ଓଡ଼ିଶା କୃଷିଜାତ ଦ୍ରବ୍ୟ ଓ ପଶୁ ସମ୍ପଦ ବିପଣନ (ବିକାଶ ଓ ସୁଗମତା) ବିଲ୍ – ୨୦୨୦ ଉପସ୍ଥାପିତ

ଭୁୁବନେଶ୍ୱର : ଆଇନ ପ୍ରଣୟନ ପାଇଁ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓଡ଼ିଶା କୃଷିଜାତ ଦ୍ରବ୍ୟ ଓ ପଶୁ ସମ୍ପଦ ବିପଣନ (ବିକାଶ ଓ ସୁଗମତା) ବିଲ୍ – ୨୦୨୦ ଉପସ୍ଥାପନ କରିଥିଲେ । ବିଲ୍‌ର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ, ଖାଉଟି ମାନେ ଦେଉଥିବା ମୂଲ୍ୟରୁ କୃଷିଜାତ ଦ୍ରବ୍ୟର ଉତ୍ପାଦନକାରୀମାନେ ଯେପରି ସେମାନଙ୍କର ବୃଦ୍ଧି ସମେତ ଭାଗ ପାଇ ପାରିବେ ତାହା ସୁନିଶ୍ଚିତ କରିବା ହେଉଛି ଏହି ବିଲ୍‌ର ମୂଳ ଉଦ୍ଦେଶ୍ୟ । ଚାଷୀ ଉତ୍ପାଦନକାରୀମାନେ ସେମାନଙ୍କ ଦ୍ୱାରା ଉତ୍ପନ୍ନ ଦ୍ରବ୍ୟର ସମୁଚିତ ମୂଲ୍ୟ ଆଦାୟ କରିବା ଓ ଫାର୍ମ ଆୟ ବୃଦ୍ଧି କରିବା ପାଇଁ ସେମାନଙ୍କୁ ସମର୍ଥ କରିବା ଦିଗରେ ଓଏପିଏମ୍ ଅଧିନିୟମର ବିଦ୍ୟମାନ ବଜାର ଗଠନ ପ୍ରଣାଳୀକୁ ସମୀକ୍ଷା କରିବା ଜରୁରୀ ହୋଇପଡ଼ିଛି । ବଜାର ବ୍ୟବସ୍ଥାରେ ପ୍ରତିଯୋଗିତାମୂଳକ ବିପଣନ ପରିବେଶ ସୃଷ୍ଟି କରି ଏ କ୍ଷେତ୍ରରେ ଦକ୍ଷତା ହାସଲ ଦିଗରେ ଅଧିକ ଅଗ୍ରସର ହୋଇପାରିଲେ ଗ୍ରାମାଂଚଳରେ କୃଷିଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ଓ ଚାଷୀ ମାନଙ୍କର କଲ୍ୟାଣ ସାଧନ ହୋଇପାରିବ, କର୍ମସଂସ୍ଥାନ ପାଇଁ ସୁଯୋଗ ସୃଷ୍ଟି ହୋଇପାରିବ ଯାହାଫଳରେ ଏମାନଙ୍କ ଆର୍ଥିକ ଅଭିବୃଦ୍ଧି ହୋଇପାରିବ । ସମୟକ୍ରମେ ଏହି ବଜାର ଗୁଡ଼ିକ ସଂକୁଚିତ ଓ ମନୋମୁଖୀ ହୋଇପଡ଼ିଛନ୍ତି । ଯାହାଦ୍ୱାରା ଉପରୋକ୍ତ ଲକ୍ଷ୍ୟକୁ ସମ୍ପୂର୍ଣ୍ଣ ରୂପେ ହାସଲ କରିବା ଦିଗରେ ସଫଳତା ମିଳିପାରିନାହିଁ । ପାଇକାରୀ ବେପାରୀମାନେ କୃଷିଜାତ ଦ୍ରବ୍ୟର ଉତ୍ପାଦନକାରୀ ମାନଙ୍କ ସହିତ କାରବାର କରିବା ସମୟରେ ପ୍ରାୟତଃ ସେମାନଙ୍କ ଠାରୁ ଅନ୍ୟାୟଭାବେ କାଟି ରଖିବା, ମାନକ ଓଜନ ଓ ମାପଯନ୍ତ୍ର ବ୍ୟବହାର ନ କରିବା, ଓଜନ କରିବା ସମୟରେ କାରସାଦି କରିବା, ଅତ୍ୟଧିକ ମାଗଣା ନମୂନା ନେବା ବା ଅତ୍ୟଧିକ ବଜାର ଦେୟ ଅସୁଲ କରିବା ପରି ଅସାଧୁ କାରବାରରେ ଲିପ୍ତ ରହୁଛନ୍ତି । ଓଏପିଏମ୍ ଅଧିନିୟମକୁ ସମୟକୁ ସମୟ ସଂଶୋଧନ କରାଯାଇଥିବା ସତ୍ୱେ ଏହି ଅଧିନିୟମର ମୂଳ ଉଦ୍ଦେଶ୍ୟ ସମ୍ପୂଣ୍ଣ ରୂପେ ହାସଲ ହୋଇପାରିନାହିଁ । ରାଜ୍ୟରେ କୃଷିଜାତ ଦ୍ରବ୍ୟର ବିପଣନ ବ୍ୟବସ୍ଥା ଆଜି ମଧ୍ୟ ଭିତିଭୂମିର ଅଭାବ, ଖଣ୍ଡ ବିଖଣ୍ଡିତ ବଜାର ବ୍ୟବସ୍ଥା, ପରିଚାଳନାଗତ ଅକୁଶଳତା ଓ ଖାଉଟି ମାନଙ୍କ ଦ୍ୱାରା ଦିଆଯାଉଥିବା ମୂଲ୍ୟ ଓ ଉତ୍ପାଦନକାରୀ ପାଉଥିବା ମୂଲ୍ୟରେ ବ୍ୟାପକ ବ୍ୟବଧାନ ଦେଇ ଗତି କରୁଛି । ବିଗତ ୬ ଦଶନ୍ଧି ମଧ୍ୟରେ କୃଷି କ୍ଷେତ୍ରରେ ହୋଇଥିବା ଅନେକ ବିକାଶମୂଳକ କାର୍ଯ୍ୟ ହେତୁ କୃଷି ଜାତ ଦ୍ରବ୍ୟର ବିପଣନ ବ୍ୟବସ୍ଥାରେ ଅନେକ ପରିବର୍ତନ ହୋଇଥିଲେ ସୁଦ୍ଧା ରାଜ୍ୟରେ କୃଷିଜାତ ଦ୍ରବ୍ୟର ବଜାର ଗୁଡ଼ିକର ପରିଚାଳନା କ୍ଷେତ୍ରରେ ଆବଶ୍ୟକ ସଂସ୍କାର ଆଣିବା ପାଇଁ ତଥା ବଜାର ଦକ୍ଷତାକୁ ବୃଦ୍ଧି କରି ଉତ୍ପାଦନକାରୀମାନେ ଯେପରି ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ ପାଇବେ ସେଥି ସକାଶେ ବ୍ୟବସ୍ଥା କରିବା ନିମନ୍ତେ ବିଦ୍ୟମାନ ବିଧିରେ ଆଣିବା ଆବଶ୍ୟକ ହୋଇପଡ଼ିଛି । ଓପିଏମ୍ ଅଧିନିୟମକୁ ଏପରି ଭାବେ ଏକତ୍ର ଓ ପୂର୍ଣ୍ଣ ପ୍ରସ୍ତୁତ କରିବା ଆବଶ୍ୟକ, ଯାହାଦ୍ୱାରା ଉଭୟ କ୍ରେତା ଓ ବିକ୍ରେତାମାନେ ଉପଲବ୍ଧ ସୁବିଧା ଓ ସେବା ଦ୍ୱାରା ବଜାର ପ୍ରାଙ୍ଗଣ ଗୁଡ଼ିକରେ ସ୍ୱଚ୍ଛ ରୀତିରେ ଏମାନଙ୍କ ବ୍ୟବସାୟ ଚଳାଇ ପାରିବେ ବୋଲି ମନ୍ତ୍ରୀ ଗୃହକୁ ଜଣାଇଥିଲେ । ଅନ୍ୟପକ୍ଷରେ ଏହି ବିଲ୍‌କୁ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏହାକୁ ବିରୋଧ କରି କହିଥିଲେ ଯେ, ଏହା ଏକ ଚାଷୀ ବିରୋଧି ବିଲ୍ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ପାର୍ଲ୍ୟାମେଂଟରେ ଯେଉଁଟା ଆଲୋଚନା ହେବା କଥା ତାହାକୁ କାହିଁକି ବିଧାନସଭାରେ ଆଣୁଛନ୍ତି ବୋଲି କହିଥିଲେ । ଏହି ବିଲ୍‌ର ତାରିଖ ଓ ସମୟ ଧାର୍ଯ୍ୟ କରିବା ପାଇଁ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଣିଥିବା ପ୍ରସ୍ତାବ ବାଚନିକ ଭୋଟରେ ଗୃହୀତ ହୋଇଥିଲା ।

Spread the love