ଟେଷ୍ଟ୍ ସିରିଜ୍ ଖେଳିବେନି ରୋହିତ ଓ ଈଶାନ୍ତ!

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ଆଗାମୀ ଅଷ୍ଟ୍ରେଲିଆ ସିରିଜ୍‌ରେ ପ୍ରଥମେ ସୀମିତ ଓଭର ସିରିଜ୍ ଖେଳାଯିବ ଓ ଡିସେମ୍ବର ୧୭ ତାରିଖରୁ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଖେଳାଯିବ । ତେବେ ଏହି ସିରିଜ୍‌ର ସୀମିତ ଓଭର୍ ମ୍ୟାଚ୍‌ରେ ଖେଳିବା ସକାଶେ ଫିଟ୍ ନ ଥିବା ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଓ ପେସର୍ ଈଶାନ୍ତ ଶର୍ମା ଟେଷ୍ଟ୍ ସିରିଜ୍‌ରେ ଖେଳିବାର ଆଶା ରହିଛି । ତେବେ ଏହି ଦୁଇ ଖେଳାଳି ଏବେ ବି ଫିଟ୍ ହୋଇନାହାନ୍ତି ଓ ଏନସିଏରେ ରିହାବିଲିଟେସନ୍ ଚଳାଇଛନ୍ତି । କିନ୍ତୁ ଅଦ୍ୟାବଧି ଏହି ଦୁଇ ଖେଳାଳିଙ୍କ ଫିଟ୍‌ନେସ୍ ସ୍ତର କ\’ଣ ରହିଛି, ସେମାନଙ୍କ ଫିଟ୍‌ନେସରେ କ\’ଣ ଉନ୍ନତି ଘଟିଛି ଓ ସର୍ବୋପରି ସେମାନେ କେବେ ଅଷ୍ଟ୍ରେଲିଆ ଗସ୍ତରେ ଯିବେ, ସେଥିନେଇ ବିସିସିଆଇ ପକ୍ଷରୁ କୌଣସି ସଦ୍ୟ ସୂଚନା ଦିଆଯାଇନାହିଁ । ତେଣୁ ଏହି ଦୁଇ ଖେଳାଳି ଏବେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍ ସିରିଜ୍‌ରେ ଅଂଶଗ୍ରହଣ କରିବା ନେଇ ଆଶଙ୍କା ବଢ଼ିଛି । ବିଶେଷକରି ଗତ ରବିବାର ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ଅତି କମ୍‌ରେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାର ନିୟମ ଥିବାରୁ ରୋହିତ ଓ ଈଶାନ୍ତ ସର୍ବାଧିକ ବୁଧବାର ସୁଦ୍ଧା ଭାରତ ଛାଡ଼ିବାର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ । ଅଦ୍ୟାବଧି ବିସିସିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିବାରୁ ଏହି ଦୁଇ ଖେଳାଳି ଶାସ୍ତ୍ରୀଙ୍କ କହିବାନୁସାରେ, ବୁଧବାର ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିବା ଆଦୌ ସମ୍ଭବ ନୁହେଁ ବୋଲି ମନେ ହେଉଛି । ସେହିପରି ନିକଟରେ ଏନସିଏର ବିଶେଷଜ୍ଞ ଟିମ୍ ଉଭୟ ଖେଳାଳିଙ୍କ ଫିଟ୍‌ନେସ୍ ନେଇ ଆଲୋଚନା କରିଥିବା ବେଳେ ସେମାନେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍ ସିରିଜ୍ ପାଇଁ ଫିଟ୍ ହୋଇପାରିବେ ନାହିଁ ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି । ଉଭୟଙ୍କ ଫିଟ୍‌ନେସ୍ ସ୍ତର ସମ୍ପର୍କରେ ଏନସିଏ ବିଶେଷଜ୍ଞ ଟିମ୍ ଖୁବଶୀଘ୍ର ବିସିସିଆଇ, ଚୟନ କମିଟି ସଦସ୍ୟ ଓ ଟିମ୍ ମ୍ୟାନେଜମେଣ୍ଟ୍‌କୁ ଅବଗତ କରାଇବେ । ସେହିପରି ଏହି ଦୁଇ ଖେଳାଳି ସମ୍ପୂର୍ଣ୍ଣ ଭାବେ ଫିଟ୍ ନ ହେଲେ ସେମାନଙ୍କର ଅଷ୍ଟ୍ରେଲିଆ ଗସ୍ତର ସମ୍ଭାବନା ନାହିଁ ବୋଲି ଅଷ୍ଟ୍ରେଲିଆରେ ଥିବା ଟିମ୍ ଇଣ୍ଡିଆର ସଦସ୍ୟମାନଙ୍କୁ ସୂଚନା ଦିଆଯାଇଛି । ଆଇପିଏଲ୍‌ରେ ବାୟୋ ବବଲ୍ ପରିବେଶରେ ଥିବାରୁ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ପରେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିଥିଲେ ବି ଅଭ୍ୟାସର ସୁଯୋଗ ମିଳିଥିଲା । କିନ୍ତୁ ଈଶାନ୍ତ ଓ ରୋହିତଙ୍କ କ୍ଷେତ୍ରରେ ତାହା ସମ୍ଭବପର ହେବ ନାହିଁ । ତେଣୁ ଏହି ଦୁଇ ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାର ସମ୍ଭାବନା କ୍ରମଶଃ କମିଯାଉଛି ବୋଲି କହିଲେ ଭୁଲ୍ ହେବ ନାହିଁ ।

Spread the love