ଈଶାନ୍ତ ଆଉଟ୍‌, ଦିନିକିଆରେ ନଟରାଜନ୍ ବ୍ୟାକଅପ୍‌

ମୁମ୍ବାଇ : ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ୍ ଇଣ୍ଡିଆକୁ ବଡ଼ ଧକ୍କା ଲାଗିଛି । ଫାଷ୍ଟ ବୋଲର ଈଶାନ୍ତ ଶର୍ମା ସାଇଡ୍ ଷ୍ଟ୍ରେନ୍ କାରଣରୁ ଟେଷ୍ଟ ଟିମ୍‌ରୁ ବାଦ୍ ପଡ଼ିଛନ୍ତି । ବିସିସିଆଇ ଏହା ସ୍ପଷ୍ଟ କରିଛି । ସେହିପରି ଯୁବ ଫାଷ୍ଟ ବୋଲର୍ ଟି ନଟରାଜନଙ୍କୁ ଦିନିକିଆ ଟିମ୍‌ରେ ନବଦୀପ ସୈନୀଙ୍କ ବ୍ୟାକ୍ ଅପ୍ ଭାବେ ସାମିଲ କରାଯାଇଛି । ଅନ୍ୟପକ୍ଷରେ ରୋହିତ ଶର୍ମାଙ୍କ ଆଘାତ ଉପରେ ନଜର ରଖାଯାଇଛି ଏବଂ ଡିସେମ୍ବର ୧୧ରେ ତାଙ୍କ ଆହତ ସମସ୍ୟାର ମୂଲ୍ୟାୟନ କରାଯିବ ବିସିସିଆଇ ପକ୍ଷରୁ କୁହାଯାଇଛି । ବିସିସିଆଇ ପକ୍ଷରୁ କୁହାଯାଇଛି, ଈଶାନ୍ତ ସାଇଡ୍ ଷ୍ଟ୍ରେନ୍ ଇଞ୍ଜୁରିରୁ ରିକଭରି ପାଇସାରିଛନ୍ତି । ମାତ୍ର ଏବେ ବି ସେ ଫିଟ୍‌ନେସ୍ ହାସଲ କରୁଛନ୍ତି ଏବଂ ୱାର୍କଲୋଡ୍ ଉପରେ କାମ କରୁଛନ୍ତି । ସେଥି ଯୋଗୁଁ ତାଙ୍କୁ ବର୍ଡର-ଗାଭାସ୍କର ଟ୍ରଫିରୁ ବାଦ୍ ଦିଆଯାଇଛି । ସେହିପରି ରୋହିତଙ୍କର ବାଙ୍ଗାଲୋର ଏନ୍‌ସିଏରେ ରିହାବିଲିଟେସନ୍ ଚାଲିଛି । ୧୧ ତାରିଖରେ ପୁଣିଥରେ ତାଙ୍କ ମୂଲ୍ୟାୟନ କରାଯିବ । ଏଥିରୁ ସ୍ପଷ୍ଟ ହୋଇପାରିବ ଯେ ସେ ଆଗାମୀ ଟେଷ୍ଟ ସିରିଜ୍‌ରେ ଖେଳିପାରିବେ କି ନାହିଁ । ଅନ୍ୟପକ୍ଷରେ ଫାଷ୍ଟବୋଲର୍ ନଟରାଜନ୍‌ଙ୍କୁ ଟି-୨୦ ପରେ ଦିନିକିଆ ଟିମ୍‌ରେ ମଧ୍ୟ ସାମିଲ କରାଯାଇଛି । ସେ ସୈନୀଙ୍କ ବ୍ୟାକ୍‌ଅପ୍ ଭାବେ ଟିମ୍‌ରେ ସାମିଲ ହୋଇଛନ୍ତି । ସୈନୀଙ୍କର ଏବେ ବ୍ୟାକ୍ ସ୍ପାଜମ୍ ସମସ୍ୟା ଦେଖାଦେଇଛି ।

Spread the love