ଡୋକ୍‌ଲାମ ନିକଟରେ ଚୀନର ବଙ୍କର ଠାବ

ଡୋକ୍‌ଲାମ : ସିକ୍କିମ ସଂଲଗ୍ନ ଡୋକ୍‌ଲାମ ଅଞ୍ଚଳରେ ଥିବା ନିୟନ୍ତ୍ରଣ ରେଖାର ମାତ୍ର ୭ କିମି ଦୂରରେ ଚୀନ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିବାକୁ ଏକାଧିକ ନୂଆ ବଙ୍କର ନିର୍ମାଣ କରୁଥିବାର ପ୍ରମାଣ ମିଳିଛି । ସୂଚନା ଯେ, ୨୦୧୭ରେ ଏହି ଅଞ୍ଚଳରେ ଉଭୟ ଚୀନ ଓ ଭାରତୀୟ ସେନା ପ୍ରାୟ ତିନି ମାସ ଧରି ମୁହାଁମୁହିଁ ଅବସ୍ଥାରେ ରହିଥିଲେ । ଏନଡିଟିଭିକୁ ପ୍ରାପ୍ତ ଏକ ସାଟେଲାଇଟ ଚିତ୍ରକୁ ଅନୁଧ୍ୟାନ କରିବାପରେ ପ୍ରତିରକ୍ଷା ବିଶେଷଜ୍ଞମାନେ ଚୀନର ଚକ୍ରାନ୍ତ ସମ୍ପର୍କରେ ନିଶ୍ଚିତ ହୋଇଛନ୍ତି । ଡୋକ୍‌ଲାମରେ ଯଦି ଭବିଷ୍ୟତରେ ପୁଣି ଥରେ ଭାରତୀୟ ସୈନ୍ୟଙ୍କ ସହ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୁଏ, ତେବେ ଏହି ବଙ୍କରରେ ଗଚ୍ଛିତ ଥିବା ଅସ୍ତ୍ରଶସ୍ତ୍ରକୁ ଚୀନ ସେନା ଅନାୟାସରେ ବ୍ୟବହାର କରିପାରିବେ ବୋଲି ଆଶଙ୍କା କରାଯାଉଛି । ଚୀନର ଏଭଳି ନିର୍ମାଣ କାର୍ଯ୍ୟ ଭାରତ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି । ନିକଟରେ ଭୁଟାନ ସୀମାରେ ଚୀନର ଏକ ଗ୍ରାମକୁ ଠାବ କରାଯିବାପରେ ସେମାନଙ୍କର ଏହି ଚିନ୍ତା ଦ୍ୱିଗୁଣିତ ହୋଇଛି । ୨୦୧୯ ଡିସେମ୍ବର ସୁଦ୍ଧା ଡୋକ୍‌ଲାମ ଅଞ୍ଚଳରେ ଚୀନ ପକ୍ଷରୁ କୌଣସି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବାର ପ୍ରମାଣ ମିଳିନଥିଲା ।

ତେବେ ଅକ୍ଟୋବର ୨୮ରେ ମିଳିଥିବା ଏହି ସାଟେଲାଇଟ ଚିତ୍ରରେ ଚୀନ ବଙ୍କର ନିର୍ମାଣ କାର୍ଯ୍ୟକୁ ଶେଷ କରିଥିବା ଜଣାପଡିଛି । ଚୀନ ସମ୍ଭବତଃ ଏହି ନବନିର୍ମିତ ବଙ୍କରଗୁଡିକରେ ଅସ୍ତ୍ରଶସ୍ତ୍ର ମହଜୁଦ ରଖିପାରେ ବୋଲି ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ତଥା ପ୍ରତିରକ୍ଷା ବିଶେଷଜ୍ଞ ଏଚ.ଏସ.ପନାଗ ଆଶଙ୍କା ବ୍ୟକ୍ତ କରିଛନ୍ତି । ଏହି ବଙ୍କରଗୁଡିକୁ ସଂଯୋଗ କରିବାକୁ ସିଞ୍ଚେ-ଲା-ପାସ୍ ନିକଟରେ ଚୀନ ତରଫରୁ କଂକ୍ରିଟ ରାସ୍ତା ନିର୍ମିତ ହୋଇସାରିଛି । ଭାରତର ଟାଣୁଆ ଆଭିମୁଖ୍ୟ ଓ ଆନ୍ତର୍ଜାତିକ ଚାପ ଫଳରେ ୨୦୧୭ରେ ଚୀନ ଡୋକ୍‌ଲାମରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲା । ତେବେ ଉକ୍ତ ଅଞ୍ଚଳରେ ନିଜର ସାମରିକ ଭିତ୍ତିଭୂମିକୁ ଅଧିକ ଦୃଢ କରିବାକୁ ଚୀନ ସେବେଠାରୁ ଦୀର୍ଘମିଆଦୀ ଯୋଜନା ଆରମ୍ଭ କରିଥିଲା । ଡୋକ୍‌ଲାମ ନିକଟସ୍ଥ ନିୟନ୍ତ୍ରଣ ରେଖା ଅପରପାଶ୍ୱର୍ରେ ଚୀନ ଏକାଧିକ ବିମାନଘାଟି ନିର୍ମାଣ କରିବା ସହ ବଙ୍କର ସ୍ଥାପନ କରିଛି । ଯୁଦ୍ଧ ପରିସ୍ଥିତି ଉପୁଜିଲେ, ଚୀନ ସେନା ଅନାୟାସରେ ଏହି ବିମାନଘାଟୀରୁ ଲଢୁଆ ଜେଟ୍ ସହାୟତାରେ ଭାରତୀୟ ଶିବିରକୁ ଟାର୍ଗେଟ କରିବା ସହ ବଙ୍କରରେ ଗଚ୍ଛିତ ବିପୁଳ ପରିମାଣର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରକୁ ଭାରତ ବିପକ୍ଷରେ ବ୍ୟବହାର କରିପାରିବ । ଚୀନର ଏସବୁ କାରସାଦିର ଉଚିତ ମୁକାବିଲା କରିବାକୁ ଭାରତ ମଧ୍ୟ ନିଜକୁ ସେଠାରେ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିସାରିଛି । ଗତ ଜୁନରେ ଲଦାଖସ୍ଥିତ ପୋଙ୍ଗ୍‌ୟାଙ୍ଗ୍ ହ୍ରଦ ନିକଟରେ ଭାରତୀୟ ଓ ଚୀନ ସେନା ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା । ଏଥିରେ ଏକାଧିକ ଯବାନ ମୃତାହତ ହୋଇଥିଲେ । ଯଦିଓ ଦୁଇ ଦେଶ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ଏକାଧିକ ଥର କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇସାରିଛି, ତଥାପି କୌଣସି ପକ୍ଷ ଏପର୍ଯ୍ୟନ୍ତ ସେଠାରୁ ପୂର୍ଣ୍ଣମାତ୍ରାରେ ସୈନ୍ୟ ପ୍ରତ୍ୟାହାର କରିନାହାନ୍ତି ।

Spread the love