କୋଭିଡ-୧୯ର ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ହେବ ଲଗାତାର ଭାବେ ମହାମାରୀ କରୋନା ସଂକ୍ରମଣ କମୁଥିବାବେଳେ ଏବେ ଏଥିରେ ପୁଣି ପରିବର୍ତନ ଦେଖାଦେଇଛି । ବିଭିନ୍ନ ରାଜ୍ୟରେ ପୁଣି ସଂକ୍ରମଣ ବଢ଼ିବା, ବିଶେଷ କରି ଉତ୍ତର ଭାରତରେ ହଠାତ୍‌ ସଂକ୍ରମଣ ବଢ଼ିଯିବାରୁ ଏହା ଏବେ ଚିନ୍ତା ପାଲଟିଛି । ଶୀତର ପ୍ରକୋପ ବଢ଼ୁଥିବାରୁ ଆସନ୍ତା ଡିସେମ୍ବରରେ ପରିସ୍ଥିତି ଅତ୍ୟନ୍ତ ବିଗିଡ଼ି ଯାଇପାରେ। ଯଦି ରାଜ୍ୟ ଗୁଡ଼ିକ ଏବେଠୁ ଠିକ୍‌ ଭାବେ ପ୍ରସ୍ତୁତ ନରୁହନ୍ତି ତେବେ ଆଗକୁ ସ୍ଥିତି ଆହୁରି ଅଧିକ ଖରାପ ହୋଇଯିବ ବୋଲି ଆଶଙ୍କା କରାଯାଉଛି । ଏନେଇ ବିଭିନ୍ନ ରାଜ୍ୟରେ କୋଭିଡ-୧୯ର ସ୍ଥିତି କିପରି ରହିଛି ସେନେଇ ଭର୍ଚୁଆଲ ବୈଠକରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ। କରୋନା ସ୍ଥିତି ନେଇ ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ଭର୍ଚୁଆଲ ବୈଠକ କରିସାରଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ଯଥା ଦିଲ୍ଲୀ, ମହାରାଷ୍ଟ୍ର, କେରଳ, ପଶ୍ଚିମବଙ୍ଗ ଓ ରାଜସ୍ଥାନର ସ୍ଥିତି ବାବଦରେ ସମୀକ୍ଷା କରିବେ। ଏହା ସହିତ ଯେଉଁସବୁ ରାଜ୍ୟଗୁଡିକରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଆରମ୍ଭ ହୋଇଛି ସେସବୁର ସ୍ଥିତି ସମୀକ୍ଷା କରାଯିବ। ଦେଶରେ ଏବେ ୪ଟି କରୋନା ଟିକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଚାଲୁ ରହିଛି। ତେଣୁ ଏହିସବୁ ଟିକାର ବଣ୍ଟନ ଓ ଜରୁରୀ ଅନୁମୋଦନ ପ୍ରସଙ୍ଗରେ ମଧ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ କଥାହେବେ।

ସୂଚନା ଯେ, କରୋନା ମହାମାରୀ ଆରମ୍ଭ ପରଠାରୁ ଏହାର ମୁକାବିଲା ନିମନ୍ତେ ରଣନୀତି ପ୍ରସ୍ତୁତ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଅନେକ ଥର ଆଲୋଚନା କରିଛି। ଗତ କିଛି ଦିନ ହେବ ସାରା ଦେଶରେ କରୋନା ଭାଇରସ୍ ସଂକ୍ରମଣ ମାମଲା ୫୦ ହଜାରରୁ କମ୍ ଥିବାବେଳେ କେତେକ ରାଜ୍ୟରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଦିଲ୍ଲୀରେ କରୋନା ସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମାସ୍କ ଚେକିଂକୁ ଜୋରଦାର କରାଯାଇଥିବା ବେଳେ ହସ୍ପିଟାଲରେ ବେଡ ଓ ଭେଣ୍ଟିଲେଟର ସଂଖ୍ୟା ବୃଦ୍ଧି କରାଯାଇଛି । ମହାରାଷ୍ଟ୍ର, ଗୁଜରାଟ ଓ ମଧ୍ୟପ୍ରଦେଶର କେତେକ ସହରରେ ନାଇଟ୍ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଛି ।

Spread the love