ଏଥର ଗଡ଼ଗଡ଼ିଆରେ ହେବନି ବୋଇତ ବନ୍ଦାଣ

  • ଶ୍ରଦ୍ଧାଳୁ ନିରାଶ, କ୍ଷୁଦ୍ର ବ୍ୟବସାୟୀ ହତାଶ

  • ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ

କଟକ : କୋଭିଡ୍ ସଂକ୍ରମଣଙ୍କୁ ରୋକିବା ଲାଗି କଟକ ଜିଲ୍ଲା ପ୍ରଶାସନ ଚଳିତବର୍ଷର ଐତିହାସିକ ବାଲିଯାତ୍ରାକୁ ବନ୍ଦ କରିଦେଇଛନ୍ତି । ବାଲିଯାତ୍ରା ନହେଲା ନାହିଁ ପବିତ୍ର କାର୍ତ୍ତିକପୂର୍ଣ୍ଣିମାରେ ଗଡ଼ଗଡ଼ିଆ ଘାଟରେ ପରିବାର ସହ ଡଙ୍ଗାଭସାଇ ଆକାମାବୈ ଗାଇ ଶ୍ରଦ୍ଧାଳୁ ମନକୁ ବୁଝାଇ ପାରିଥାନ୍ତେ । ମାତ୍ର ଏ ସୁଯୋଗରୁ ରାଜ୍ୟ ସହ କଟକ ସହରବାସୀ ବଞ୍ôଚତ ହୋଇଛନ୍ତି । ରାଜ୍ୟ ସରକାର ଏନେଇ କଟକଣା ଜାରି କରିଛନ୍ତି । ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାନାମାରେ ନଦୀଘାଟରେ କିମ୍ବା ପୋଖରୀରେ ଡଙ୍ଗା ଭସାଇବା କିମ୍ବା ଗହଳି କରିବା ପାଇଁ ବାରଣ କରାଯାଇଛି । ଏହି ଖବର ପ୍ରସାରିତ ହେବା ପରେ ସହରବାସୀଙ୍କ ମନରେ ନୈରାଶ୍ୟ ଖେଳିଯାଇଛି । ସେହିପରି ରଙ୍ଗବେରଙ୍ଗର ସୋଲଡଙ୍ଗା ତିଆରି କରିଥିବା କ୍ଷୁଦ୍ର ବ୍ୟବସାୟୀମାନେ ହତାସ ହୋଇପଡିଛନ୍ତି ସରକାରଙ୍କ ଏହି କଟକଣା ନିଷ୍ପତ୍ତି ଯୋଗୁ । ଅନେକ କାରୀଗର ଚଳିତବର୍ଷ କାର୍ତ୍ତିକ ପୂର୍ଣ୍ଣିାମା ପାଇଁ ଡଙ୍ଗା ତିଆରି କରିସାରିଛନ୍ତି । ସେମାନଙ୍କର ପରିଶ୍ରମ ଏଥର ପାଣିରେ ପଡିଯାଇଛି । ପ୍ରାଚୀନ ନୌବାଣିଜ୍ୟର ଗୌରବକୁ ମନେପକାଇବା ଲାଗି ଓଡିଆମାନେ ଅତି ଶ୍ରଦ୍ଧାର ସହ କାତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ କରିଥାନ୍ତି । ପ୍ରତିବର୍ଷ କାର୍ତ୍ତିକପୂର୍ଣ୍ଣିମାରେ ମୁଖ୍ୟତଃ ମହାନଦୀର ଗଡଗଡିଆ ଘାଟଠାରୁ ଆରମ୍ଭ କରି କାଠଯୋଡି ନଦୀର ପୁରୀଘାଟ, ଗଣେଷଘାଟ ତଥା ଖାନନଗର ଘାଟରେ ସହରବାସୀ ପାରମ୍ପରିକ ରୀତିରେ ଡଙ୍ଗା ଭସାଇଥାନ୍ତି । ପ୍ରାତଃରେ ଡଙ୍ଗା ଭସା କାର୍ଯ୍ୟକ୍ରମ ଶେଷକରି ସେହି ସନ୍ଧ୍ୟାରେ ବାଲିଯାତ୍ରା ପଡିଆରେ ଆରମ୍ଭ ହୋଇଥିବା ଐତିହାସିକ ବାଲିଯାତ୍ରାକୁ ଉପଭୋଗ କରିଥାନ୍ତି । ପାର୍ବଣ ଋତୁର ଏହି ଶେଷପର୍ବରୁ ସହରବାସୀ ବେଶ୍ ମଜା ଉଠାଇଥାନ୍ତି । ଏହି ପରିପ୍ରେକ୍ଷୀରେ ଜାରି କଟକଣା ଓଡ଼ିଶାର ଐତିହ୍ୟ ତଥା ପରମ୍ପରା ପ୍ରତି ଏହି ନିଷ୍ପତ୍ତି ଏକ ଶକ୍ତଧକ୍କା ବୋଲି କେତେକ କଟକବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ବାଲିଯାତ୍ରା ନକରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବା ପରେ ମହାନଦୀର ଗଡ଼ଗଡ଼ିଆ ଘାଟରେ ବୋଇତ ବନ୍ଦାଣ ଉତ୍ସବ ଆୟୋଜନ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । କଟକ ମହାନଗର ତୈଳିକ ବୈଶ୍ୟ ସମାଜ ପକ୍ଷରୁ ଏହି ମାମଲାରୁଜୁ ହୋଇଛି । ଆବେଦନରେ ଦର୍ଶାଯାଇଛି ଯେ ପ୍ରତିବର୍ଷ ଅନୁଷ୍ଠାନ ପକ୍ଷରୁ ଗଡ଼ଗଡ଼ିଆ ଘାଟଠାରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଚଳିତବର୍ଷ କରୋନା ଭୂତାଣୁ ସଂକ୍ରମଣକୁ ନେଇ ଦେଖାଦେଇଥିବା ସ୍ଥିତିରେ ସାମାଜିକ ଦୂରତ୍ୱ ବଜାୟ ରଖି, ମାସ୍କ ପିନ୍ଧି ଓ ସରକାରଙ୍କ ଅନ୍ୟାନ୍ୟ ନିୟମାବଳୀ ପାଳନ କରି ବୋଇତ ବନ୍ଦାଣ ଉତ୍ସବ ଆୟୋଜନ କରାଯାଇପାରିବ । ଏଥିପାଇଁ ଅନୁମତି ଦିଆଯାଉ ବୋଲି ଦର୍ଶାଇ ଉକ୍ତ ସଂଗଠନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ପୂର୍ବରୁ ଓଡିଆ ସାଧବପୁଅ ଇଣ୍ଡୋନେସିଆ, ଜାଭା, ମାଲେସିୟା, ବାଲି ଭଳି ଦୀପକୁ ବଣିଜ ପାଇ ଯାତ୍ରାକରିବା ସ୍ମୃତିକୁ ଜୀବିତ ରଖିବା ଲାଗି ବୋଇତ ବନ୍ଦାଣ କରିବାକୁ ଅନୁମତି ଦେବାକୁ ଅନୁଷ୍ଠାନ ଅଦାଲତକୁ ନିବେଦନ କରିଛି । ଏଭଳି ସଂସ୍କୃତି ଓ ପରମ୍ପରା ସହିତ ଜଡିତ କାର୍ଯ୍ୟକ୍ରମକୁ ବନ୍ଦ କରାଯିବା ଉଚିତ୍ ନୁହେଁ, କୋଭିଡ-୧୯ ନିୟମ ମାନି ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁଷ୍ଠାନ ପ୍ରସ୍ତୁତ ଥିବାବେଳେ ଏଥିପାଇଁ ପ୍ରଶାସନ ଅନୁମତି ଦେବା ଉଚିତ୍ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।

Spread the love