ଜୁଲାଇ ୧ରୁ ଟ୍ରେନିଂ ଆରମ୍ଭ କରିବ ବିଏଆଇ

ନୂଆଦିଲ୍ଲୀ : ଜୁଲାଇ ୧ ତାରିଖରୁ ହାଇଦ୍ରାବାଦ୍‌ରେ ଟ୍ରେନିଂ ଆରମ୍ଭ କରିବାକୁ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବିଏଆଇ) ଯୋଜନା କରିଛି। ତେବେ ଏଥିପାଇଁ ରାଜ୍ୟ ସରକାରକଙ୍କ ଅନୁମିତ ଆବଶ୍ୟକ। ଯଦି ସବୁକିଛି ଠିକ୍‌ଠାକ ଚାଲେ ତା’ହେଲେ ଅଲିମ୍ପିକ୍‌ ରୌପ୍ୟପଦକ ବିଜୟିନୀ ପି.ଭି. ସିନ୍ଧୁ ଦୀର୍ଘ ୪ ମାସ ପରେ କୋର୍ଟରେ ଅଭ୍ୟାସ କରିବାର ସୁଯୋଗ ପାଇବେ।ବେଙ୍ଗଲୁରୁସ୍ଥିତ ପ୍ରକାଶ ପାଡୁକନ୍‌ ବ୍ୟାଡ୍‌ମିଣ୍ଟନ ଏକାଡେମୀ (ପିପିବଏ)ରେ କେତେକ ଖେଳଳି ଅଭ୍ୟାସ ଆରମ୍ଭ କରିସାରିଛନ୍ତି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ନୂଆ ନିର୍ଦ୍ଦେଶନାମା ଜାରି କରିବା ପରେ ଗତ ମାସରୁ ଟ୍ରେନିଂ ଆରମ୍ଭ କରାଯାଇଛି। କିନ୍ତୁ ହାଇଦ୍ରାବାଦ୍‌ରେ ରହୁଥିବା ଖେଳାଳିମାନେ ଟ୍ରେନିଂରୁ ଏପର୍ଯ୍ୟନ୍ତ ବଞ୍ଚିତ ହୋଇଛନ୍ତି। କୋଭିଡ୍‌-୧୯ ମହାମାରୀ ପାଇଁ ତେଲେଙ୍ଗାନା ସରକାର ଲକ୍‌ଡାଉନ୍‌ ଅବଧିକୁ ଜୁନ୍‌ ୩୦ ତାରିଖର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଫଳରେ ଖେଳାଳିମାନଙ୍କ ଟ୍ରେନିଂ ଆହୁରି ବିଳମ୍ବିତ ହୋଇଛି। ସରକାର ଅନୁମତି ଦେଲେ ଆମେ ୧ ତାରିଖରୁ ହାଇଦ୍ରାବାଦ୍‌ରେ ଟ୍ରେନିଂ ଆରମ୍ଭ କରିବୁ ବୋଲି ବିଏଆଇ ସମ୍ପାଦକ ଅଜୟ ସିଙ୍ଘାଣିଆ କହିଛନ୍ତି। ସେପ୍ଟେମ୍ବର ପର୍ଯ୍ୟନ୍ତ କୌଣସି ଘରୋଇ ଟୁର୍ନାମେଣ୍ଟ ଆୟୋଜନ ହେବନାହିଁ ବୋଲି ବିଏଆଇ ତରଫରୁ ସ୍ପଷ୍ଟ କରାଯାଇଛି। ସବୁରାଜ୍ୟର ସମ୍ପାଦକମାନଙ୍କ ସହ ଆଲୋଚନା କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି। ମାର୍ଚ୍ଚରେ ସିନିୟର ନ୍ୟାଶନାଲ ଚାମ୍ପିୟନଶିପ୍‌କୁ ମହମାରୀ କାରଣରୁ ସ୍ଥଗିତ ରଖାଯାଇଥିଲା। ସେପ୍ଟେମ୍ବରରେ ମହାମାରୀ ନେଇ ତର୍ଜମା କରାଯିବ। ଫେବୃୟାରୀରେ ବିଏଆଇ ଏକାଧିକ ବର୍ଗର ଘରୋଇ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଘୋଷଣା କରିଥିଲା। ଏହାର ପୁରସ୍କାର ରାଶି ୨ କୋଟି ଟଙ୍କା ରଖାଯାଇଥିଲା। ଚଳିତ ବର୍ଷ ଦେଶରେ ଆୟୋଜିତ ହେବାକୁ ଥିବା ୪ଟି ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରୁ ଏପର୍ଯ୍ୟନ୍ତ ୨ଟି ବାତିଲ ହୋଇଛି।

Spread the love

Leave a Reply

Your email address will not be published. Required fields are marked *