ଚାନୁ ପାଇବେ ଅଜୁର୍ନ ପୁରସ୍କାର

ନୂଆଦିଲ୍ଲୀ : ଭାରୋତ୍ତୋଳିକା ସଞ୍ଜିତା ଚାନୁ ଶେଷରେ ୨୦୧୮ ପାଇଁ ସମ୍ମାନଜନକ ଅର୍ଜୁନ ପୁରସ୍କାର ହାସଲ କରିବା ନିଶ୍ଚିତ ହୋଇଛି। ୨ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ଜିତିଥିବା ଚାନୁଙ୍କୁ ୨୦୧୮ଠାରୁ ଏହି ପୁରସ୍କାର ପ୍ରଦାନ କରାଯିବା ନେଇ ରୋକ ଲଗାଯାଇଥିଲା। ତେବେ ତାଙ୍କୁ ୨୦୧୮ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏବେ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ ବୋଲି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ସୂତ୍ରରୁ ସୂଚନା ଦିଆଯାଇଛି। ଚାନୁ ଡୋପିଂ ଅଭିଯୋଗରୁ ମୁକ୍ତ ହେଲେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବା ନେଇ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। କୋର୍ଟଙ୍କ ଏହି ରାୟକୁ ସିଲ୍‌ ବନ୍ଦ ଲଫାପାରେ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପୁଣି ଏହି ଲଫାପାକୁ ଚାନୁ ଡୋପିଂ ଅଭିଯୋଗରୁ ମୁକ୍ତ ହେବା ସ୍ଥିତିରେ ଖେଳାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ଚାନୁଙ୍କୁ ଅନ୍ତର୍ଜାତୀୟ ଫେଡେରେଶନ ଡୋପିଂ ଅଭିଯୋଗରୁ ମୁକ୍ତ କରିଥିଲା। ଫଳରେ ଆମକୁ ଏବେ କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ଓ ଅର୍ଜୁନ ପୁରସ୍କାର ପାଇଁ ତାଙ୍କ ନାମ ବିଚାର କରିବାକୁ ହେବ ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ଉଲ୍ଲେଖଥାଉ କି, ୨୦୧୭ରେ ଚାନୁ ଅର୍ଜୁନ ପୁରସ୍କାର ପାଇଁ ଅଣଦେଖାର ଶିକାର ହେଉଥିବା ନେଇ ହାଇକୋର୍ଟରେ ରିଟ୍‌ ପିଟିଶନ ଦାଖଲ କରିଥିଲେ। ତେବେ ଇତିମଧ୍ୟରେ ସେ ୨୦୧୮ ମେ’ରେ ନିଷିଦ୍ଧ ପଦାର୍ଥ ସେବନ ପାଇଁ ବାସନ୍ଦର ସମ୍ମୁଖୀନ ହୋଇଥିଲେ। ଗତ ବର୍ଷ ଅଗଷ୍ଟରେ ହାଇକୋର୍ଟ ଅର୍ଜୁନ ପୁରସ୍କାର ଚୟନ କମିଟିକୁ ଚାନୁଙ୍କ ନାମକୁ ବିଚାରକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ ଓ ନିଜର ରାୟକୁ ସଂରକ୍ଷିତ ରଖିଥିଲେ। ଚାନୁଙ୍କ ନମୁନାକୁ ଠିକ୍‌ଭାବେ ହ୍ୟାଣ୍ଡଲ କରା ନ ଯିବା କାରଣରୁ ଅନ୍ତର୍ଜାତୀୟ ଭାରୋତ୍ତୋଳନ ଫେଡେରେଶନ (ଆଇଡବ୍ଲ୍ୟୁଏଫ୍‌) ତାଙ୍କୁ ସବୁ ଅଭିଯୋଗରୁ ମୁକ୍ତ କରିଥିଲା। ଚାନୁ ଏବେ ଆଇଡବ୍ଲ୍ୟୁଏଫ୍‌ଠାରୁ କ୍ଷତିପୂରଣ ଦାବି କରିଛନ୍ତି। ଇତିମଧ୍ୟରେ ଚାନୁ ୨୦୧୮ ପାଇଁ ଅର୍ଜୁନ ପୁରସ୍କାର ହାସଲ କରିବେ ବୋଲି ଭାରତୀୟ ଭାରୋତ୍ତୋଳନ ଫେଡେରେଶନ ସମ୍ପାଦକ ସ୍ପଷ୍ଟ କରିଛନ୍ତି। ୨୬ ବର୍ଷୀୟ ଚାନୁ ୨୦୧୪ ଓ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଯଥାକ୍ରମେ ୪୮ ଓ ୫୩ କେ.ଜି. ବର୍ଗରେ କ୍ରମାଗତ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୦୧୬ ଓ ୨୦୧୭ରେ ସେ ଅର୍ଜୁନ ପରୁସ୍କାର ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଅଣଦେଖା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *