ଆଇଆଇଏଫଏଲରୁ ଡକାୟତି ଘଟଣା; ଆଜି ହେବ ଡେମୋ

  • ୩ ଦିନିଆ ରିମାଣ୍ଡରେ ଆସିବେ ୫ ଅଭିଯୁକ୍ତ

କଟକ : କଟକ ଆଇଆଇଏଫଏଲରୁ ଡକାୟତି ଘଟଣାର ଆଜି ହେବ ଡେମୋ। ୩ ଦିନିଆ ରିମାଣ୍ଡରେ ଆସିବେ ୫ ଅଭିଯୁକ୍ତ। ବୁଧବାର ଗିରଫ ପରେ ୭ ଅଭିଯୁକ୍ତ କୋର୍ଟଚାଲାଣ ହୋଇଛନ୍ତି। ଡକାୟତି ଘଟଣାର ମୁଖ୍ୟ କାର୍ପଟଦାର ଲାଲା ଅମ୍ରିତ ରାୟଙ୍କ ପରି ନୀଳିମା ଲେଙ୍କା ବି ଆଇଆଇଏଫଏଲ ବ୍ୟାଙ୍କରେ ମୂଲ୍ୟାୟନ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ସେ ବି ଡକାୟତି ଯୋଜନା ପ୍ରସ୍ତୁତ କରିବା ଓ କାର୍ଯ୍ୟକାରୀ କରିବାରେ ଲାଲା ସହିତ ଜଡ଼ିତ ଥିଲେ।

ସୂଚନା ଯେ, କମିଶନରେଟ୍ ପୁଲିସ ବହୁ ଚର୍ଚ୍ଚିତ ୨୦ କୋଟି ଟଙ୍କାର ସୁନା ଲୁଟ୍ ଘଟଣାର ମାଷ୍ଟର ମାଇଣ୍ଡ ସମେତ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୩ କିଲୋଗ୍ରାମ୍ ସୁନା, ୫ ଲକ୍ଷ ଟଙ୍କା, ଗୋଟିଏ ଅଡି କାର(ଓଡି-୦୨-ଏଲ-୦୬୦୦), ଗୋଟିଏ ପଲସର ମଟରସାଇକେଲ, ଗୋଟିଏ ହୋଣ୍ଡା ଡ୍ରିମ୍ ୟୋଗା ମଟରସାଇକେଲ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଉକ୍ତ ବ୍ୟାଙ୍କ କର୍ମଚାରୀ ତଥା ମର୍କତନଗର ଥାନା ଅନ୍ତର୍ଗତ ଭବାନୀ ଏନକ୍ଲେଭରେ ରହୁଥିବା ଲାଲା ଅମୃତ ସାଗର ରାୟ(୩୫), କିଶୋରନଗର ଅଂଚଳର ରଂଜନ ବେହେରା ଓରଫ ବାପି(୩୬) ଓ ପ୍ରକାଶ କୁମାର ସାହୁ(୨୮), ପ୍ରଦୀପ୍ତ ବେହେରା(୩୪), ରାଜକିଶୋର ସାହୁ(୩୭), ପୁରୀଘାଟ ଥାନା ଅନ୍ତର୍ଗତ ଭଗତପୁରର ନିଳିମା ଲେଙ୍କା(୩୪) ଏବଂ ଜଗତପୁର ଥାନା ଅନ୍ତର୍ଗତ ବହୁଗ୍ରାମର ସନ୍ତୋଷ ଭୋଇ(୩୫) । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନା ମୁତାବକ ଅମୃତ ଗତ ୫ ବର୍ଷ ଧରି ନୟାସଡକ ସ୍ଥିତ ଇଣ୍ଡିଆନ ଇନଫୋଲାଇନ ଫାଇନାନଓ ଲିମିଟେଡ (ଆଇଆଇଏଫଏଲ) ସଂସ୍ଥାରେ କାର୍ଯ୍ୟ କରନ୍ତି । ଏହି ସଂସ୍ଥା ସୁନା ବନ୍ଧକ ରଖି ଋଣ ପ୍ରଦାନ କରିଥାଏ । ଏଠାରେ ଅମ୍ରିତ ବହୁ ସୁନା ହେରଫେର କରି ପୂର୍ବରୁ ଆସୁଥିବା ଅଡିଟରମାନଙ୍କୁ ହାତ କରି ଖସି ଯାଉଥିଲା । ମାତ୍ର ଗତ ସପ୍ତାହରେ ଯୋଗ ଦେଇଥିବା ଅଡିଟରଙ୍କୁ ନିଜ ଅକ୍ତିଆରକୁ ଆଣିବାରେ ବିଫଳ ହେବା ପରେ ତା\’ର କଲେଜ ସାଙ୍ଗ ରଂଜନ ସହ ଆଲୋଚନା କରି ସାହାଯ୍ୟ ମାଗିଥିଲା । ଏହାପରେ ରଂଜନ ଓ ଅମୃତ ଲୁଟ୍ ପାଇଁ ଖସଡା ତିଆରି କରଥିଲେ । ବ୍ୟାଙ୍କରେ ସିସିଟିଭି କାର୍ଯ୍ୟକରୁ ନ ଥିବା, ଆଲାର୍ମ ବାଜୁ ନ ଥିବା ଓ ସର୍ବୋପରି ବନ୍ଧୁକଧାରୀ ସିକ୍ୟୁରିଟି ଗାର୍ଡ ଛୁଟିରେ ଥିବା ଅମ୍ରିତକୁ ଜଣାଥିଲା । ତେଣୁ ରଂଜନର ନିର୍ଦ୍ଦେଶରେ ରାଜକିଶୋରେ, ପ୍ରଦିପ୍ତ, ପ୍ରକାଶ ଓ ସନ୍ତୋଷକୁ ଆଣି ଅମୃତ ବ୍ୟାଙ୍କରୁ ବୁଲାଇ ନେଇଥିଲା । ପୂର୍ବ ଯୋଜନା ମୁତାବକ ଗୁରୁବାର ସକାଳ ୯ଟା ୫୦ରେ ବ୍ୟାଙ୍କ ଖୋଲିବା କ୍ଷଣି ୪ ଅଭିଯୁକ୍ତ ୨ ଟି ବାଇକରେ ବ୍ୟାଙ୍କରେ ପଶି ବନ୍ଧୁକ ଦେଖାଇ ସିକ୍ୟୁରିଟି ଗାର୍ଡ ସମେତ ବ୍ୟାଙ୍କ କର୍ମଚାରୀମାନଙ୍କୁ ଗୋଟିଏ ଘରେ ବନ୍ଦ କରି ରଖି ସେମାନଙ୍କ ମୋବାଇଲ ଛଡାଇ ନେଇଥିଲେ ଓ ଜଣେ କର୍ମଚାରୀ ଲକର ଖୋଲିବା ପରେ ସେମାନେ ସୁନା ଗୁଡିକୁ ବ୍ୟାଗରେ ପୁରାଇ ପଳାଇଥିଲେ । ପୁଲିସ ସିସିଟିଭି ଯାଂଚ କରି ବାଇକ ଦୁଇଟିକୁ ଚିହ୍ନଟ କରି ତଦନ୍ତ ଜାରି ରଖିଥିଲା । ଏଥିପାଇଁ ପୁଲିସ ୫ଟି ଟିମ୍ ଗଠନ କରି ତଦନ୍ତ ଜାରି ରଖିଥିଲା ।

Spread the love