ଏଲଏସିରେ ସମରସଜ୍ଜା

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନର ଯୁଦ୍ଧ ବିମାନ ଏବଂ ହେଲିକପ୍ଟରର ଗତିବିଧିକୁ  ନଜରରେ ରଖି ଭାରତୀୟ ସଶସ୍ତ୍ର ବାହିନୀ ନିଜର ଉନ୍ନତ ଦ୍ରୁତ ପ୍ରତିକ୍ରିୟାଶୀଳ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀକୁ ପୂର୍ବ ଲଦାଖ ଅଞ୍ଚଳରେ ନିୟୋଜିତ କରିଛି । ଚୀନ୍ ବାୟୁସେନା ପିପୁଲ୍ସ ଲିବରେସନ୍ ଆର୍ମି ପକ୍ଷରୁ କୌଣସି ପ୍ରକାରର ଆକ୍ରମଣର ଜବାବ ଦେବା ପାଇଁ ଉଭୟ ଭାରତୀୟ ସେନା ଏବଂ ଭାରତୀୟ ବାୟୁସେନାର ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀକୁ ଲଦାଖ ଅଞ୍ଚଳରେ ନିୟୋଜିତ କରାଯାଇଛି।

ଲଦାଖର ଏଲ୍ ଏସି ପାଖ ଗଲୱାନ ଘାଟିରେ ଚୀନକୁ ଜବାବ ଦେବାକୁ ଭାରତର ପ୍ରସ୍ତୁତି । କାରଣ ଡ୍ରାଗନ୍ ପୁଣି ଥରେ ଧୋକା ଦେଇଛି । ଗତ ୧୫ ତାରିଖ ରାତିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଦୁଇଦେଶ ମଧ୍ୟରେ କମାଣ୍ଡର ସ୍ତରରେ ଓ କୂଟନୈତିକ ସ୍ତରରେ ଆଲୋଚନା ପରେ ଚୀନ୍ ସେନା ପ୍ରାୟ ୧ କି.ମି. ପଛକୁ ହଟିଥିଲା । କିନ୍ତୁ ସାଟେଲାଇଟ୍ ଚିତ୍ରରୁ ଦେଖିବାକୁ ମିଳିଛି, ଚୀନ୍ ସେନା ସାମାନ୍ୟ ପଛକୁ ହଟିଥିଲେ ମଧ୍ୟ ସେଠାକାର ବିଭିନ୍ନ ସ୍ଥାନରେ ଅଧିକ ସଂଖ୍ୟକ ସୈନ୍ୟ ଠୁଳ କରିବାରେ ଲାଗିଛି । ସେଠାରେ ନୂଆ ସାମରିକ ଭିତ୍ତିଭୂମି ନିର୍ମାଣ କରିବାରେ ଲାଗିଛି । ଭାରତ ବି ସୀମାରେ ଅଧିକରୁ ଅଧିକ ସୈନ୍ୟ ସହ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ସଜାଗ ଅଛି । ଭାରତ-ଚୀନ ମଧ୍ୟରେ ଉତ୍ତେଜନା ବଢୁଛି ସିନା କମୁନି । ବର୍ଡରରେ ଏବେ ଯୁଦ୍ଧ ଭଳି ସ୍ଥିତି ଉପୁଜିଛି । ଚୀନ ଗଲୱାନ୍‌ ନିକଟରେ ସାମାନ୍ୟ ପଛକୁ ଘୁଞ୍ଚିଥିଲେ ବି ବିଭିନ୍ନ ସ୍ଥାନରେ ସୈନ୍ୟ ଠୁଳ କରିବାରେ ଲାଗିଛି । ବିଶେଷକରି ପାଂଗଙ୍ଗ ଲେକ୍‌, ଗଲୱାନ୍‌ ନଦୀ , ଓ ହଟ୍‌ସ୍ପ୍ରିଙ୍ଗର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ସୈନ୍ୟ ମୁତୟନ କରିଛି ଚୀନ୍‌ । ସେଠାରେ ନୂଆ ସାମରିକ ଭିତ୍ତିଭୂମୀ ନିର୍ମାଣରେ ଲାଗିଛି । ୧୦ ହଜାରରେ ଅଧିକ ସୈନ୍ୟ ମୁତୟନ କରିଛି । ଆର୍ଟିଲେରୀ ଗନ୍‌ ଓ ଟ୍ୟାଙ୍କ ନିୟୋଜିତ କରିଛି । ଭାରତ ମଧ୍ୟ ଏହାର  ଏହାର ମୁକାବିଲା ଲାଗି ରଣନୀତି ପ୍ରସ୍ତୁତ କରିଛି । ଲଦାଖରେ ଅତିରିକ୍ତ ୩ ଡିଭିଜନ ପାଖାପାଖି ୩୦ ହଜାର ସୈନ୍ୟ ମୁତୟନ କରିଛି । ଆହୁରି ଅଧିକ ସୈନ୍ୟଙ୍କୁ ପ୍ରସ୍ତୁତ ରଖାଯାଇଛି । ଭାରତୀୟ ସେନା ଅତ୍ୟାଧୁନିକ ଟି-୯୦ ଭିସ୍ମ ଟ୍ୟାଙ୍କ ଓ ଆର୍ଟିଲେରି ଗନ୍ ସହ ନିୟୋଜିତ କରିଛି । ପୂର୍ବ ଲଦାଖରେ ଲଦାଖ ସ୍କାଉଟ୍  ଓ ଆଇଟିବିପି ଯବାନଙ୍କୁ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚୀନ୍‌ କୌଣସି ହରକତ୍‌ କଲେ ଭାରତ ଏହାର କଡା ଜବାବ ଦେବ । ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଲଦାଖରେ ନିୟମିତ ପାଟ୍ରୋଲିଂ ଜାରି ରଖିଛନ୍ତି । ଲେହରେ ଭାରତୀୟ ସ୍ଥଳସେନା ଏବଂ ବାୟୁସେନା ମିଳିତ ଯୁଦ୍ଧାଭ୍ୟାସ କରିଛନ୍ତି । ବାୟୁସେନାର ସୁଖୋଇ-୩୦ ଏମକେଆଇ, ଚିନୁକ୍ ହେଲିକପ୍ଟର ଏବଂ ହରକ୍ୟୁଲେସ ପରି ସାମରିକ ପରିବହନ ବିମାନ ଏଥିରେ ଭାଗ ନେଇଥିଲେ । ଉଭୟ ବାହିନୀ ଭିତରେ ସମନ୍ବୟ ରଖିବା ଲକ୍ଷ୍ୟରେ ଏପରି କରାଯାଇଛି । ସୀମା ସ୍ଥିତି ସଂପର୍କରେ ସେନା ମୁଖ୍ୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଅବଗତ କରାଇଛନ୍ତି।

ସେପଟେ ଚୀନ୍ ଆଡ଼କୁ ମୁହାଁଇଛି ଆମେରିକା ସେନା । ଜର୍ମାନୀ ଓ ୟୁରୋପରେ ମୁତୟନ ଥିବା ତାର ସେନାକୁ ଆମେରିକା ପ୍ରତ୍ୟାହାର କରି ଚୀନ ଆଡକୁ ପଠାଇଛି । ପ୍ରଶାନ୍ତ ମହାସାଗରରେ ଆମେରିକା ୩ ଟି ଏୟାରକ୍ରାଫ୍ଟ କ୍ୟାରିଅର ସହ କିଛି ଯୁଦ୍ଧ ଯାହଜକୁ ନିୟୋଜିତ କରାଇଛି । ଚୀନର ଘୋର ବିରୋଧୀ ଭାବେ ଜଣାଶୁଣା ଆମେରିକା ଭାରତ-ଚୀନ ବିବାଦକୁ ଏକ ସୁଯୋଗ ଭାବେ ବିବେଚନା କରି ଏତିକି ବେଳେ ଚୀନ୍ କୁ ପାନେ ଦେବା ଚକ୍କରରେ ରହିଛି । ଚୀନ ଆଡ଼ୁ ଭାରତ ଏବଂ ଅନ୍ୟାନ୍ୟ ଏସୀୟ ରାଷ୍ଟ୍ର ଗୁଡ଼ିକ ପ୍ରତି ଥିବା ବିପଦର ମୁକାବିଲା ପାଇଁ ଆମେରିକା ଏଭଳି କରୁଥିବା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ସୂଚନା ଦେଇଛନ୍ତି । ସେହିଭଳି ଆମେରିକାର ପ୍ରଭାବଶାଳୀ ନେତା ଟେଡ୍‌ ୟୋହୁ ଟ୍ବିଟ୍‌ କରି କହିଛନ୍ତି ଦକ୍ଷିଣ ଏସିଆରେ ପଡୋଶୀ ଦେଶଙ୍କ ପ୍ରତି ଚୀନର ଆକ୍ରାମକ ସ୍ଥିତିକୁ ଆମେରିକା ବରଦାସ୍ତ କରିବ ନାହିଁ । ସେପଟେ ଦେଶରେ ଚୀନ୍‌ ସାମଗ୍ରୀ ବର୍ଜନକୁ ନେଇ ଜୋରଦାର ଅଭିଯାନ ଜାରି ରହିଛି । ଦିଲ୍ଲୀରେ ଆଜି ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *