ନାଗାର୍ଜୁନ ବେଶ ଦର୍ଶନ ପାଇଁ ଭକ୍ତଙ୍କୁ ପୁରୀ ମନା

ପୁରୀ : ନାଗାର୍ଜୁନ ବେଶ ଦର୍ଶନ ପାଇଁ ପୁରୀ ନ ଆସି ଘରେ ମହାପ୍ରଭୁଙ୍କୁ ସ୍ମରଣ କରିବାକୁ ପୁରୀ ଉପଜିଲ୍ଲାପାଳଙ୍କ ଅପିଲ। ସେହଦିନ ମନ୍ଦିର ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହେବ। ସେବାୟତଙ୍କ ବ୍ୟତୀତ ଅନ୍ୟକେହି ମନ୍ଦିରକୁ ପ୍ରବେଶ କରି ପାରିବେନି। ମରଚିକୋଟ ଛକଠାରୁ ମନ୍ଦିର ପର୍ଯ୍ୟନ୍ତ ଓ ଜହ୍ନିମୁଣ୍ଡିଆ ଛକଠାରୁ ମନ୍ଦିର ପର୍ଯ୍ୟନ୍ତ କେବଳ ପାଦଚଲାକୁ ଅନୁମତି। ମହାପ୍ରସାଦ ପାଇଁ ଜଗନ୍ନାଥ ବଲ୍ଲଭରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

କୋଭିଡ୍ କଟକଣା ଯୋଗୁଁ ଭିଡ କମାଇବାପାଇଁ ଆଗାମି ୨୭ତାରିଖରେ ଶ୍ରୀମନ୍ଦିରରେ ତିନିଠାକୁରଙ୍କ ନାଗାର୍ଜୁନ ବେଶ ହେବ । ତେବେ ଏହାକୁ ଭକ୍ତମାନେ ଦେଖିପାରିବେ ନାହିଁ । ଶ୍ରୀମନ୍ଦିର ଇତିହାସରେ ଏହା ପ୍ରଥମ ଘଟଣା ହେବାକୁ ଯାଉଛି । ୨୫ବର୍ଷ ବ୍ୟବଧାନରେ ଚଳିତବର୍ଷ ଡିସେମ୍ବର ୨୭ତାରିଖରେ ପଡୁଛି ନାଗାର୍ଜ୍ଜୁନ ବେଶ ତିଥି । ଆଜି ଛତିଶା ନିଜଗର ବୈଠକରେ ଏହା ଉପରେ ସବିଶେଷ ଆଲୋଚନା କରାଯାଇଥିଲା । ତେବେ ମଦଳା ପାଞ୍ଜି, ଶ୍ରୀମନ୍ଦିରର ସ୍ୱତଲିପି ଏବଂ ପରମ୍ପରାରେ ଏହି ବେଶ ସମ୍ପର୍କରେ କୌଣସି ଲିଖିତ ପ୍ରମାଣ ନାହିଁ । ତେଣୁ ରତ୍ନ ସିଂହାସନରେ ତିନିଠାକୁରଙ୍କ ଦୁଲ୍ଲର୍ଭ ବେଶ ହେବ । ହେଲେ ଭକ୍ତମାନେ ଏହି ବେଶକୁ ଦେଖି ପାରିବେ ନାହିଁ । ରାତି ୨ଟାରେ ଶ୍ରୀମନ୍ଦିର କବାଟ ଖୋଲାଯିବ ଏବଂ ୨.୩୦ମିନିଟ୍ ସୁଦ୍ଧା ବେଶପାଇଁ ଥିବା ସାଜ ସଂରଞ୍ଜାମ ମନ୍ଦିର ଭିତରକୁ ଆସିବ । ତେବେ କୌଣସି ବ୍ୟକ୍ତି ଛଦ୍ମ ବେଶରେ ସେବାୟତ କହି ମନ୍ଦିର ଭିତରକୁ ପ୍ରବେଶ କରି ପାରିବେ ନାହିଁ । ଏହାସହିତ ମନ୍ଦିର ଭିତରକୁ ମୋବାଇଲ୍ ପ୍ରବେଶ ଉପରେ କଟକଣା ଲଗାଯାଇଛି ବୋଲି ବୈଠକ ସେଶରେ ଛତିଶା ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love