କୋହଲିଙ୍କ ପିତୃତ୍ୱ ଛୁଟି ପ୍ରସଙ୍ଗ; ବ୍ୟାବସାୟିକ ଭାବେ କ୍ଷତିଗ୍ରସ୍ତ ହେବ ନାହିଁ : ହକ୍‌ଲେ

ସିଡ୍‌ନୀ : ସମ୍ପ୍ରତି ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ସୀମିତ ଓଭର୍ ସିରିଜ୍ ଖେଳିବା ସହ ଡିସେମ୍ବର ୧୭ରୁ ଆଡିଲେଡରେ ଖେଳାଯିବାକୁ ଥିବା ପ୍ରଥମ ଦିବାରାତ୍ର ଟେଷ୍ଟ୍ ପରେ ସ୍ୱଦେଶ ଫେରିବେ । ପତ୍ନୀ ଅନୁଷ୍କା ଶର୍ମା ଗର୍ଭବତୀ ଥିବାରୁ କୋହଲିଙ୍କୁ ବିସିସିଆଇ ପିତୃତ୍ୱ ଛୁଟି ମଧ୍ୟ ଦେଇସାରିଛି । କୋହଲିଙ୍କ ଏପରି ନିଷ୍ପତ୍ତିକୁ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ଅନ୍ତରୀଣ ମୁଖ୍ୟ କାର୍ଯ୍ୟନିର୍ବାହୀ ନିକ୍ ହକଲେ ସ୍ୱାଗତ କରିଛନ୍ତି । ସେହିପରି କୋହଲି ଟେଷ୍ଟ୍ ସିରିଜ୍‌ର ଶେଷ ୩ଟି ମ୍ୟାଚ୍‌ରେ ଅନୁପସ୍ଥିତ ରହିଲେ ମଧ୍ୟ ଏହା ସିରିଜ୍‌ର ରୋମାଞ୍ଚ କମାଇବ ନାହିଁ କି ସିଏ ବ୍ୟାବସାୟିକ ଭାବେ କ୍ଷତିଗ୍ରସ୍ତ ହେବ ନାହିଁ ବୋଲି ହକ୍‌ଲେ କହିଛନ୍ତି । ସେ କହିଛନ୍ତି ଯେ ଭାରତ-ଅଷ୍ଟ୍ରେଲିଆ ସିରିଜ୍ ବିଶ୍ୱ କ୍ରିକେଟ୍ ସହ ଅଷ୍ଟ୍ରେଲୀୟ କ୍ରିକେଟ୍ ଜଗତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ବିଶେଷକରି କୋଭିଡ୍ ପରବର୍ତ୍ତୀ ସ୍ଥିତିରେ କ୍ରିକେଟ୍ ସିରିଜ୍ ବି ସୁରକ୍ଷିତ ଭାବେ ଆୟୋଜିତ କରାଯାଇପାରେ, ତାହା ସିଏ ପ୍ରମାଣିତ କରିଛି । ବାୟୋ ବବଲ୍ ପରିବେଶ ମଧ୍ୟରେ ସିରିଜଟି ସମସ୍ତ କୋଭିଡ୍ ନିୟମ ପରିପାଳନ ପୂର୍ବକ ସୁରକ୍ଷିତ ଭାବେ ଆୟୋଜିତ ହେବ । ଷ୍ଟାଡିୟମ୍‌ରେ ଯଥେଷ୍ଟ ମାତ୍ରାରେ ଦର୍ଶକ ମ୍ୟାଚ୍ ଉପଭୋଗ ମଧ୍ୟ କରିପାରିବେ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ସହଯୋଗରେ ସଂକ୍ରମଣକୁ ରୋକିପାରିବୁ ବୋଲି ହକ୍‌ଲେ କହିଛନ୍ତି ।

Spread the love