କୋଭିସିଲ୍ଡ ୯୦% ଫଳପ୍ରଦ; ଡିସେମ୍ବର ସୁଦ୍ଧା ୧୦ କୋଟି ଡୋଜ୍ ପ୍ରସ୍ତୁତ କରିବାକୁ ସେରମ୍‌ର ଲକ୍ଷ୍ୟ

ନୂଆଦିଲ୍ଲୀ : କରୋନା ଟିକା ପ୍ରସ୍ତୁତି ସମ୍ପର୍କରେ ଏକ ଖୁସି ଖବର । ଅକ୍ସଫୋର୍ଡ / ଆଷ୍ଟ୍ରାଜେନିକା କରୋନା ଟିକା କୋଭିସିଲ୍ଡ ୯୦ ପ୍ରତିଶତ ଫଳପ୍ରଦ ବୋଲି ଜଣାପଡିଛି । ଅକ୍ସଫୋର୍ଡ / ଆଷ୍ଟ୍ରାଜେନିକା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ଭାରତରେ ଏହି ଟିକା ପ୍ରସ୍ତୁତ କରୁଥିବା ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌ର ମୁଖ୍ୟ ଅଦର ପୁନାୱାଲା କହିଛନ୍ତି, ଖୁବ୍ ଶସ୍ତାରେ ପ୍ରସ୍ତୁତ ହେଉଥିବା ଏହି ଟିକା ଖୁବ୍ ଶୀଘ୍ର ବ୍ୟାପକ ଭାବେ ଉପଲବ୍ଧ ହେବ । ସେ ଟ୍ୱିଟ୍ କରି କହିଛନ୍ତି, କୋଭିସିଲ୍ଡ ଟିକା ଦ୍ୱାରା ୯୦ ପ୍ରତିଶତ ସୁରକ୍ଷା ମିଳିବ । ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ବିକଶିତ ହୋଇଥିବା ଏହି ଟିକା କୋଭିଡ୍ ମହାମାରୀ ସଂକ୍ରମଣରୁ ରକ୍ଷା କରିବାରେ ବେଶ୍ ପ୍ରଭାବଶାଳୀ ହୋଇଥିବା ପ୍ରମାଣିତ ହୋଇଛି । ଏହି ଟିକା ଅଧାଡୋଜ୍ ଭାବରେ ବ୍ୟବହାର କରାଯିବ ଏବଂ ଅନ୍ତତଃପକ୍ଷେ ୧ ମାସ ବ୍ୟବଧାନରେ ପୂର୍ଣ୍ଣ ଡୋଜ୍ ଆକାରରେ ବ୍ୟବହାର କରାଯିବ । ବ୍ରିଟେନ ଓ ବ୍ରାଜିଲରେ ପରୀକ୍ଷଣ ହୋଇଥିବା ଟିକା (ଏଜେଡ୍‌ଡି ୧୨୨୨)ବେଶ୍ ଫଳପ୍ରଦ ହୋଇଛି । ଉଲ୍ଲେଖଯୋଗ୍ୟ ଆମେରିକାରେ ଡିସେମ୍ବର ୧୧ ରୁ ଟିକା ପ୍ରଦାନ ବ୍ୟବସ୍ଥା ଆରମ୍ଭ ହେବ । ଅନ୍ୟପକ୍ଷରେ ବ୍ରିଟେନ ଓ ଜର୍ମାନୀରେ ମଧ୍ୟ ଡିସେମ୍ବରରୁ ଔପଚାରିକ ଭାବେ ଟିକାକରଣର ଶୁଭାରମ୍ଭ ହେବ । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏକ ସାକ୍ଷାତକାରରେ କହିଥିଲେ, ଭାରତରେ କୋଭିଡ୍ ଟିକା ଆସନ୍ତା ବର୍ଷ ପ୍ରଥମ ତିନିମାସ ମଧ୍ୟରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ୨୦୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ୨୫-୩୦ କୋଟି ଭାରତୀୟଙ୍କର ଟିକାକରଣ ହୋଇପାରିବାର ସମ୍ଭାବନା ରହିଛି । ଭାରତରେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ଟିକା ଦିଆଯିବ ।

Spread the love