ଟ୍ରେନିଂ ଆରମ୍ଭ କଲେ ରୋହିତ୍‌

ମୁମ୍ବାଇ : ଭାରତୀୟ ଦିନିକିଆ କ୍ରିକେଟ୍‌ ଦଳର ଉପଅଧିନାୟକ ରୋହିତ୍‌ ଶର୍ମା ଦୀର୍ଘ ଦିନର ବିରତି ପରେ ଶେଷରେ ଟ୍ରେନିଂ ଆରମ୍ଭ କରିଛନ୍ତି। କରୋନା ଭାଇରସ ଲାଗି ୩ ମାସ ହେବ ଭାରତରେ କୌଣସି ପ୍ରତିଦ୍ୱନ୍ଦିତାମୂଳକ ପ୍ରତିଯୋଗିତା ଆୟୋଜିତ ହେଉ ନ ଥିବାବେଳେ ଖେଳାଳିମାନେ କ୍ରିକେଟ୍‌ରୁ ପୁରା ଦୂରେଇ ରହିଛନ୍ତି। ତେବେ ଲକ୍‌ ଡାଉନ ନିୟମ କୋହଳ ହେବାପରେ କିଛି ଖେଳାଳି ଇତିମଧ୍ୟରେ ସେମାନଙ୍କ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ଏହିକ୍ରମରେ ରୋହିତ୍‌ ବୁଧବାର ସ୍ଥାନୀୟ ଏକ ପାର୍କକୁ ଯାଇ ସେଠାରେ ଟ୍ରେନିଂ ଆରମ୍ଭ କରିଛନ୍ତି। ଏହାର ଏକ ଫଟୋକୁ ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର ମଧ୍ୟ କରିଛନ୍ତି। ଯେଉଁଥିରେ ସେ ମୁହଁରେ ପାଣି ଢ଼ାଳୁଥିବାର ଦେଖିବାକୁ ମିଳିଛି। ‘ବହୁତ ଦିନପରେ ପାର୍କକୁ ଆସି କିଛି କାମ କରିଥିବାରୁ ଖୁସି ଅନୁଭବ କରୁଛି’ ବୋଲି ରୋହିତ ଏହି ଫଟୋରେ କ୍ୟାପସନ୍‌ ଲେଖିଛନ୍ତି। ଶେଷଥର ପାଇଁ ରୋହିତ ୨ ଫେବ୍ରୁୟାରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ରୋହିତ୍‌ଙ୍କ ପୂର୍ବରୁ ଅନ୍ୟତମ ଭାରତୀୟ ଖେଳାଳି ଚେତେଶ୍ୱର ପୂଜାରା ଓ ଇଶାନ୍ତ ଶର୍ମା ମଧ୍ୟ ନିକଟରେ ଟ୍ରେନିଂ ଆରମ୍ଭ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *