ଏଥର ଭର୍ଚୁଆଲ୍ ଟୁର୍‌ରେ କୁଟିଆକନ୍ଧଙ୍କ ଜୀବନଶୈଳୀ

ଭୁବନେଶ୍ୱର : ରବିବାର ଭର୍ଚୁଆଲ୍ ଟୁରରେ ଦର୍ଶକମାନେ କୁଟିଆକନ୍ଧ ଜନଜାତିଙ୍କ ଜୀବନଶୈଳୀ ଓ ସଂସ୍କୃତି ସମ୍ପର୍କରେ ଜାଣିପାରିବେ । ଏନେଇ ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ସୂଚନା ଦେଇଛନ୍ତି । ଏହି ଭର୍ଚୁଆଲ୍ ଟୁର୍ ମାଧ୍ୟମରେ କୁଟିଆ କନ୍ଧ ଜନଜାତିମାନଙ୍କର ପାରମ୍ପରିକ କଳା ଓ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତି ପ୍ରଣାଳୀ ଦେଖିପାରିବେ । ମୁଖ୍ୟତଃ ରାୟଗଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ବସବାସ କରୁଥିବା ଏହି ଜନଜାତି ବାଉଁଶରୁ ବିଭିନ୍ନ ପ୍ରକାରର ସୌଖୀନ ଓ ସୁନ୍ଦର ପାନିଆ ତିଆରି

କରିବାରେ ସିଦ୍ଧହସ୍ତ ଅଟନ୍ତି । କୁଟିଆ କନ୍ଧ ଜନଜାତିର ମହିଳାମାନେ ସେମାନଙ୍କ କେଶକୁ ପାନିଆରେ ସଜାଇଥା’ନ୍ତି । ଏହି ପାନିଆଗୁଡ଼ିକ କେଶ ବିନ୍ୟାସ ସହ ଉପହାର ଦେବା ପାଇଁ ତିଆରି କରାଯାଇଥାଏ । ସେହିପରି ଡଙ୍ଗରିଆ କନ୍ଧମାନଙ୍କର ଏମ୍ବ୍ରଡରି ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ଏହି ଜନଜାତିର ମହିଳା ଓ ପୁରୁଷ ଭିନ୍ନ ଧରଣର ଶାଲ୍ ବ୍ୟବହାର କରନ୍ତି । ଏହି ଶାଲ୍‌ଗୁଡ଼ିକ ନାଲି, ହଳଦିଆ ଓ ସବୁଜ ରଙ୍ଗର ପାରମ୍ପରିକ ବସ୍ତ୍ର ଉପରେ ସୂଚୀଶିଳ୍ପରେ ତିଆରି କରାଯାଇଥାଏ । ଏହି ଜନଜାତିର ଲୋକମାନେ ସାଧାରଣତଃ କଳାପ୍ରିୟ । ତେଣୁ ସେମାନେ ବିଭିନ୍ନ ପ୍ରକାର କଳା ସାମଗ୍ରୀ ଓ ବସ୍ତ୍ର ବୁଣାବୁଣିରେ ବେଶ୍ ପାରଙ୍ଗମ । ସୂଚନା ଥାଉକି, କରୋନା ଯୋଗୁଁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସ୍‌ସିଏସ୍‌ଟିଆର୍‌ଟିଆଇଠାରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟ ବନ୍ଦ ରହିଛି । ଦର୍ଶକମାନେ ପ୍ରତି ରବିବାର ଫେସ୍‌ବୁକ୍ ଓ ଟ୍ୱିଟର୍ ପେଜ୍ ମାଧ୍ୟମରେ ଭଚ୍ଚୁଆର୍ଲ ଟୁର୍ ମାଧ୍ୟମରେ ସଂଗ୍ରହାଳୟ ପରିଦର୍ଶନ କରିପାରୁଛନ୍ତି । ଗତ ରବିବାର ନଭେମ୍ବର ୨୨ ତାରିଖ ରବିବାର ଦର୍ଶକ ପାଉଡ଼ି ଭୂୟାଁ ଓ ପାହାଡ଼ି ଖରିଆ ଜନଜାତିଙ୍କ ବିଷୟରେ ବିଭିନ୍ନ ତଥ୍ୟ ପ୍ରଦର୍ଶନ କରାଯାଇଥିଲା ।

Spread the love