ନାଗାର୍ଜୁନ ବେଶରେ ମହାପ୍ରଭୁ

ପୁରୀ : ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । ଶ୍ରୀମନ୍ଦିର ରତ୍ନସିଂହାସନରେ ଶୁକ୍ରବାର ନାଗାର୍ଜୁନ ବେଶ ହୋଇଛନ୍ତି ଦାରୁବ୍ରହ୍ମ। କୋଟି କୋଟି ଓଡ଼ିଆଙ୍କ ବୀରତ୍ୱ, ସ୍ୱାଭିମାନ ଏବଂ ପରାକ୍ରମ ସେଥିରେ ପ୍ରକଟିତ ହୋଇଛି। ଯୋଦ୍ଧାବେଶରେ ମହାପ୍ରଭୁ ଶ୍ରୀବଳଭଦ୍ର ଏବଂ ଶ୍ରୀଜଗନ୍ନାଥଙ୍କୁ ସଜ୍ଜିତ କରିଛନ୍ତି ପାଳିଆ ସେବକ।  ଆଜି ୩ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ନାଗାର୍ଜୁନ ବେଶ। ସକାଳ ୭ଟାରୁ ଆରମ୍ଭ ହେଲା ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଭୋର୍ ୪ଟା ୪୫ରୁ ଆରମ୍ଭ ହେବାର ଥିଲେ ମଧ୍ୟ ବିଳମ୍ବରେ ଆରମ୍ଭ ହୋଇଛି। ସ୍ୱର୍ଣ୍ଣ ଅଳଙ୍କାରକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିବାରୁ ବିଳମ୍ବ ହୋଇଥିବା ସୂଚନା ମିଳିଛି। କରୋନା କଟକଣା ଯୋଗୁଁ ପରଂବ୍ରହ୍ମଙ୍କ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ ଭକ୍ତ।

ଶ୍ରୀମନ୍ଦିର ଚୌହଦିରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ ହୋଇଛି । ଶ୍ରୀମନ୍ଦିର ସେବାୟତଙ୍କ ବ୍ୟତୀତ ଅନ୍ୟମାନଙ୍କ ପାଇଁ ଏହି କଟକଣା ଲାଗୁ ହେବ । ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି ରାତି ଦୁଇଟାରୁ ବେଶ ଓଲାଗି ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚୌହଦିରେ ୧୪୪ ଧାରା ଜାରି ରହିବ । ବିଶେଷ କରି ଶ୍ରୀମନ୍ଦିର ଚାରିପାଖସ୍ଥିତ ମରିଚକୋଟ୍‌ ଛକ, ଦୋଳମଣ୍ଡପ ସାହି ଛକ, ଜହ୍ନିଖାଇ ମୁଣ୍ଡିଆ ଛକ, କାକୁଡ଼ିଖାଇ ଛକ, ଧାନକୁଟୀ ସାହି ରଘୁନାଥ ଲଜ୍‌, ଗାଣ୍ଡୁଆ ଚଉରା ଛକ, ଗଡନ୍ତି ଛକ, ଦୋଳବେଦୀ କୋଣ ଛକ ଆଦି ଇଲାକା ମଧ୍ୟରେ ୧୪୪ ଧାରା କଟକଣା ରହିବ। କୋଭିଡ୍‌ କଟକଣା ମଧ୍ୟରେ ପୁରୀ ସହରବାସୀ ଓ ସେବାୟତଙ୍କ ସହଯୋଗରେ ବିନା ଭକ୍ତରେ ରଥଯାତ୍ରା ପାଳନ ହୋଇଛି । ଏଥିପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କେବେଠାରୁ ନାଗାର୍ଜୁନ ବେଶ କରାଯାଉଛି ସେଥିନେଇ କୌଣସି ନିର୍ଦିଷ୍ଟ ତଥ୍ୟ ମିଳୁନାହିଁ। ଶ୍ରୀମନ୍ଦିର ରେକର୍ଡ ଅଫ୍‌ ରାଇଟ୍ସରେ ଏ ସମ୍ପର୍କରେ କିଛି ଉଲ୍ଲେଖ ନଥିବା ଜଣାପଡିଛି। ନାଗାର୍ଜୁନ ବେଶର ଉତ୍ପତ୍ତି ଷୋଡ଼ଶ ଶତାବ୍ଦୀ ପରେ ହୋଇଥିବା କେତେକ ଗବେଷକ ମତ ଦେଇଛନ୍ତି। ଶ୍ରୀକ୍ଷେତ୍ରର ପାରମ୍ପରିକ ସାହିଯାତ ସହ ନାଗାବେଶର ନିବିଡ ସମ୍ପର୍କ ରହିଛି। ନାଗାର୍ଜୁନଙ୍କ ସମ୍ପର୍କରେ ମହାଭାରତର ସଭାପର୍ବରେ ଉଲ୍ଲେଖ ଥିବାରୁ ଏହି ବେଶ ଅତ୍ୟନ୍ତ ପ୍ରାଚୀନ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ମତ ଦେଉଛନ୍ତି। ଦ୍ବାପର ଯୁଗରେ ନାଗାର୍ଜୁନଙ୍କ ଚରିତ୍ର ସମ୍ପର୍କରେ ପୌରାଣିକ ତଥ୍ୟ ରହିଛି। ପ୍ରତ୍ୟେକବର୍ଷ କାର୍ତ୍ତିକ ପଞ୍ଚୁକରେ ଶ୍ରୀମନ୍ଦିର ରତ୍ନସିଂହାସନରେ ଦାରୁବ୍ରହ୍ମଙ୍କୁ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ, ବାଙ୍କଚୂଡ ବା ବାମନ ବେଶ, ତ୍ରିବିକ୍ରମ ବେଶ, ଲକ୍ଷ୍ମୀନୃସିଂହ ବେଶ ଏବଂ ରାଜାଧିରାଜ ବେଶ କରାଯାଏ। ଏହାଛଡା କାର୍ତ୍ତିକମାସରେ ମହାପ୍ରଭୁ ରାଧାଦାମୋଦର ବେଶ ଏବଂ ହରିହର ବେଶ ହୋଇଥାଆନ୍ତି। ଯେଉଁବର୍ଷ କାର୍ତ୍ତିକ ପଞ୍ଚୁକ ୫ଦିନ ପରିବର୍ତ୍ତେ ୬ଦିନ ପଡେ ମଳତିଥିରେ ପ୍ରଭୁଙ୍କୁ ନାଗାର୍ଜୁନ ବେଶ କରାଯାଏ। ଯେବେଠାରୁ ପଞ୍ଚୁକବେଶ ଶ୍ରୀମନ୍ଦିରରେ ପ୍ରଚଳିତ ହୋଇଛି ସେବେଠାରୁ ନାଗାର୍ଜୁନ ବେଶ କରାଯାଉଥିବା କେହି କେହି ମତ ଦେଉଛନ୍ତି।

Spread the love