ନକଲି ଘିଅ ଓ ମସଲା କାରଖାନା ଉପରେ ଚଢଉ, ୨ ଗିରଫ

କଟକ : ସହରରେ ନକଲି ସାମଗ୍ରୀ ବିକ୍ରି ଉପରେ ରୋକ୍ ଲଗାଇବା ଉଦ୍ଦେଶ୍ୟରେ ପୋଲିସ ପ୍ରଶାସନ ଓ ସିଏମସି ପକ୍ଷରୁ ଘନ ଘନ ଚଢଉ ଜାରି ରହିଥିବା ବେଳେ ଆଜି ଚାଉଳିଆଗଂଜ ଥାନା ପୋଲିସ ପକ୍ଷରୁ ଭଦିମୂଳ ଓ ନୂଆବଜାର ଅଂଚଳରେ ନକଲି ସାମଗ୍ରୀ ତିଆରି କାରଖାନା ଉପରେ ଚଢଉ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଭଦିମୂଳ ଅଂଚଳରେ ବିଭିନ୍ନ ନାମୀଦାମୀ କମ୍ପାନୀର ଲୋଗୋ ଲଗାଯାଇ ନକଲି ଲଙ୍କା ଓ ହଳଦୀଗୁଣ୍ଡ ବିକ୍ରି କରାଯାଉଥିବାର କେତେକ ଅଭିଯୋଗକୁ ଭିତ୍ତି କରି ଏସିପି ଅମରେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଇନ୍ସପେକ୍ଟର ତାପସ ପ୍ରଧାନ ସଦଳବଳେ ଚଢଉ କରି ଅଭିଯୁକ୍ତ ତପନ ରାୟ ଘରୁ ପ୍ରାୟ ୬ ଲକ୍ଷ ଟଙ୍କା ମୂଲ୍ୟର ନକଲି ଲଙ୍କା ଓ ହଳଦୀଗୁଣ୍ଡ ଜବତ କରିଥିଲେ । ତପନ ବିଗତ ୫ ବର୍ଷ ଧରି ନୋଭା ବ୍ରାଣ୍ଡରେ ଏହି ଗୁଣ୍ଡସବୁ ପ୍ରସ୍ତୁତ କରି ବଜାରକୁ ଛାଡୁଥିଲା । ହେଲେ ନୋଭା ବ୍ରାଣ୍ଡ ନାମରେ କୈାଣସି କମ୍ପାନୀ କଟକରେ ପୀକୃତ ହୋଇନଥିବାର ଜଣାଯିବା ପରେ ପୋଲିସ ଚଢଉ କରି ତପନକୁ ଗିରଫ କରିବା ସହ ନକଲି ସାମଗ୍ରୀ ଜବତ କରିଥିଲା ।

ସେହିଭଳି ନୂଆବଜାର ହାଇସ୍କୁଲ ନିକଟରେ ଏକ ନକଲି ଘିଅ କାରଖାନା ଚାଲୁଥିବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚାଉଳିଆଗଂଜ ଥାନା ପକ୍ଷରୁ ଚଢଉ କରାଯାଇଥିଲା । ଚନ୍ଦନ ଦାସ ନାମକ ଜନୈକ ବ୍ୟକ୍ତି ଶ୍ରୀକୃଷ୍ଣ ଓ ଗୋପାଳ ବ୍ରାଣ୍ଡର ଷ୍ଟିକର ମାରି ଘିଅ ବିକ୍ରି କରୁଥିବାରୁ ବ୍ରାଣ୍ଡର ସତ୍ୱାଧିକାରୀଙ୍କ ଉପରେ ପୋଲିସ ଖୋଳତାଡ କରିଥିଲା । ହେଲେ ଚନ୍ଦନ କୈାଣସି ନିର୍ଦ୍ଦିଷ୍ଟ ତଥ୍ୟ ଦେଇପାରିନଥିବାରୁ ପୋଲିସ ତାକୁ ଗିରଫ କରି ତା\’ ଘରେ ଗଚ୍ଛିତ ରହିଥିବା ପ୍ରାୟ ୪ ଲକ୍ଷ ଟଙ୍କା ମୂଲ୍ୟର ଘିଅ ଜବତ କରିଥିଲା । ଏହି ନକଲି ଘିଅ ଓ ମସଲାଗୁଣ୍ଡ କାରବାରରେ ଆହୁରି ୪/୫ ଜଣ ବ୍ୟକ୍ତି ସଂପୃକ୍ତ ରହିଥିବା ବେଳେ ଖୂବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ଏହି ଚଢଉରେ ପୋଲିସ ସହିତ ସିଏମସିର ସ୍ୱାସ୍ଥ୍ୟ ଅଧିକାରୀ ଡା. ସତ୍ୟବ୍ରତ ମହାପାତ୍ର, ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରତୀକ୍ଷା ଦାସମହାପାତ୍ର, ସ୍କ୍ୱାଡ ଇନ୍ସପେକ୍ସଟର ଭଗବାନ ଲେଙ୍କା ପ୍ରମୁଖ ସାମିଲ ଥିଲେ ।

Spread the love