କାହ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ଫେରିବ ‘ସୁନ୍ଦରୀ’

ଭୁବନେଶ୍ୱର : ବାଘୁଣୀ ସୁନ୍ଦରୀ ଫେରିବା ନେଇ ପିସିସିଏଫଙ୍କ ପ୍ରତିକ୍ରିୟା । ଏନ୍‌ଟିସିଏକୁ ଏ ନେଇ ଗତ ସପ୍ତାହରେ ଚିଠି ଲେଖା ହୋଇଛି । ବାଘୁଣୀ କେଉଁଠି ରହିବ ତାହା ସ୍ପଷ୍ଟ କରାଯାଉ । ସୁନ୍ଦରୀର ବ୍ୟବହାର କିପରି ରହୁଛି ତାହା ଉପରେ ନଜର ରଖାଯାଉ । NTCA , WII ଓ ଉଭୟ ରାଜ୍ୟ ସରକାର ଆଲୋଚନା କରନ୍ତୁ ପିସିସିଏଫ । ଅପରପକ୍ଷେ ଗତ ପ୍ରାୟ ଦୁଇ ବର୍ଷ ହେଲା ଏନ୍‌କ୍ଲୋଜର ଭିତରେ ବନ୍ଦୀ ଜୀବନ ଜିଉଁଥିବା ସାତକୋଶିଆର ଏହି ବାଘୁଣୀକୁ ଜନ୍ମମାଟିକୁ ଫେରାଇ ନେବା ପାଇଁ ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏ ଜଙ୍ଗଲୀ ହିଂସ୍ର ଜନ୍ତୁକୁ ଏତେଦିନ ଧରି ଏକ ଛୋଟ ଏନକ୍ଲୋଜର ଭିତରେ ଦୀର୍ଘ ଦିନ ପାଇଁ ରଖାଯାଇ ପାରିବ ନାହିଁ। ତେଣୁ ବାଘୁଣୀକୁ ତତ୍କାଳ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ପ୍ରକଳ୍ପ ସ୍ଥିତ ଘୋରେଲା ରି-ୱାଇଲ୍‌ଡ଼ିଂ ସେଣ୍ଟରକୁ ଫେରାଇ ଆଣିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସୁନ୍ଦରୀର ଘରବାହୁଡ଼ା ପ୍ରକ୍ରିୟା କେବେ ଆରମ୍ଭ ହେବ ତାହା ଉପରେ ସଭିଁଙ୍କ ନଜର ରହିଛି।

ସୂଚନା ଯେ, ଆନ୍ତଃରାଜ୍ୟ ବ୍ୟାଘ୍ର  ଟ୍ରାନ୍ସଲୋକେସନ୍ କାର୍ଯ୍ୟକ୍ରମ ଅଧୀନରେ ୨୦୧୮ ଜୁନମାସରେ  ମଧ୍ୟପ୍ରଦେଶର ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟରୁ ସୁନ୍ଦରୀ ଓଡ଼ିଶା ଆସିଥିଲା । ଏହାକୁ ଅନୁଗୋଳ ଜିଲାର ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯାଇଥିଲା । ମାତ୍ର ୨୦୧୮ ସେପ୍ଟେମ୍ବର ମାସରେ ସୁନ୍ଦରୀ  ଅଭୟାରଣ୍ୟର କୋର ଅଞ୍ଚଳରେ ଜଣେ ମହିଳା ଓ ଜଣେ ବ୍ୟକ୍ତିଙ୍କୁ ମାରିଥିବା ଅଭିଯୋଗ ହୋଇଥିଲା । ଏହାପରେ ଲୋକମାନେ ସ୍ଥାନୀୟ ବନବିଭାଗ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ । ଶେଷରେ ସୁନ୍ଦରୀକୁ ବନ ବିଭାଗ ଅଧିକାରୀମାନେ କାବୁ କରି ଏନକ୍ଲୋଜର ମଧ୍ୟରେ ଛାଡ଼ିଥିଲେ । ଏହାପରେ  ବାଘୁଣୀ ସୁନ୍ଦରୀ ସମ୍ପର୍କରେ ଓଡ଼ିଶା ଓ ମଧ୍ୟପ୍ରଦେଶ ବନ ବିଭାଗ ମଧ୍ୟରେ ଅନେକ ପତ୍ର ବିନିମୟ ହୋଇଥିଲେ ମଧ୍ୟ ସୁନ୍ଦରୀର ଭାଗ୍ୟ ନିର୍ଧାରଣ ହୋଇପାରି ନାହିଁ । ଶେଷରେ ପୁନର୍ବାର ଓଡ଼ିଶା ବନ ବିଭାଗ ଏଥିରେ ଏନଟିସିଏର ହସ୍ତକ୍ଷେପ ଲୋଡ଼ିଛି। ଦୁଇଜଣଙ୍କୁ ଶିକାର କରିବା ପରେ ଏନକ୍ଲୋଜରରେ ଥିବା ସୁନ୍ଦରୀ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଏନଟିସିଏକୁ ଚିଠି ଲେଖାଯାଇଥିବା ରାଜ୍ୟ ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଯଦି ମଧ୍ୟପ୍ରଦେଶ ସରକାର ସୁନ୍ଦରୀକୁ ଫେରାଇ ନେବାକୁ ପଦକ୍ଷେପ ନ ନିଅନ୍ତି ତେବେ ଏନଟିସିଏ, ରାଜ୍ୟ ବନ ବିଭାଗ ଓ ଡ଼ବ୍ଲ୍ୟୁଇଇ (ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ) ଏ ସମ୍ପର୍କରେ ମିଳିତ ନିଷ୍ପତ୍ତି ନେବେ ବୋଲି ମଧ୍ୟ ସେ କହିଛନ୍ତି ।

Spread the love