କର୍ନରଷ୍ଟୋନ ସହ ସାନିଆଙ୍କ ଚୁକ୍ତି

ମୁମ୍ବାଇ : ଭାରତୀୟ ମହିଳା ଟେନିସ ତାରକା ସାନିଆ ମିର୍ଜା ମଙ୍ଗଳବାର ଏକ ବଡ଼ ଚୁକ୍ତି କରିଛନ୍ତି। ଜଣାଶୁଣା ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସି କର୍ନରଷ୍ଟୋନ ସହ ସାନିଆ ଚୁକ୍ତି କରିଛନ୍ତି। ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ସାନିଆ ଏବେ ଏହି ଏଜେନ୍ସି ସହ କାର୍ଯ୍ୟ କରିବେ। ଏହା ତାଙ୍କର ବ୍ରାଣ୍ଡ ବିଜ୍ଞାପନ, ଡିଜିଟାଲ ଆକ୍ଟିଭେଶନ, ଆପିୟରାନ୍ସ ଓ ଅନ୍ୟାନ୍ୟ ବ୍ୟାବସାୟିକ ମାମଲାକୁ ପରିଚାଳନା କରିବ।ସାରା ଦେଶରେ କର୍ନରଷ୍ଟୋନ୍‌ ସଫଳତାର ସହ କାର୍ଯ୍ୟକରୁଛି ଓ ପ୍ରତିଭାର ବିକାଶ ପାଇଁ କାର୍ଯ୍ୟକରୁଛି। ଏହି ଏଜେନ୍ସି ଉପରେ ମୋର ପୂରା ଭରସା ରହିଛି ଓ ଏହାଦ୍ୱାରା ଉପକୃତ ହେବି ବୋଲି ସାନିଆ କହିଛନ୍ତି। ଏକମାତ୍ର ଭାରତୀୟ ମହିଳା ଖେଳାଳିଭାବେ ସାନିଆ ସବୁ ଫର୍ମାଟ୍‌ରେ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ମା’ ହେବାର ସୌଭାଗ୍ୟ ଲାଭ କରିବା ପରେ ସାନିଆ ସଫଳତାର ସହ ଟେନିସକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ଗତ ମାସରେ ପ୍ରଥମ ଭାରତୀୟ ଖେଳାଳିଭାବେ ସେ ଫେଡ୍‌ କପ୍‌ ହାର୍ଟ ପୁରସ୍କାର ଜିତିଥିଲେ। ୨୦୧୮ ଅକ୍ଟୋବରରେ ସେ ପୁଅ ଇଝାନଙ୍କୁ ଜନ୍ମ ଦେଇଥିଲେ। ଚଳିତ ବର୍ଷ ଜାନୁୟାରୀରେ ସେ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ହୋବାର୍ଟ ଇଣ୍ଟରନ୍ୟାଶନାଲରେ ନାଡିଆ କିଚେନୋକଙ୍କ ସହ ସେ ମହିଳା ଡବଲ୍ସ ଟାଇଟଲ ହାସଲ କରିଥିଲେ। କ୍ୟାରିୟରରେ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଆଫ୍ରୋ- ଏସିଆନ ଗେମ୍ସରେ ଏକାଧିକ ସିଙ୍ଗଲ୍ସ ଓ ଡବଲ୍ସ ଟାଇଟଲ ହାସଲ କରିଥିଲେ। ସାନିଆଙ୍କ ସହ କାର୍ଯ୍ୟ କରିଥିବାର ସୁଯୋଗ ମିଳିଥିବାରୁ କର୍ନରଷ୍ଟୋନ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ବଣ୍ଟି ସାଜଦେ ଖୁସି ଜାହିର କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *