କୁମ୍ଭୀର ଗଣନା : ଜାନୁଆରୀ ୫ରୁ ୧୪ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡ଼ା : ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ଜାନୁଆରୀ ୫ତାରିଖଠାରୁ ୧୪ ତାରିଖଯାଏ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ । ଏହି ସମୟରେ ବିରଳ ବଉଳା କୁମ୍ଭୀରମାନଙ୍କ ଗଣନାକାର୍ଯ୍ୟ ଚାଲିବ ବୋଲି ରାଜନଗର ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଖବରରୁ ପ୍ରକାଶ, ପ୍ରତିବର୍ଷ ଜାତୀୟ ଉଦ୍ୟାନ ପରିସରଭୁକ୍ତ ବିଭିନ୍ନ ନଦୀନାଳରେ ଥିବା ବଉଳା କୁମ୍ଭୀରମାନେ ଡିସେମ୍ବର ଶେଷ ସପ୍ତାହ ବେଳକୁ ଉପରକୁ ଉଠିଆସନ୍ତି । ଏହି ସମୟରେ ସେମାନଙ୍କୁ ଗଣନା କରିବା ସହଜ ହୋଇଥାଏ । ତେବେ ପର୍ଯ୍ୟଟକମାନଙ୍କ ସମାଗମ ହେଲେ ଗଣନାରେ ସମସ୍ୟା ସୃଷ୍ଟିହେବାର ଆଶଙ୍କା ରହିଛି । ତେଣୁ ବନବିଭାଗ ପକ୍ଷରୁ ଆସନ୍ତା ୨୦୨୧ ଜାନୁଆରୀ ୫ରୁ ସେହିମାସର ୧୪ ତାରିଖଯାଏ ଭିତର କନିକାକୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଏହି ୧୦ଦିନ ଭିତରକନିକାକୁ ପର୍ଯ୍ୟଟକମାନଙ୍କର ପ୍ରବେଶକୁ ନିଷେଧ କରାଯାଇଛି । ବିରଳ ବଉଳା କୁମ୍ବୀରର ଏନ୍ତୁଡିଶାଳ ଭିତରକନିକାର ବନ୍ୟଜୀବ ଅଭୟାରଣ୍ୟ , ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ,ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀନାଳ ଓ ଜଙ୍ଗଳ ଅଞ୍ଚଳ ଏହି ସମୟରେ ପର୍ଯ୍ୟଟକଙ୍କ ପାଇଁ ବନ୍ଦରହିବ । ଭିତରକନିକା ସହିତ ଡାଙ୍ଗମାଳ ଓ ରଗଡ଼ାପାଟିଆ ଅଞ୍ଚଳକୁ ପର୍ଯ୍ୟଟକମାନଙ୍କ ପ୍ରବେଶପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଗତ ଜାନୁୟାରୀ ୩ରେ ଶେଷ ହୋଇଥିବା କୁମ୍ଭୀର ଗଣନା ରିପୋର୍ଟରୁ ଭିତରକନିକାରେ ମୋଟ ୧୭୫୭ଟି କୁମ୍ଭୀର ଅଛନ୍ତି । ଏଥି ମଧ୍ୟରେ ୪ଟି ୨୦ ଫୁଟରୁ ଅଧିକ ବିଶାଳାକାୟ ବଉଳା କୁମ୍ଭୀର ରହିଛନ୍ତି । ସେଥିରୁ ଗୋଟିଏ ୨୧ ଫୁଟରୁ ଅଧିକ ଲମ୍ବର; ଯାହା ଗିନିସ୍ ବୁକ ଅଫ ୱାର୍ଲ୍‌ଡ ରେକର୍ଡ୍‌ସରେ ସ୍ଥାନ ପାଇଛି । ସୂଚନାଯୋଗ୍ୟ ଯେ ୧୯୭୫ ମସିହାରେ ଭିତରକନିକାର ଡାଙ୍ଗମାଳରେ ବିଶିଷ୍ଟ ଅଷ୍ଟ୍ରେଲୀୟ ପ୍ରାଣୀ ବିଜ୍ଞାନୀ ଏଚ. ଆର. ବଷ୍ଟାର୍ଡ ଓ ଗବେଷକ ଡଃ ସୁଧାକର କରଙ୍କ ପରିଚାଳନାରେ କୁମ୍ଭୀର ପ୍ରଜନନ କେନ୍ଦ୍ର ସ୍ଥାପନ ହୋଇଥିଲା । ଏକାସମୟରେ ମଧ୍ୟପ୍ରଦେଶର ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକର ୩୪ଟି ସ୍ଥାନରେ ଲୁଣା କୁମ୍ଭୀର ଓ ମଗର କୁମ୍ଭୀର ଗବେଷଣା କେନ୍ଦ୍ର ସ୍ଥାପନ କରାଯାଇଥିଲା । ମାତ୍ର ଏହି ୩୪ ଗବେଷଣା କେନ୍ଦ୍ର ମଧ୍ୟରୁ କେବଳ ଭିତରକନିକାର ଡାଙ୍ଗମାଳ କେନ୍ଦ୍ର ସଫଳ ହୋଇଥିବା ଜଣାପଡିଛି । ଗତବର୍ଷ ପର୍ଯ୍ୟଟକମାନଙ୍କୁ ଭିତରକନିକାକୁ ଆକୃଷ୍ଟ କରିବାକୁ ବନବିଭାଗ ପକ୍ଷରୁ ଭିତରକନିକା ମହୋତ୍ସବ ପାଳନ କରାଯାଇଥିଲା । ଚଳିତ ବର୍ଷ କୋଭିଡ କଟକଣା ପାଇଁ ଏହାକୁ ବନ୍ଦ ରଖାଯାଇଥିବା ଉପ ଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପତ୍ରଙ୍କ ଠାରୁ ସୂଚନା ମିଳିଛି ।

Spread the love