ଏଣିକି ଧର୍ମଘଟକୁ ପ୍ରୋତ୍ସାହନ ଦେଲେ ଅର୍ଥ ଏବଂ ଜେଲ ଦଣ୍ଡ

  • ତିନୋଟି ବିଲ ବିଧାନସଭାରେ ପାରିତ, ୨ଟି ବିଲ ଉପସ୍ଥାପିତ

ଭୁୁବନେଶ୍ୱର : ଏଣିକି ଧର୍ମଘଟକୁ ପ୍ରୋତ୍ସାହନ ଦେଲେ ବା ଆର୍ଥିକ ସହାୟତା ଦେଲେ ପ୍ରୋତ୍ସାହନକାରୀଙ୍କୁ ଅର୍ଥ ଏବଂ ଜେଲ ଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଓଡ଼ିଶା ଅତ୍ୟାବଶ୍ୟକ ସେବା (ରକ୍ଷଣା ବେକ୍ଷଣ ସଂଶୋଧନ ବିଧେୟକ) ଆଗତ କରିଥିଲେ । ଏହା ଉପରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଆଲୋଚନାର ଉତର ମନ୍ତ୍ରୀ ଦେବା ପରେ ତାହା ଗୃହୀତ ହୋଇଥିଲା । ଆଲୋଚନା କାଳରେ ବିରୋଧୀ ଦଳର ସଦସ୍ୟମାନେ ଉକ୍ତ ବିଲକୁ ବିରୋଧ କରିବା ସହ ଏହା ଏକ କଳା ଆଇନ ବୋଲି ବର୍ଣ୍ଣନା କରିଥିଲେ । ଶ୍ରମିକ କର୍ମଚାରୀ ମାନଙ୍କର ଥିବା ଗଣତାନ୍ତ୍ରିକ ଅଧିକାର ଏହା ଦ୍ୱାରା କ୍ଷୁର୍ଣ୍ଣ ହେବ ବୋଲି ସେମାନେ କହିଥିଲେ ।

ଆଲୋଚନାର ଉତର ଦେଇ ମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ ଯେ, ଓଡ଼ିଶା ଜନ ସମୁଦାୟଙ୍କର ସାଧାରଣ ଜୀବନକୁ ସୁଗମ କରିବା ପାଇଁ କେତେକ ଅତ୍ୟାବଶ୍ୟକୀୟ ସେବାକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଅତ୍ୟାବଶ୍ୟକ ସେବା (ରକ୍ଷଣା ବେକ୍ଷଣ ଅଧିନିୟମ-୧୯୮୮) ପ୍ରଣୟନ କରାଯାଇଥିଲା । ମାତ୍ର ଏହାର କାର୍ଯ୍ୟ ପରିସର ଖୁବ୍ ସୀମିତ ଥିଲା । ଏହି ଅଧିନିୟମ ଅନ୍ତର୍ଗତ ସେବା ଗୁଡ଼ିକର କାର୍ଯ୍ୟ ପରିଷଦ ବିସ୍ତୃତ କରିବା ଲକ୍ଷ୍ୟରେ ଯେଉଁ ସେବା ବ୍ୟାହତ ହେଲେ ସାଧାରଣ ଜନଜୀବନ ପ୍ରଭାବିତ ସଂଗେ ସଂଗେ ସାଧାରଣ ପ୍ରଶାସନ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏହି ଅଧିନିୟମର ସଂଶୋଧନ କ୍ରମେ ସେହି ସେବା ଗୁଡ଼ିକୁ ଏହାର ପରିସରଭୁକ୍ତ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ସେବା ଗୁଡ଼ିକ ହେଲା – ଅଗ୍ନି ନିରାପତା, ସାଧାରଣ ଶୃଙ୍ଖଳା ଓ ଜନସାଧାରଣଙ୍କ ସୁରକ୍ଷା ନିରାପତା ସହ ଜଡ଼ିତ ଯେ କୌଣସି ସେବା । ଅବକାରୀ, ଜଙ୍ଗଲ, କାରାଗାର ଓ ସଂସ୍କାର ସେବା, ଖାଦ୍ୟ ଶସ୍ୟ କ୍ରୟ, ସଂଗ୍ରହ, ସଂରକ୍ଷଣ, ଯୋଗାଣ ଓ ବଂଟନ କାର୍ଯ୍ୟରେ ସମ୍ପୃକ୍ତ ରାଜ୍ୟ ସରକାରଙ୍କର ମାଲିକାନାଭୁକ୍ତ ଓ ନିୟନ୍ତ୍ରଣାଧିନ ଯେ କୌଣସି ସଂସ୍ଥା ଉଦ୍ୟୋଗ ଅଥବା ଏଜେନସି, ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ଓ ଯୋଗାଯୋଗ ସହ ଜଡ଼ିତ ରାଜ୍ୟ ସରକାରଙ୍କର ନିୟନ୍ତ୍ରଣାଧିନ କୌଣସି ସଂସ୍ଥା ଉଦ୍ୟୋଗ । ଯଦି ସରକାରଙ୍କ ବିଚାରରେ ଅନ୍ୟ ଯେ କୌଣସି ସେବା ପ୍ରସଙ୍ଗରେ ଧର୍ମଘଟ କାରଣରୁ କୌଣସି ଲୋକ ଉପଯୋଗୀ ସେବା ଓ ସାଧାରଣ ସୁରକ୍ଷା ବିପନ୍ନ ହୁଏ ସେହି ସେବା ଗୁଡ଼ିକ ସରକାରୀ ଅଧିସୂଚନା ମାଧ୍ୟମରେ ଅତ୍ୟାବଶ୍ୟକ ସେବା ଭାବେ ଅଧିସୂଚୀତ ହେବ ।
ଶେଷରେ ସେ କହିଲେ ଯେ, ବେଆଇନ ଧର୍ମଘଟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଜାଣି ଶୁଣି ଅର୍ଥ ଖର୍ଚ୍ଚ କରୁଥିବା କିମ୍ବା ତାହାକୁ ସମର୍ଥନ କରି ଆର୍ଥିକ ସାହାଯ୍ୟ ଯୋଗାଇ ଦେଉଥିବା ବ୍ୟକ୍ତିକୁ ୧ ବର୍ଷ ଜେଲ୍ ଦଣ୍ଡ ଓ ୫ ହଜାର ଟଙ୍କା ଜୋରିମାନା ଅଥବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି । ଅଧିନିୟମ ଅନୁଯାୟୀ ଧର୍ମଘଟରେ ଅଂଶଗ୍ରହଣ କରିବା ବେଆଇନ୍ ହୋଇଥିଲେ ବି ଏଥିରେ ଅଂଶ ଗ୍ରହଣ କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଅତ୍ୟାବଶ୍ୟକ ସେବା ନିୟମରେ କୌଣସି ବ୍ୟବସ୍ଥା ନାହିଁ । ତେଣୁ ବର୍ତମାନ ଏହି ବ୍ୟବସ୍ଥାକୁ ସାମିଲ କରାଯାଇଛି । ଯଦି କୌଣସି କର୍ମଚାରୀ ଧର୍ମଘଟରେ ଅଂଶ ଗ୍ରହଣ କରନ୍ତି ତାକୁ ବେଆଇନ ଭାବେ ବିବେଚନା କରାଯିବ କିମ୍ବା ଅନ୍ୟକୁ ଧର୍ମଘଟ କରିବା ପାଇଁ କିମ୍ବା ଏଥିରେ ସାମିଲ ହେବା ପାଇଁ ପ୍ରରୋଚନା କରନ୍ତି ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ବିଲ୍ ଆଲୋଚନାରେ ବିରୋଧି ଦଳର ନେତା ପ୍ରଦୀପ ନାୟକ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ସୁରେଶ କୁମାର ରାଉତରାୟ, ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଅଂଶ ଗ୍ରହଣ କରିଥିଲେ । ସେମାନେ ଏହି ବିଲ୍‌କୁ କଳା ବିଲ କହିଥିଲେ । ତୁରନ୍ତ ଏହାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ । ମାତ୍ର ସରକାର ଏହାକୁ ଗ୍ରହଣ କରିନଥିଲେ । ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ବିଜେଡ଼ି ବିଧାୟକ ଅମର ଶତପଥି ଏହି ବିଲ୍‌କୁ ସମର୍ଥନ କରିଥିଲେ ।
ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଓଡ଼ିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା (ସଂଶୋଧନ ବିଲ୍‌-୨୦୨୦) ଆଗତ କରିଥିଲେ । ଏହା ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା । ସେହିପରି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଣିଥିବା ଓଡ଼ିଶା ଲୋକାୟୁକ୍ତ (ସଂଶୋଧନ ବିଲ୍‌-୨୦୨୦) ମଧ୍ୟ ଗୃହୀତ ହୋଇଥିଲା । ଏହି ବିଲ୍ ଆଲୋଚନାରେ ନରସିଂହ ମିଶ୍ର ଅଂଶଗ୍ରହଣ କରି ତାଙ୍କର ମତାମତ ରଖିଥିଲେ ।
ଆଲୋଚନାରେ ଉତର ଦେଇ ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ ଯେ, ଓଡ଼ିଶା ଲୋକାୟୁକ୍ତ ଅଧିନିୟମ, ୨୦୧୪ର ଧାରା ୮ (୧) ବ୍ୟବସ୍ଥା ଅନୁଯାୟୀ ଅଧ୍ୟକ୍ଷ ଓ ସଦସ୍ୟମାନେ ପଦତ୍ୟାଗ କରିବା ପରେ ସେମାନଙ୍କର ଉଭୟ ରାଜ୍ୟ ଭିତରେ ତଥା ସାରା ଦେଶରେ ପୂର୍ଣ୍ଣ ନିଯୁକ୍ତି କିମ୍ବା ନିୟୋଜନ ପାଇଁ କେତେକ କଟକଟା ବ୍ୟବସ୍ଥା ରହିଛି । ଅଧ୍ୟକ୍ଷ ଓ ସଦସ୍ୟମାନେ ପଦରହିତ ହେବା ପରେ ସେମାନଙ୍କର ରାଜ୍ୟ ବାହାରେ ପୁନଃ ନିଯୁକ୍ତି କିମ୍ବା ପୁନଃ ନିୟୋଜନ କିମ୍ବା କୌଣସି କୂଟନୈତିକ ସମର୍ପଣ ନେବାରେ କଟକଣା ସୃଷ୍ଟି କରୁଛି । ସେ ଅସୁବିଧା ଗୁଡ଼ିକୁ ଦୂର କରିବା ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ସଂଶୋଧନ କରିବା ନିମନ୍ତେ ନିଷ୍ପତି ନେଇଛନ୍ତି । କ୍ୟାବିନେଟର ନିଷ୍ପତି ଆଧାରରେ ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଧେୟକ-୨୦୨୦ ଅଣାଯାଇଛି ।

ସେହିପରି ଆଇନ ପ୍ରଣୟନ ପାଇଁ ରାଜ୍ୟ ଶ୍ରମ ଓ ନିୟୋଜନ ମନ୍ତ୍ରୀ ସୁଶାନ୍ତ ସିଂହ ଚୁକ୍ତିଭିତିକ ଶ୍ରମିକ (ବିନିୟମ ଓ ଉଚ୍ଛେଦ) ଓଡିଶା ସଂଶୋଧନ ବିଲ ଏବଂ କମ୍ପାନୀ ଓଡିଶା ସଂଶୋଧନ ବିଲ -୨୦୨୦ ଆଗତ କରିଥିଲେ । ଏହି ବିଲ ଗୁଡିକର ଆଲୋଚନାର ସମୟ ଓ ତାରିଖ ଧ୍ୟାର୍ଯ୍ୟ କରିବା ପାଇଁ କାର୍ଯ୍ୟ ପରାମର୍ଶଦାତା ସମିତିକୁ ପଠାଇବା ନିମନ୍ତେ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏକ ପ୍ରସ୍ତାବ ଆଣିଥିଲେ ଓ ତାହା ବାଚନିକ ଭୋଟରେ ଗୃହୀତ ହୋଇଥିଲା ।

Spread the love