ଡିସେମ୍ବରରୁ ନଡ୍ଡାଙ୍କର ୧୨୦ ଦିନିଆ ଦେଶ ଭ୍ରମଣ

  • ୨୦୨୪ ନିର୍ବାଚନ ଉପରେ ବିଜେପିର ଆଖି

ନୂଆଦିଲ୍ଲୀ : ଏବେ ଠାରୁ ବିଜେପି ଦେଶରେ ୨୦୨୪ ସାଧାରଣ ନିର୍ବାଚନ ଉପରେ ନଜର ପକାଇଲାଣି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଡିସେମ୍ବର ପ୍ରଥମ ସପ୍ତାହରେ ଦେଶ ଭ୍ରମଣରେ ବାହାରି ଦଳୀୟ ଭିତ୍ତିଭୂମି ସୁଦୃଢ କରିବା ସହ ଜନସାଧାରଣଙ୍କ ସହିତ ଦଳର ସମ୍ପର୍କ ବୃଦ୍ଧି କରିବାକୁ ଉଦ୍ୟମ କରିବେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସାଧାରଣ ସମ୍ପାଦକ ଅରୁଣ ସିଂ । ସେ କହିଛନ୍ତି, ଡିସେମ୍ବର ୫ରୁ ନଡ୍ଡା ତାଙ୍କର ଗସ୍ତ ଆରମ୍ଭ କରିବେ । ସେ ୧୨୦ ଦିନିଆ ଗସ୍ତ କରିବେ । ଏହି ଗସ୍ତ ସମୟରେ ନଡ୍ଡା ପ୍ରତ୍ୟେକ ରାଜ୍ୟ ଗସ୍ତ କରି ଦଳର ସାଂସଦ ଓ ବିଧାୟକମାନଙ୍କୁ ଭେଟିବା ସହ ସାଙ୍ଗଠନିକ କର୍ମକର୍ତ୍ତାମାନଙ୍କୁ ଭେଟି ଆଲୋଚନା କରିବେ । ଏପରିକି ତୃଣମୂଳ ସ୍ତରୀୟ କର୍ମୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇଁ ସେ ବୁଥ୍ ସ୍ତରୀୟ ବୈଠକ ମଧ୍ୟ କରିବାର ଯୋଜନା ରହିଛି । କେବଳ ସାଧାରଣ ନିର୍ବାଚନ ନୁହେଁ ଆସନ୍ତା ବର୍ଷ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଓ ଆସାମରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏଥିନେଇ ଦଳର ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ନଡ୍ଡା ସ୍ଥାନୀୟ ନେତାମାନଙ୍କ ସହ ଆଲୋଚନା କରିବେ । ବିଜେପିର ମେଣ୍ଟ ସହଯୋଗୀଙ୍କ ସହିତ ମଧ୍ୟ ଆଲୋଚନା କରାଯିବ ବୋଲି ଦଳର ସାଧାରଣ ସମ୍ପାଦକ ଅରୁଣ ସିଂ କହିଛନ୍ତି । ଉଲ୍ଲେଖଯୋଗ୍ୟ ନଡ୍ଡାଙ୍କ ପୂର୍ବରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହ । ସେ ତାଙ୍କ କାର୍ଯ୍ୟକାଳରେ ଦେଶବ୍ୟାପୀ ଗସ୍ତ କରି ବିଜେପିର ସଙ୍ଗଠନକୁ ମଜଭୂତ କରିବା ଦିଗରେ ବିହିତ ପଦକ୍ଷେପ ନେଇଥିଲେ । ଏପରିକି କେତେକ ରାଜ୍ୟରେ ବିଜେପିର ସଙ୍ଗଠନ ଦୁର୍ବଳ ଥିଲା ବେଳେ ଶାହ ତାଙ୍କ କାର୍ଯ୍ୟକାଳରେ ସେଗୁଡିକୁ ସୁଦୃଢ କରିପାରିଥିଲେ ବୋଲି ଅରୁଣ ସିଂ କହିଛନ୍ତି ।

Spread the love