ନେଟ୍ସକୁ ଫେରିଲେ ପୂଜାରା

ନୂଆଦିଲ୍ଲୀ : ଦୀର୍ଘ ୩ ମାସରୁ ଊର୍ଦ୍ଧ୍ୱ ବ୍ୟବଧାନପରେ ନେଟ୍ସକୁ ଫେରିଛନ୍ତି ଭାରତୀୟ କ୍ରିକେଟ ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା। ସୌରାଷ୍ଟ୍ରକୁ ପ୍ରଥମଥରପାଇଁ ରଣଜୀ ଟ୍ରଫି ଚାମ୍ପିୟନ କରାଇବାରେ ସ୍ଥପତି ଭୂମିକା ଗ୍ରହଣ କରିଥଲେ ପୂଜାରା। ଗତ ମାର୍ଚ୍ଚରେ ରଣଜୀ ଟ୍ରଫି ଜିତିବାପରେ କରୋନା ଭାଇରସ ସଂକ୍ରମଣ ପାଇଁ ଆଉ ଅଭ୍ୟାସ ସମ୍ଭବ ହୋଇ ନ ଥିଲା। ରାଜକୋଟସ୍ଥିତ ନିଜ ଏକାଡେମୀରେ ସୌରାଷ୍ଟ୍ର ଦଳର ଅଧିନାୟକ ଜୟଦେବ ଉନାଡକଟ, ବ୍ୟାଟ୍ସମ୍ୟାନ ଅର୍ପିତ ବାସବଦା ଓ ମିଡିୟମ ପେସର ପେରେକ ମଙ୍କଡ ଅଭ୍ୟାସ କରିଛନ୍ତି।

ଭାରତର ବଡ଼ ସହର ଗୁଡ଼ିକ ତୁଳନାରେ ରାଜକୋଟରେ କୋଭିଡ-୧୯ ସଂକ୍ରମଣ କମ୍‌ ରହିଛି। ଏପର୍ଯ୍ୟନ୍ତ ସେଠାରେ ୧୮୫ ଜଣ ସଂକ୍ରମିତ ହୋଇଛନ୍ତି। ”ଆମେ ପାଖାପାଖି ୧୦ ଦିନ ହେବ ଅଭ୍ୟାସ ଆରମ୍ଭ କରିଛୁ। ଲକଡାଉନ୍‌ ସମୟରେ ଆମେ ଘରେ ଫିଟ୍‌ନେସ ଟ୍ରେନିଂ କରୁଥିଲୁ। ମାତ୍ର ନେଟ୍ସରେ ଅଭ୍ୟାସ ସୁଯୋଗ ନ ଥିଲା। ତେଣୁ ଏବେ ନେଟ୍ସରେ ବ୍ୟାଟିଂ କରିବାରେ ଆନନ୍ଦ ମିଳୁଛି। ଅଭ୍ୟାସ ସମୟରେ ଆମେ ସରକାରଙ୍କ ଗାଇଡଲାଇନ୍‌ ପାଳନ କରୁଛୁ“ ବୋଲି ବେଙ୍ଗଲ ବିପକ୍ଷ ରଣଜୀ ଟ୍ରଫି ଫାଇନାଲରେ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ବାସବଦା ପ୍ରକାଶ କରିଛନ୍ତି।ପେସାଦାର କ୍ରିକେଟରମାନେ ମ୍ୟାଚ ଫିଟ୍‌ନେସ ପାଇଁ ୪ରୁ ୬ ସପ୍ତାହ ସମୟ ଆବଶ୍ୟକ ହେଉଛି। ଏ କ୍ଷେତ୍ରରେ ବୋଲରଙ୍କୁ କଠିନ ସମୟ ଦେଇ ଗତି କରିବାକୁ ପଡ଼ିବ। କାରଣ ସେମାନଙ୍କ କ୍ଷେତ୍ରରେ ଆହତ ହେବା ସମସ୍ୟା ବେଶି ରହିଛି। ”ଉନାଡକଟ୍‌ ଏବେ ଆମ ସହିତ ଯୋଗ ଦେଇଛନ୍ତି। ଧିରେଧିରେ ସେ ନେଟ୍ସରେ ଅଧିକ ସମୟ ଦେବେ। ତେବେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) ବାରଣ ଯୋଗୁ ସେ ବୋଲିଂ ସମୟରେ ଲାଳ କିମ୍ବା ଛେପ ବ୍ୟବହାର କରୁନାହାନ୍ତି। ମୁଁ ଏବଂ ପୂଜାରା ୧୦ରୁ ୧୫ ମିନିଟ ବ୍ୟାଟିଂ କରୁଛୁ। ଧିରେଧିରେ ଏହି ସମୟ ବଢ଼ାଇବାକୁ ଯୋଜନା କରୁଛୁ। ଆମ ସହିତ ରାଜକୋଟ ନିକଟବର୍ତ୍ତୀ ଅଞ୍ଚଳର କିଛି ନେଟ୍ସ ବୋଲର ଅଛନ୍ତି“ ବୋଲି ବାସବଦା କହିଛନ୍ତି। ଦେଶରେ କରୋନା ସଂକ୍ରମଣ ଦ୍ରୁତ ବୃଦ୍ଧି ପାଉଥିବାରୁ କେବେ ଘରୋଇ କ୍ରିକେଟ ଆରମ୍ଭ ହେବ ତାହା କହି ହେଉନାହିଁ। ଆସନ୍ତା ଅଗଷ୍ଟରେ ଆରମ୍ଭ ହେବାର ଯୋଜନା କରାଯାଉଥିଲେ ହେଁ ସମ୍ଭାବନା କ୍ଷୀଣ ରହିଛି। ଆସନ୍ତା ଡିସେମ୍ବରରେ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ଯାଇ ଟେଷ୍ଟ ସିରିଜ ଖେଳିବ। ଏଥିରେ ପୂଜାରା ଖେଳିବା ସମ୍ଭାବନା ରହିଛି।

Spread the love

Leave a Reply

Your email address will not be published. Required fields are marked *