କୌଣସି ଜନ ବିରୋଧୀ କାର୍ଯ୍ୟ କରିନି : ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର :  ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହେବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ସେ କୌଣସି ଜନ ବିରୋଧୀ କାର୍ଯ୍ୟ କରି ନାହାନ୍ତି । ସେ କେଉଁ ଜନ ବିରୋଧୀ କାର୍ଯ୍ୟ କରିଛନ୍ତିଦଳ ସ୍ପଷ୍ଟୀକରଣ ଦେଉ । ଅପରପକ୍ଷରେ ଜନବିରୋଧୀର ସଂଜ୍ଞା କଣ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ । ଆମକୁ ବହିଷ୍କାର କଷ୍ଟ ଦେଇନି, ହେଲେ ଜନବିରୋଧୀ ଆକ୍ଷେପ କଷ୍ଟ ଦେଇଛି ବୋଲି କହିଛନ୍ତି ପ୍ରଦୀପଙ୍କ ପତ୍ନୀ । ଜନବିରୋଧୀ କାର୍ଯ୍ୟ କଣ ତାର ତଥ୍ୟ ବିଜେଡି ଦେବା ପାଇଁ ଆମେ ଦାବି କରୁଛୁ ବୋଲି ତାଙ୍କ ପତ୍ନୀ କହିଛନ୍ତି । ଆମେ କିଛି ଭୁଲ୍ କରିନୁ ଆମେ ଡରିବାର ଲୋକ ନୁହଁ ବୋଲି କହିଛନ୍ତି ପ୍ରଦୀପଙ୍କ ପତ୍ନୀ । ସାମ୍ବାଦିକମାନଙ୍କୁ ସେ କହିଛନ୍ତି ଯେ ନିର୍ବାଚନ ବେଳେ୧୫ଟି ବିଧାନସଭା ଆସନ ଦାୟିତ୍ୱରେ ଥିଲି, ୧୨ଟିରେ ଜିତାଇଲି । ଦଳର ପ୍ରାର୍ଥୀମାନଙ୍କୁ ପାଣ୍ଠି ମୋ ଜରିଆରେ ପ୍ରଦାନ କରାଯାଇଛି । ଯଦି କିଛି ତ୍ରୁଟି ରହିଛି, ତାହାର ପ୍ରମାଣ ଦିଅନ୍ତୁ । ଗଞ୍ଜାମ ଜିଲ୍ଲାରୁ ବାଲି, ମୋରମ ଚାଲାଣ ପ୍ରସଙ୍ଗ ଉଠାଇଥିଲି । କୌଣସି ବାଲି ମାଫିଆ ଠାରୁ ମୁଁ ଟଙ୍କା ନେଇନି । ଯଦି ନେଇଛି ତାହାଲେ ପ୍ରମାଣ ଦିଅନ୍ତୁ । ଜିଲ୍ଲାରେ ୮୦ଟି ମଦ ଦୋକାନ ରହିଛି, ସେମାନଙ୍କ ଠାରୁ ମଧ୍ୟ କିଛି ନେଇନାହିଁ । ଯଦି ସେଭଳି କିଛି ଥାଏ ମୋର ବ୍ୟକ୍ତିଗତ ସଂପତି କେତେ ଆକଳନ କରାଯାଉ । ଭାବୀ ଜ୍ୱାଇଁ ଆକାଶ ପାଠକଙ୍କୁ ନେଇ ସେ କହିଛନ୍ତି ଯେ ଆକାଶ ଆଇଟିଆରର ଛାତ୍ର, ରୋମାନିଆରେ କାମ କରୁଥିଲେ । ମା’ଙ୍କ ଅସୁସ୍ଥତା ଯୋଗୁଁ ଓଡ଼ିଶା ଫେରି ଆସିଥିଲେ । ୨୦୧୬ରେ ଜିମେଟ୍‌ରେ ସବୁଠୁ ଅଧିକ ନମ୍ବର ରଖିଥିଲେ । ଏହାପରେ ଟାଟା ଗ୍ରୁପ୍ କୁ ମନୋନୀତ ହୋଇଥିଲେ । କଂପାନୀ ତରଫରୁ ଆକାଶଙ୍କୁ ଚାର୍ଟର ପାଇଁ ଅନୁମତି ରହିଛି । ଆକାଶଙ୍କ ବାପା ଅଭୟକାନ୍ତ ପାଠକ ରାଜ୍ୟର ଜଣେ ଦକ୍ଷ ଅଫିସର । କିନ୍ତୁ ଅଭୟକାନ୍ତଙ୍କୁ ସରକାରୀ କ୍ୱାର୍ଟର୍ସ ଦିଆଯାଇ ନଥିଲା । ସେ ଆହୁରି କହିଛନ୍ତି ଯେ ଦଳରେ ଉଚ୍ଚସ୍ତରରେ ଥିବା ନେତାଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନପାରିବା କି କଥା ପହଂଚାଇ ନପାରିବା ଅସନ୍ତୋଷର ମୁଖ୍ୟ କାରଣ । କେବଳ ମୁଖ୍ୟମନ୍ତ୍ରୀଙ୍କ ଭଲ ପାଇବା ଓ ଶ୍ରଦ୍ଧା ଯୋଗୁଁ ସମସ୍ତେ ଚୁପ୍ ଅଛନ୍ତି । ଡିସିପ୍ଲିନ୍‌, ଷ୍ଟାବିଲିଟି ଓ ଗ୍ରୋଥ୍ ନବୀନଙ୍କ ୩ଟି ଭଲ ଗୁଣ । ଅପରପକ୍ଷରେ ଚିଠି ଲେଖିବା ଯୋଗୁଁ ଭୋଗିଲି ବୋଲି ପ୍ରଦୀପ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଖକୁ କଥା ନ ପହଂଚିବାରୁ ମାଇଗ୍ରେସନ ଓ କୋଭିଡ୍ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲି । ସୁରଟ, ଚେନ୍ନାଇରୁ ପାଇଥିବା ଅନୁଭୂତି ଲେଖି ଜଣାଇଥିଲି । ସେମାନେ ଓଡ଼ିଶା ଫେରିବାକୁ ଚାହୁଁଥିବାରୁ ଲେଖି ଜଣାଇଥିଲି । ମାତ୍ର ସେତେବେଳେ ରାଜ୍ୟ ସରକାର ପ୍ରବାସୀଙ୍କୁ ଆଣିବାକୁ ଅମଙ୍ଗ ହୋଇଥିଲେ । ଏସବୁ ଚିଠି ଲେଖିବାର ଦଶା ଆଜି ଭୋଗୁଛି । ଆଜିର ଘଟଣା ପରେ ଭୟରେ ମୋ ସହ କେହି କଥା ହେବେନି । ଦଳରେ ମୋର ଅନେକ ମିତ୍ର ଅଛନ୍ତି କିନ୍ତୁ ଭୟରେ କେହି ଫୋନ୍ କରିବେନି ବୋଲି ସେ କହିଛନ୍ତି ।

ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁରର ଦଳୀୟ ବିଧାୟକ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜୁ ଜନତା ଦଳ ପକ୍ଷରୁ ଜନ ବିରୋଧୀ କାର୍ଯ କରିଥିବା ଅଭିଯୋଗରେ ଦଳରୁ ବହିଷ୍କାର କରା ଯାଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ଦଳ ପକ୍ଷରୁ ମହା ସଚିବ ମାନସ ମଙ୍ଗରାଜ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି । ତେବେ କେଉଁ ଜନ ବିରୋଧୀ କାମ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରା ଯାଇଛି ସେ ନେଇ ବିଜ୍ଞପ୍ତିରେ କୌଣସି ସୂଚନା ଦିଆ ଯାଇ ନାହିଁ । ଉଲ୍ଲେଖନୀୟ ଯେ ଆଇଏଫ୍‌ଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କ ସହ ସଂପର୍କକୁ ନେଇ ପ୍ରଦୀପ ପାଣିଗ୍ରାହୀ ବିବାଦକୁ ଆସିଥିଲେ ।

Spread the love