ଓଡ଼ିଆ ଝିଅ ଶ୍ରାବଣୀ ନନ୍ଦଙ୍କର ଆଉ ଏକ ସଫଳତା।

ଭୁବନେଶ୍ୱର: ଭାରତର ଅଲିମ୍ପିଆନ ଶ୍ରାବଣୀ ନନ୍ଦ ଜାମାଇକାରେ ଗତ କିଛି ବର୍ଷ ହେଲା ନିଜର ଅଭ୍ୟାସ କରିଆସୁଛନ୍ତି । ଗତ ଶନିବାର ଦିନ ଆମେରିକାର ଫ୍ଲୋରିଡ଼ାରେ ଆୟୋଜିତ ଏନ୍‌ଏସିଏସି ନ୍ୟୁ ଲାଇଫ୍‌ ଆମନ୍ତ୍ରଣୀୟ ମିଟ୍‌ରେ ଅଂଶ ଗ୍ରହଣ କରିଥିଲେ ।7 ୩୦ ବର୍ଷୀୟା ଶ୍ରାବଣୀ ୧୦୦ ମିଟରକୁ ୧୧.୩୬ ସେକେଣ୍ଡରେ ଅତିକ୍ରମ କରିଥିଲେ।

ଜାମାଇକାର ଅଲିମ୍ପିକ୍ସ ଚାମ୍ପିଅନ ଏଲାନି ଥମ୍ପସନ୍‌ ୧୦.୮୭ ସେକେଣ୍ଡ ସହ ଏହି ମିଟ୍‌ରେ ପ୍ରଥମ ସ୍ଥାନ ଏବଂ ଆମେରିକାର ତାଏନା ବାର୍ଟୋଲେଟ୍ଟା ୧୦.୯୬ ସେକେଣ୍ଡ ସହ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । ଶ୍ରାବଣୀ ଏହି ଇଭେଣ୍ଟରେ ୧୩ତମ ସ୍ଥାନରେ ରହିଥିଲେ । ପ୍ରିଲିମିନାରୀ ରାଉଣ୍ଡରେ ସେ ୧୧.୨୮ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତାକୁ ଅତିକ୍ରମ କରିଥିଲେ ।ଶ୍ରାବଣୀଙ୍କ ଏହି ପ୍ରଦର୍ଶନ ବେଶ ଉନ୍ନତ ରହିଛି । ସେ ଚଳିତ ବର୍ଷ ଦେଶର ଅଲିମ୍ପିଆନ ଦୂତି ଚାନ୍ଦ (୧୧.୪୪), ଏସ୍‌. ଧନଲକ୍ଷ୍ମୀ (୧୧.୩୮)ଙ୍କୁ ପଛରେ ପକାଇ ଦ୍ରୁତତମ ଧାବିକା ହେବାର ଗୌରବ ହାସଲ କରିଛନ୍ତି । ଗତ ମାର୍ଚ୍ଚ ମାସରେ ପଟିଆଲାରେ ଆୟୋଜିତ ଫେଡରେସନ୍‌ କପ୍‌ରେ ଦୂତିକୁ ହରାଇ ୧୦୦ ମିଟରରେ ଧନଲକ୍ଷ୍ମୀ ଚାମ୍ପିଅନ ହୋଇଥିଲେ । ଶ୍ରାବଣୀଙ୍କ ଏହି ପ୍ରଦର୍ଶନ ହୁଏତ ତାଙ୍କୁ ଟୋକିଓ ଗସ୍ତ କରିବାରେ ସହାୟ ହୋଇପାରେ ।

ଏ ପର୍ଯ୍ୟନ୍ତ ଭାରତୀୟ ୪ ଗୁଣା ୧୦୦ ମିଟର ଦଳ ଟିକେଟ୍‌ ହାସଲ କରିପାରି ନାହିଁ । କିନ୍ତୁ ଏହି ଦଳ ଯୋଗ୍ୟତା ହାସଲ କରିବ ବୋଲି ଭାରତୀୟ ଆଥଲେଟିକ୍‌ ସଂଘର ସଭାପତି ଅଦିଲ ସୁମାରିୱାଲା ପ୍ରକାଶ କରିଥିଲେ । ଏହି ଦଳରେ ହିମା ଦାସ, ଦୂତି ଓ ଧନଲକ୍ଷ୍ମୀ ସାମିଲ ରହିଛନ୍ତି । ସୁମାରିୱାଲାଙ୍କ କହିବା କଥା, ଏଏଫ୍‌ଆଇ ତା’ର ନିଜ ନିୟମ ଅନୁସାରେ ପରିଚାଳିତ । ଯଦି ଶ୍ରାବଣୀ ସେହି ନିୟମ ଅନ୍ତର୍ଭୂକ୍ତ ହୁଅନ୍ତି ତେବେ ନିଶ୍ଚିତ ଦଳରେ ସାମିଲ ହେବେ ।

Spread the love
223