କୋଭିଡ଼ ସଂକ୍ରମଣ ପ୍ରସଙ୍ଗ; ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ସ୍ଥିତି ବିଗିଡ଼ିବା ଏବଂ ଡିସେମ୍ବର ମାସରେ ଦିଲ୍ଲୀ ସମେତ ୧୮ଟି ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ଆସୁଥିବାର ଦେଖି ସୋମବାର ଉଚ୍ଚତମ ନ୍ୟାୟାଳୟ ସବୁ ରାଜ୍ୟକୁ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁଇଦିନ ମଧ୍ୟରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟ ଗୁଡିକ ରିପୋର୍ଟ ଦାଖଲ କରିବେ । କୋଭିଡ-୧୯ ନିୟନ୍ତ୍ରଣ ଲାଗି ରାଜ୍ୟ ସରକାରମାନେ କି କି ପଦକ୍ଷେପ ନେଇଛନ୍ତି ଏବଂ କେଉଁ ପଦକ୍ଷେପ ନେବାକୁ ଯୋଜନା କରିଛନ୍ତି ତାହା ଜଣାଇବାକୁ ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ନଭେମ୍ବର କାଳୀପୂଜା ପୂର୍ବରୁ କୋଭିଡ୍ ୧୯ ସଂକ୍ରମଣ ବୃଦ୍ଧି ପାଇବା ଓ ଡିସେମ୍ବର ମାସରେ ପରିସ୍ଥିତି ସଂଗୀନ ହେବା ସମ୍ପର୍କରେ ଜଣାପଡିବା ପରେ ଦିଲ୍ଲୀ, ମହାରାଷ୍ଟ୍ର, ଗୁଜୁରାଟ, ଆସାମ ସରକାରଙ୍କ ଠାରୁ ଅଦାଲତ ସଦ୍ୟତମ ସ୍ଥିତି ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି । ବିଚାରପତି ଜଷ୍ଟିସ୍ ଅଶୋକ ଭୂଷଣଙ୍କ ନେତୃତ୍ୱରେ ତିନିଜଣିଆ ଖଣ୍ଡପୀଠ ଗୁଜୁରାଟ ଓ ଦିଲ୍ଲୀ ସରକାରଙ୍କୁ ପରିସ୍ଥିତି ଖରାପ ହେଉଥିବାରୁ କଡାଦାଗିଦ୍ କରିଛନ୍ତି । ଅପର ପକ୍ଷରେ ଆଗାମୀ ମଙ୍ଗଳବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୪ଟି ରାଜ୍ୟସରକାରଙ୍କ ସହ କୋଭିଡ୍ ସମ୍ପର୍କରେ ଆଲୋଚନା କରିବାକୁ ନିଷ୍ପତି ନେଇଛନ୍ତି । ଦେଶରେ ଏବେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ବିଭିନ୍ନ ରାଜ୍ୟରେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନାହିଁ । ଆଗାମୀ ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ୪ଟି କମ୍ପାନୀ ଟିକା ପ୍ରସ୍ତୁତ କରିବେ ବୋଲି କୁହାଯାଉଛି । ତେବେ ଆମେରିକାରେ ଦୁଇଟି କମ୍ପାନୀ ଡିସେମ୍ବର ୧୦ତାରିଖରେ ଲୋକଙ୍କୁ ଟିକା ଦେବ ବୋଲି ଜଣାପଡିଛି ।

Spread the love