ଏଣିକି ବିବାହ ଉତ୍ସବରେ ସର୍ବାଧିକ ୨୦୦ ଲୋକ ସାମିଲ ହୋଇ ପାରିବେ

  • ରାଜ୍ୟ ସରକାରଙ୍କ ପକ୍ଷରୁ ଡିସେମ୍ବର ଗାଇଡଲାଇନ୍‌ ଜାରି

ଭୁବନେଶ୍ୱର : ରାଜ୍ୟ ସରକାର ସୋମବାର ସନ୍ଧ୍ୟାରେ ଡିସେମ୍ବର ମାସ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍‌ ଅନୁଯାୟୀ, ବିବାହ ଉତ୍ସବରେ ଏଣିକି ସର୍ବାଧିକ ୨୦୦ ଲୋକ ସାମିଲ ହୋଇ ପାରିବେ। ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ନିଷ୍ପତ୍ତି ନେବେ। ଏପରିକି ମନ୍ଦିର ଖୋଲିବା ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି। ଏତିସହିତ ଅଙ୍ଗନବାଡ଼ି ଓ ସିନେମା ହଲ ପୂର୍ବ ପରି ବନ୍ଦ ରହିବ ବୋଲି ଉଲ୍ଲେଖ ରହିଛି।

ତେବେ କଣ୍ଟେନମେଣ୍ଟ ଜୋନରେ କେବଳ ଜରୁରୀ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ଜରୁରୀକାଳୀନ ଚିକିତ୍ସା ସୁବିଧା, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ଯୋଗାଣକୁ ବଜୟା ରଖିବାକୁ ଏହି ଜୋନ୍‌ ଗୁଡ଼କରେ କିମ୍ବା ବାହାରେ ଲୋକମାନଙ୍କର ଚଳାଚଳକୁ ଅନୁମତି ମିଳିବ। ଅନ୍ୟ ସବୁ କ୍ଷେତ୍ରରେ କଡ଼ାକଡ଼ି ନିୟମ ପାଳନ କରାଯିବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି। ଅନ୍ତିମ ଶବ ସଂସ୍କାରରେ ସର୍ବାଧିକ ୫୦ ଜଣ ସାମିଲ ହୋଇ ପାରିବେ। ଏଥିସହିତ ବିବାହରେ ଶୋଭାଯାତ୍ରା ପାଇଁ ଅନୁମିତି ମିଳିବ ନାହିଁ। ରାଜ୍ୟର ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଡିସେମ୍ବର ୧ରୁ ୩୧ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ବଳବତ୍ତର ରହିବ।

ସୂଚନାଥାଉକି, ଶନିବାର ରାଜ୍ୟ ସରକାର ଏକ ଗାଇଡଲାଇନ ଜାରି କରିଥିଲେ। ଗାଇଡଲାଇନ୍‌ ଅନୁଯାୟୀ ଡିସେମ୍ବର ପହିଲାରୁ ସମସ୍ତ ସରକାରୀ ଅଫିସରେ ୭୫ ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବେ। ପ୍ରତି ଶନିବାର ଓ ରବିବାର ଦିନ ବନ୍ଦ ରହିବ ସରକାରୀ ଅଫିସ୍‌। ଏଥିସହିତ ଏସଆରସି-ଓଏସ୍‌ଡିଏମଏ ଅଫିସରେ ୧୦୦ ପ୍ରତିଶତ କର୍ମଚାରୀରେ ଅଫିସ କାର୍ଯ୍ୟ ଚାଲିବ। ପୁଲିସ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ଅଗ୍ନି ବିଭାଗ ଆଦି ଅଫିସରେ ଶତ ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବେ। ସମସ୍ତ ବିଭାଗର ମୁଖ୍ୟ କାର୍ଯ୍ୟାଳୟରେ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ହେବ ବୋଲି ନୂଆ ଗାଇଡଲାଇନରେ ପ୍ରକାଶ ପାଇଥିଲା।

Spread the love