ଓଏଫସିକୁ ପ୍ଲେ-ଅଫ୍‌ ନେବାକୁ ଚାହାନ୍ତି ବକ୍ସଟର

ଭୁବନେଶ୍ୱର : କରୋନା ଭାଇରସ ସଂକ୍ରମଣ ଜନିତ କଟକଣା ଯୋଗୁ ଦୂରରେ ରହିଥିଲେ ହେଁ ଓଡ଼ିଶା ଏଫସିର ନବନିଯୁକ୍ତ କୋଚ୍‌ ଷ୍ଟୁଆର୍ଟ ବକ୍ସଟର ଦଳର ପ୍ରଦର୍ଶନକୁ ନେଇ ବେଶ୍‌ ଆଶାବାଦୀ। ଆଗାମୀ ଇଣ୍ଡିଆନ ସୁପରଲିଗ୍‌ ସିଜନରେ ଓଡ଼ିଶା ଏଫସିକୁ ପ୍ଲେ-ଅଫ୍‌କୁ ନେବା ତାଙ୍କ ଇଚ୍ଛା ବୋଲି ପ୍ରକାଶ କରିଛନ୍ତି। ଓଡ଼ିଶା ଏଫସି ସର୍ବଦା ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ଦେଇ ଆସିଛି। କ୍ଲବ ମାଲିକଙ୍କ ସମେତ କର୍ମକର୍ତ୍ତାଙ୍କ ଉଚ୍ଚାକାଂକ୍ଷା, ଅଭିଳାଷରେ ଖୁବ୍‌ ପ୍ରଭାବିତ ହୋଇଥିଲେ ନୂଆ କୋଚ୍‌ । ବିଶେଷ କରି କ୍ଲବ ସମ୍ପର୍କରେ ଧାରଣା ଏବଂ ଏହି ଦଳକୁ ଓଡ଼ିଶା ସରକାରଙ୍କ ସମର୍ଥନ ହିଁ କୋଚ୍‌ ହେବା ପାଇଁ ତାଙ୍କୁ ପ୍ରେରିତ କରିଥିଲା ବୋଲି ସେ ପ୍ରକାଶ କରିଛନ୍ତି। କରୋନା ଜନିତ କଟକଣା ଯୋଗୁ ଏଠାକୁ ଆସିପାରୁ ନ ଥିବାରୁ ସେ ଦଳର ଖେଳାଳିଙ୍କ ସମ୍ପର୍କରେ ବିଶେଷ କିଛି କହିପାରି ନଥିଲେ ମଧ୍ୟ ନିଜ ଭୂମିକା ସମ୍ପର୍କରେ ଅବଗତ ଅଛନ୍ତି। ଦଳରେ କିଛି ଅଭିଜ୍ଞ ଖେଳାଳି ରହିବା ଜରୁରୀ। ଯୁବ ଖେଳାଳିମାନେ ସୁଯୋଗର ଭରପୂର ସଦୁପଯୋଗ କରିବା ନେଇ ଆଶାବାଦୀ ଅଛନ୍ତି ବକ୍ସଟର। ଇଣ୍ଡିଆନ ସୁପରଲିଗ୍‌କୁ ଦେଖିବା ଅବସରରେ ଏଥିରେ କାର୍ଯ୍ୟ କରୁଥିବା କିଛି ବ୍ୟକ୍ତିଙ୍କୁ ଜାଣିଛନ୍ତି ବୋଲି କହିଛନ୍ତି। କିଛି ଖେଳାଳିଙ୍କ ସହ ମଧ୍ୟ ସେ ପରିଚିତ ଅଛନ୍ତି। ଜାପାନ ଜେ-ଲିଗ୍‌ରେ ପ୍ରଥମ ବର୍ଷ କଟାଇଲାପରି ସେ ଭାରତୀୟ ଲିଗ୍‌ରେ ମଧ୍ୟ କାର୍ଯ୍ୟ କରିବେ ବୋଲି କହିଛନ୍ତି।
ଓଡ଼ିଶା ଏଫସି ଦଳରେ ଉନ୍ନତି ତାଙ୍କର ପ୍ରଥମ ଲକ୍ଷ୍ୟ ରହିବ। ଏହା କିପରି ଫଳାଫଳରେ ପରିଣତ ହେଉଛି ତାହା ଉପରେ ନଜର ରହିବ। ଜଣେ ପେସାଦାର କୋଚ୍‌ଭାବେ ଦଳକୁ ପ୍ଲେ-ଅଫ୍‌କୁ ନେବା ତାଙ୍କର ଇଚ୍ଛା। ପରେ ଟୁର୍ନାମେଣ୍ଟ ଜିତିବା ସମ୍ପର୍କରେ ଚିନ୍ତା କରାଯିବ। କାରଣ ବକ୍ସଟରଙ୍କ ମତରେ ଦଳ ୬ ନମ୍ବରରେ ରହିବା ଏବଂ ୧୦ ନମ୍ବରରେ ରହିବାରେ ବିଶେଷ ପ୍ରଭେଦ ନାହିଁ। ଓଡ଼ିଶା ଏଫସି ଏକ ଯୁବ ଦଳ ହୋଇଥିବାରୁ ଅଧିକ କିଛି କହି ହେବନାହିଁ। ବିଶେଷ କରି ଖେଳାଳିଙ୍କ ସହ ନ ମିଶିବା ପର୍ଯ୍ୟନ୍ତ ସେମାନଙ୍କ ମାନସିକ ଦୃଢ଼ତା କେତେ ରହିଛି, ସେମାନେ କେତେ ପ୍ରତିକ୍ରିୟାଶୀଳ ତାହା ନ ଜାଣି କିଛି କହିବା ଅସମ୍ଭବ ବୋଲି ସେ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସମସ୍ତଙ୍କ ପାଇଁ କଠିନ ସମୟ ଚାଲିଛି। ସମସ୍ତେ ସୁସ୍ଥ ଏବଂ ସୁରକ୍ଷିତ ରହିବା ଜରୁରୀ। ଫୁଟବଲ ସିଜନ ଆରମ୍ଭ ପାଇଁ ସବୁଜ ସଙ୍କେତ ମିଳିଲେ ଆମେ ଓଡ଼ିଶା ଏଫସି ପାଇଁ କିଛି କରି ସମସ୍ତଙ୍କୁ ଗର୍ବିତ କରିବାକୁ ଚେଷ୍ଟା କରିବୁ ବୋଲି ବକ୍ସଟର କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *