ଥଣ୍ଡର୍ସ ଡବ୍ଲ୍ୟୁବିବିଏଲ୍ ଚାମ୍ପିଅନ୍‌

ସିଡ୍‌ନୀ : ଏଠାରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ମେଲ୍‌ବୋର୍ଣ୍ଣ ଷ୍ଟାର୍ସକୁ ୭ ୱିକେଟ୍‌ରେ ହରାଇ ସିଡ୍‌ନୀ ଥଣ୍ଡର୍ସ ୫ ବର୍ଷ ପରେ ୨ୟ ଥର ପାଇଁ ମହିଳା ବିଗ୍ ବ୍ୟାଶ୍ ଲିଗ୍ (ଡବ୍ଲ୍ୟୁବିବିଏଲ୍‌)ରେ ଚାମ୍ପିଅନ୍ ହୋଇଛି । ୮୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛାକରି ଲିଗ୍‌ର ପ୍ରଥମ ସଂସ୍କରଣ (୨୦୧୫-୧୬) ଚାମ୍ପିଅନ୍ ସିଡ୍‌ନୀ ଥଣ୍ଡର୍ସ ୧୩.୪ ଓଭର୍‌ରେ ବିଜୟ ହାସଲ ସହିତ ସିଡ୍‌ନୀ ସିକ୍ସର ଓ ବ୍ରିସ୍‌ବେନ୍ ହିଟ୍ ସହ ଯୁଗ୍ମ ଭାବେ ଲିଗ୍‌ର ସର୍ବଶ୍ରେଷ୍ଠ ସଫଳ ଟିମ୍ ହୋଇପାରିଥିଲା । ୩ଟି ୱିକେଟ୍‌ର ପତନ ପରେ ହିଥର ନାଇଟ୍ (ଅପରାଜିତ ୨୬)ଙ୍କ ସହ ଯୋଗଦେଇ କ୍ୟାପ୍‌ଟେନ୍ ରାଚେଲ୍ ହେନ୍ସ (ଅପରାଜିତ ୨୧) ଦଳକୁ ବିଜୟୀ କରାଇଥିଲେ । ପ୍ରଥମେ ବ୍ୟାଟିଂ କରି ମେଲ୍‌ବୋର୍ଣ୍ଣ ଷ୍ଟାର୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୯ ୱିକେଟ୍ ହରାଇ ମାତ୍ର ୮୬ ରନ୍ କରିଥିଲା, ଯାହା ଲିଗ୍‌ର ଫାଇନାଲ୍‌ରେ ସର୍ବନିମ୍ନ ସ୍କୋର୍ ଥିଲା । ଥଣ୍ଡର୍ସର ସମସ୍ତ ୬ ବୋଲର୍ ୱିକେଟ୍ ହାସଲ କରିବାରେ ସଫଳ ହୋଇଥିଲେ । ସାଉଥ୍ ଆଫ୍ରିକା ଖେଳାଳି ଶବନିମ୍ ଇସ୍‌ମାଇଲ୍ ଷ୍ଟାର୍ସର ଦୁଇ ଓପ୍ନର୍‌ଙ୍କୁ ଆଉଟ୍ କରିବା ସହ ତାଙ୍କ ୪ ଓଭର ବୋଲିଂରେ ୧୬ଟି ଡଟ୍ ବଲ୍ ପକାଇଥିଲେ । ସେହିପରି ଅଷ୍ଟ୍ରେଲିଆର ସାମି-ଜୋ ଜନ୍‌ସନ୍ ମଧ୍ୟ ଦୁଇଟି ୱିକେଟ୍ ହାସଲ କରିଥିଲେ । ଇଂଲଣ୍ଡ ଭେଟେରାନ୍ କାଥେରିନ୍ ବ୍ରଣ୍ଟ୍ (୨୨) ଷ୍ଟାର୍ସ ପକ୍ଷରୁ ସର୍ବାଧିକ ସ୍କୋର୍ କରିଥିଲେ । ଏହି ମ୍ୟାଚ୍‌କୁ କ୍ଲେୟାର୍ ପୋଲୋସାକ୍ ଓ ଏଲେଇସ୍ ଶେରିଡାନ୍ ପରିଚାଳନା କରିଥିଲେ । ଅଷ୍ଟ୍ରେଲିଆରେ କୌଣସି ମେଜର ଡୋମେଷ୍ଟିକ୍ ଫାଇନାଲ୍ ମ୍ୟାଚ୍ ଦୁଇଜଣ ମହିଳା ଅମ୍ପାୟାର ପରିଚାଳନା କରିବା ଏହା ପ୍ରଥମ ।

Spread the love