କାର୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା , ବୁଡ ପକାଇବା ମନା

ଭୁବନେଶ୍ୱର : କୋଭିଡ-୧୯ ମହାମାରୀ ସଂକ୍ରମଣ ଆଶଙ୍କାରେ କାର୍ତିକ ପୂର୍ଣ୍ଣିମାରେ ନଦୀ ଅବା ଜଳାଶୟରେ ଡଙ୍ଗା ଭସା ସହ ବୁଡ଼ ପକାଇବା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଏହାସହିତ କଟକ, ପାରାଦୀପ ଓ ଭୁବନେଶ୍ୱର ଆଦି ସ୍ଥାନରେ ହେଉଥିବା ବାଲିଯାତ୍ରା ଉପରେ ମଧ୍ୟ କଟକଣା ଜାରି ହୋଇଛି । ଏନେଇ ମଙ୍ଗଳବାର ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ନିର୍ଦ୍ଦେଶନାମା ଅନୁସାରେ , ଚଳିତ ନଭେମ୍ବର ୩୦ତାରିଖରେ କାର୍ତିକ ପୂର୍ଣ୍ଣିମା ଅବସରରେ ଲୋକମାନେ ନଦୀଘାଟ ଓ ଜଳାଶୟ ନିକଟରେ ରୁଣ୍ଡ ହୋଇ ଡଙ୍ଗା ଭସାଇବା ସହ ଗାଧେଇଥାନ୍ତି । ଏହାସହିତ ଉକ୍ତଦିନ କେତେକ ସ୍ଥାନରେ ବାଲିଯାତ୍ରା ମଧ୍ୟ ଆୟୋଜନ ହୋଇଥାଏ । ତେବେ କୋଭିଡ-୧୯ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଲୋକଙ୍କ ସ୍ୱାର୍ଥରେ ରାଜ୍ୟ ସରକାର ଏସବୁ ଉପରେ କଟକଣା ଜାରି କରିଛନ୍ତି । ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ର ଧାରା ୨୪(୧) ଓ ଓଡ଼ିଶା ବିପର୍ଯ୍ୟର ପରିଚାଳନା ରୁଲ-୨୦୧୦ର ଧାରା ୮(୧) ଅନ୍ତର୍ଗତ ରାଜ୍ୟ ସରକାର କାର୍ତିକ ପୂର୍ଣ୍ଣିମା ଓ ବଡ଼ଓଷାରେ ଲୋକମାନେ ଯେଭଳି ରୁଣ୍ଡ ନହେବେ ତା’ ଉପରେ କଟକଣା ଜାରି କରିଛନ୍ତି । ଯଦି କେହି ଏହି ନିର୍ଦ୍ଦେଶନାମାକୁ ଉଲ୍ଲଘଂନ କରନ୍ତି ତା’ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଓ ଅନ୍ୟାନ୍ୟ ଆଇନ ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ଦଣ୍ଡିତ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Spread the love