ଚେଜ୍ ପାଇଁ ଧୋନିଙ୍କ ପରି ବ୍ୟାଟ୍ସମ୍ୟାନ୍ ଦରକାର: ହୋଲ୍‌ଡିଂ

ଜାମାଇକା : ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଭାରତର ଶୋଚନୀୟ ପରାଜୟ ପରେ ମତ ଦେବାକୁ ଯାଇ ୱେଷ୍ଟ୍‌ଇଣ୍ଡିଜ୍‌ର କିମ୍ବଦନ୍ତୀ ପେସର୍ ମାଇକେଲ୍ ହୋଲ୍‌ଡିଂ ଟିମ୍ ଇଣ୍ଡିଆ ମହେନ୍ଦ୍ର ସିଂ ଧୋନିଙ୍କୁ ମିସ୍ କରୁଛି ବୋଲି କହିଛନ୍ତି । ବିଶାଳ ଟାର୍ଗେଟ୍‌ର ପିଛା କରିବା ଟିମ୍ ଇଣ୍ଡିଆ ପାଇଁ ନିଶ୍ଚିତ ଭାବେ କଷ୍ଟସାଧ୍ୟ ଥିଲା । ତେବେ ଭାରତୀୟ ଦଳ ଧୋନିଙ୍କ ଉତ୍ତମ ବୁଝାମଣା ଓ ସ୍ଥିରଚିତ୍ତ ମନୋଭାବକୁ ନିଶ୍ଚିତ ଭାବେ ମିସ୍ କରୁଛି । ବିଗତ ଦିନରେ ଧୋନି ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ସ୍ଥିତିକୁ ନିୟନ୍ତ୍ରଣ କରିପାରୁଥିଲେ । ଏବେ ବି ଭାରତୀୟ ଦଳରେ ଅନେକ ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନ୍ ଅଛନ୍ତି । ଶୁକ୍ରବାର ହାର୍ଦ୍ଦିକ ପାଣ୍ଡ୍ୟା ଏକ ଚମତ୍କାର ଇନିଂସ ଖେଳିଛନ୍ତି । କିନ୍ତୁ ଟିମ୍‌ରେ ଧୋନିଙ୍କ ପରି ଖେଳାଳିଙ୍କର ଆବଶ୍ୟକତା ରହିଛି । ପୂର୍ବରୁ ଟିମ୍ ଇଣ୍ଡିଆ ନିଦ୍ୱର୍ନ୍ଦ୍ୱରେ ଟସ୍ ଜିତି ଟାର୍ଗେଟର ପିଛା କରିବାକୁ ପସନ୍ଦ କରୁଥିଲା । ଏହା କେବଳ ଧୋନିଙ୍କ ଭରସାରେ କରାଯାଉଥିଲା । ଟାର୍ଗେଟ୍ ଚେଜ୍ କରିବା ବେଳେ ଧୋନି କଦାପି ବ୍ୟତିବ୍ୟସ୍ତ ହୋଇପଡ଼ୁନଥିଲେ । କାରଣ ଧୋନି ତାଙ୍କର ଦକ୍ଷତା ସମ୍ପର୍କରେ ପୂରାପୂରି ଅବଗତ ଥିଲେ ବୋଲି ହୋଲ୍‌ଡିଂ କହିଛନ୍ତି । ସେହିପରି ପ୍ରଥମ ମ୍ୟାଚ୍‌ରେ ଦୁର୍ବଳ ଫିଲ୍‌ଡିଂ କାରଣରୁ ୪ଟି କ୍ୟାଚ୍ ଓ ଗୋଟିଏ ରନ୍‌ଆଉଟ୍ ସୁଯୋଗ ହାତଛଡ଼ା କରିଥିବାରୁ ହୋଲ୍‌ଡିଂ ଭାରତୀୟ ଖେଳାଳିଙ୍କୁ ସମାଲୋଚନା କରିଛନ୍ତି ।

Spread the love