ୍‌. ଭେଙ୍କେୟା ନାଇଡୁ । କଟକ ଠାରେ ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକୀ ଅବସରରେ ସେ ତାଙ୍କ ଅଭିଭାଷଣରେ ଏହା କହିଛନ୍ତି । ସେ କହିଛନ୍ତି ଯେ – ସାରଳା ଦାସଙ୍କ ଦ୍ୱାରା ଲିଖିତ ମହାଭାରତ ବାସ୍ତବିକ ଅନନ୍ୟ ବୋଲି ମୁଁ ବିବେଚନା କରେ । ବ୍ୟାସଙ୍କ ମହାଭାରତ ଅନେକ ଭାରତୀୟ କବିଙ୍କ ଦ୍ୱାରା ଅନୁଦିତ ହୋଇଛି, ମାତ୍ର ସାରଳା ଦାସ ଏପରି ଏକ କାଳଜୟୀ ମହାକାବ୍ୟ ରଚନା କରିଛନ୍ତି ଯାହା ସମସ୍ତ ଓଡିଆ ଭାଷାଭାଷୀ ଲୋକଙ୍କ ଜନମାନସରେ ବସା ବାନ୍ଧିବାରେ ସକ୍ଷମ ହୋଇଛି । ଏହା କେବଳ ମାତ୍ର ସାହିତ୍ୟ କୃତି ନୁହେଁ, ଏଥିରେ ତତ୍କାଳୀନ ଓଡିଶାର ରାଜନୈତିକ ଓ ସାଂସ୍କୃତିକ ଇତିହାସ ଓ ଭୂଗୋଳ ସମ୍ପର୍କରେ ଅନେକ ତଥ୍ୟର ଗନ୍ତାଘର ରହିଛି । ନିଃସନ୍ଦେହରେ ଆମ ମଧ୍ୟରୁ ଅଧିକାଂଶ ସାରଳା ଦାସଙ୍କୁ ଆଦିକବି ବା ଓଡିଶାର ପ୍ରଥମ କବିଭାବେ ବିବେଚନା କରୁ । ତାଙ୍କୁ ଆଦି ଐତିହାସିକ ବା ପ୍ରଥମ ଐତିହାସିକ, ଆଦି ଭୌଗୋଳିକବିତ୍ ବା ପ୍ରଥମ ଭୂଗୋଳବିତ୍ ଓ ପ୍ରଥମ ସମାଜତତ୍ତ୍ୱବିତ୍ ଭାବେ ମଧ୍ୟ ବର୍ଣ୍ଣନା କରାଯାଇପାରେ । ବିଭିନ୍ନ ସ୍ଥାନର ବର୍ଣ୍ଣନା, ପର୍ବପର୍ବାଣୀର ରେଖାଙ୍କନ ଓ ସର୍ବୋପରି ପଂଚଦଶ ଶତାବ୍ଦୀର ଲୋକଚରିତ୍ର ସମ୍ପର୍କୀତ ରଚନା ତାଙ୍କର ତତ୍କାଳୀନ ସାମାଜିକ ଓ ଆର୍ôଥକ ଅବସ୍ଥାର ଗଭୀର ଅନୁଶୀଳନର ସୂଚନା ପ୍ରଦାନ କରେ ।

ସେ କହିଛନ୍ତି ଯେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଯଦିଓ ସାରଳା ଦାସ ଜଣେ ଦଳିତ ଥିଲେ, ତଥାପି ସେ ପ୍ରକୃତରେ ଥିଲେ ଜଣେ ମୁନୀ ବା ମୁନୀ ଲେଖକ । ନିଜକୁ ସେ କୃଷକ କୁଳରେ ଜାତ ବୋଲି ପରିଚୟ ଦେଇଛନ୍ତି ଓ ବିନମ୍ରତାର ସହ ନିଜର ଅଜ୍ଞତାକୁ ସ୍ୱୀକାର କରି ମହାଭାରତ ଭଳି ଧର୍ମଗ୍ରନ୍ଥ କିପରି ରଚନା କରାଯିବ ‘ତାକୁ ନ ଜାଣେ ଶାସ୍ତ୍ର ବିଧି’ ବୋଲି କହିଛନ୍ତି । ମାତ୍ର ତାଙ୍କ ରଚନା ଶୈଳୀ କୌଣସି ଅନୁଭୂତିହୀନ ଲେଖକର ବୋଲି ପ୍ରତୀୟମାନ ହୁଏ ନାହିଁ । ଏହା ବାସ୍ତବିକ ଏକ ସର୍ବୋକୃଷ୍ଟ କୃତି ଯାହା କି ସ୍ଥାନୀୟ ଓ ପ୍ରଚଳିତ ଓଡିଆ ସହ ପ୍ରାକୃତ, ଆରବୀୟ ଓ ପାର୍ସୀ ଭାଷାର ମୂଳ ଶବ୍ଦ ଦ୍ୱାରା ପରିପୃଷ୍ଟ । କଥିତ ବା ମୁଖ ନିସୃତ କଥାର ପରମ୍ପରାକୁ ପାଠକଙ୍କ ନିକଟରେ ଉପସ୍ଥାପିତ କରି ସେ ଓଡିଆ ଭାଷାର ଜନକ ଆସନ ଅଳଙ୍କୃତ କରିଛନ୍ତି । ସାରଳା ଦାସ ତାଙ୍କ ସାହିତ୍ୟିକ ପ୍ରତ୍ୟୁତ୍ପନ୍ନମତିତା ବଳରେ ଯେ ଓଡିଆ ଭାଷା ଓ ସଂସ୍କୃତିକୁ ସମୃଦ୍ଧ କରିଛନ୍ତି, ଏହା କହିବାରେ ମୋର ସାମାନ୍ୟତମ ଦ୍ୱିଧା ନାହିଁ । ଏଥିରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ ଯେ ଭାରତ ସରକାର ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେଇଛନ୍ତି ଓ ସାରଳା ଦାସ ଏହାର ଉତୁୁଙ୍ଗ ଆଲୋକବର୍ତିିକା । ଆପଣଙ୍କମାନଙ୍କ ସହ ମୁଁ ସାରଳା ଦାସଙ୍କୁ ମୋର ବିନମ୍ର ଶ୍ରଦ୍ଧା ଅର୍ପଣ କରୁଛି ବୋଲି ସେ କହିଛନ୍ତି । ସରଳ ଓ କଥିତ ଭାଷାରେ ଭାବ ବ୍ୟକ୍ତ କରିଥିବା ଯୋଗୁଁ ସାରଳା ଦାସଙ୍କ ଦ୍ୱାରା ଲିଖିତ ମହାଭାରତର ଶହ ଶହ ବର୍ଷ ପରେ ମଧ୍ୟ ଲୋକପ୍ରିୟତା ଅତୁଟ ରହିଛି । ବାସ୍ତବିକ କହିବାକୁ ଗଲେ ମୁଁ ପ୍ରତ୍ୟେକ ରାଜ୍ୟରେ ମାତୃଭାଷାକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଆରୋପ କରିଆସିଛି । ପ୍ରଥମତଃ ପ୍ରାଥମିକ ସ୍ତର ପର୍ଯ୍ୟନ୍ତ ବିଦ୍ୟାଳୟ ଶିକ୍ଷାର ମାଧ୍ୟମ ମାତୃଭାଷା ବା ସ୍ଥାନୀୟ ଭାଷାରେ ହେବା ସୁନିଶ୍ଚିତ କରିବାକୁ ହେବ । ପ୍ରାଥମିକ ବିଦ୍ୟାଳୟ ଶିକ୍ଷାରେ ଏହାର ଉପକାରିତା ଅନେକାଂଶରେ ପ୍ରମାଣିତ ହୋଇଛି । ଏହା ବ୍ୟତୀତ ଲୋକମାନଙ୍କ ସହ ଯୋଗାଯୋଗ ସ୍ଥାପନ ନିମନ୍ତେ ପ୍ରଶାସନ ଓ ବିଚାରବିଭାଗ ସ୍ଥାନୀୟ ଭାଷାକୁ ପ୍ରଭାବୀ ଢଙ୍ଗରେ ଲାଗୁ କରିବା ଆବଶ୍ୟକ ବୋଲି ସେ ଉଚ୍ଛ ପ୍ରକାଶ କରିଛନ୍ତି । ଏହି ଅବସରରେ ସେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସମ୍ମାନଜନକ ‘କଳିଙ୍ଗ ରତ୍ନ’ ସମ୍ମାନରେ ସମ୍ମାନୀତ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ପ୍ର୍ରଫେସର ଗଣେଶୀଲାଲ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉଦବୋଧନ ଦେଇଥିଲେ ।

Spread the love