ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା, ମୃତଦେହ ରଖି ରାଜରାସ୍ତା ଅବରୋଧ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ଚିକିତ୍ସାରେ ଅବହେଳାଯୋଗୁଁ ନାବାଳକର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଏହାସହ କ୍ଷତିପୂରଣ ଦାବିରେ ଭବାନୀପାଟଣା-ନର୍ଲା-ରାମପୁର ରାଜ୍ୟ ରାଜପଥ ଉପରେ ଶବ ରଖି ଲୋକେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଉଭୟ ପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ଆଲୋଚନା ଜାରି ରଖିଛନ୍ତି।

ନର୍ଲା ଜୟନ୍ତୀ ନଗରପଡାର କୈବଲ୍ୟ ସେନାପତିଙ୍କ ପୁଅ ମନୋଜ ସେନାପତି (୧୨)ଙ୍କ ପେଟ ବ୍ୟଥା ହେବାରୁ ଚିକିତ୍ସା ପାଇଁ ବୁଧବାର ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ମନୋଜକୁ ଇଞ୍ଜେକସନ ଦିଆଯାଇ ଘରକୁ ପଠାଇ ଦିଆଯାଇଥିଲା। ପରେ ନାବାଳକ ଜଣକ ଅଧିକ ଗୁରୁତର ହୋଇ ପଡ଼ିବାରୁ ରାତିରେ ପୁଣି ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିଲେ। ସେଠାରେ ତାର ମୃତ୍ୟୁ ହୋଇଥିଲା ଓ ଏହା ଡାକ୍ତରଙ୍କ ଅବହେଳାରୁ ହୋଇଛି ବୋଲି ଅଭିଯୋଗ ହେଉଛି। ତେବେ ଡାକ୍ତରଖାନାର ମୁଖ୍ୟ ଦ୍ୱାରକୁ ବନ୍ଦ କରି ସମ୍ମୁଖରେ ଶବକୁ ରଖି ରାଜରାସ୍ତାକୁ ଅବରୋଧ କରାଯାଇଛି। ମୃତକ ପରିବାରକୁ କ୍ଷତିପୂରଣ ସହ ଡାକ୍ତର ନିଯୁକ୍ତି ନେଇ ଦାବୀ ଉଠିଛି। ବର୍ତ୍ତମାନ ସୁଦ୍ଧା କେହି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ବେଳେ ଲୋକଙ୍କ ଆନ୍ଦୋଳନ ଜାରି ରହିଛି।

Spread the love