‘ଆ-କା-ମା-ବୈ’ର ମହତ୍ତ୍ୱ

କାର୍ତ୍ତିକ ପୂର୍ଣ୍ଣମୀ ପ୍ରତ୍ୟୁଷରେ ଡଙ୍ଗା ଭସାଇବା ବେଳେ ସାଧାରଣତଃ ବୋଲା ଯାଇଥାଏ

‘‘ଆ-କା-ମା-ଭୈ, ପାନ ଗୁଆ ଖାଇ।

ପାନ ଗୁଆ ତୋର, ମାସିକ ଧରମ ମୋର।’’

ଏହାକୁ ପ୍ରାଚୀନ ଉତ୍କଳର ସମୃଦ୍ଧ ନୈବାଣିଜ୍ୟ ସହିତ ଯୋଡ଼ି ଅନେକେ ଅର୍ଥ କରିଥାଆନ୍ତି- ‘ଆ-କା’ର ଅର୍ଥ ଆଷାଢ଼ ଓ କାର୍ତ୍ତିକ ଏବଂ ‘ମା ଭୈ’ର ଅର୍ଥ ଭୟ କରନାହିଁ। ପୂର୍ବେ ଉତ୍କଳର ସାଧବ ପୁଅମାନେ ଦରିଆପାରି ରାଇଜରେ ବେପାର କରୁଥିଲେ। ଯିବାପାଇଁ କାର୍ତ୍ତିକ ଏବଂ ଫେରିବାପାଇଁ ଆଷାଢ଼ ଥିଲା ନିରାପଦ ମାସ; କାରଣ, ଏହି ସମୟରେ ସାମୁଦ୍ରିକ ଝଡ଼ର ଭୟ ନଥାଏ। ସେଥିପାଇଁ କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସାଇବାବେଳେ ‘ଆ-କା-ମା-ଭୈ’ ବୋଲାଯାଏ।

କିନ୍ତୁ ‘ଆ-କା-ମା-ଭୈ’ ପ୍ରକୃତରେ ‘ଆ-କା-ମା-ବୈ’। ଏହା ପାରମ୍ପରିକ ଭାବରେ ସ୍ୱୀକୃତ ଚାରି ଧର୍ମମାସର ସୂଚନା। ‘ଆ’ ହେଉଛି ଆଷାଢ଼, ‘କା’ ହେଉଛି କାର୍ତ୍ତିକ, ‘ମା’ ହେଉଛି ମାଘ ଓ ‘ବୈ’ ହେଉଛି ବୈଶାଖ। ଏହି ଚାରିମାସ ହିନ୍ଦୁଙ୍କର ପୁଣ୍ୟମାସ। ଏହି ଚାରିମାସରେ ବ୍ରତ କରି, ମାସ ଶେଷର ପୂର୍ଣ୍ଣମୀରେ ଦାନ ଆଦି କଲେ ପରମ ପୁଣ୍ୟ ମିଳେ।

ଆମର ଧାର୍ମିକ ପରମ୍ପରାରେ ‘କା-ମା-ବୈ’ ଅର୍ଥାତ୍ କାର୍ତ୍ତିକ, ମାଘ ଓ ବୈଶାଖରେ ହବିଷ୍ୟ ପାଳନର ବ୍ୟବସ୍ଥା ଅଛି। ଏହି ତିନି ମାସକୁ ନେଇ ‘ମାହାତ୍ମ୍ୟ’ ମାନ ମଧ୍ୟ ରଚିତ ହୋଇଛି। ‘ପଦ୍ମପୁରାଣ’ର ‘ଉତ୍ତରଖଣ୍ଡ’ ଆଧାରରେ ମହାଦେବ ଦାସ ‘କାର୍ତ୍ତିକ ମାହାତ୍ମ୍ୟ’ ରଚନା କରିଛନ୍ତି। ସେହିପରି ନୃସିଂହ ଦାସଙ୍କ ପୁତ୍ର କୃଷ୍ଣ ଦାସ (ଭକ୍ତକବି ଦୀନକୃଷ୍ଣ ଦାସ) ‘ମାଘ ମାହାତ୍ମ୍ୟ’ର ରଚୟିତା। ‘ସ୍କନ୍ଦପୁରାଣ’ ଆଧାରରେ ମଧ୍ୟ ‘ବୈଶାଖ ମାହାତ୍ମ୍ୟ’ ରଚିତ ହୋଇଛି। ଭକ୍ତକବି ଶ୍ରୀରାମ ଦାସ ଏହାର ରଚୟିତା। କିନ୍ତୁ ‘ଆ’ ଅର୍ଥାତ୍ ଆଷାଢ଼ ମାସରେ ହବିଷ୍ୟ ପାଳନର ବିଧାନ ଆମ ପରଂପରାରେ ନଥିଲେ ମଧ୍ୟ, ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଦୃଷ୍ଟିରୁ ଏହାକୁ ପବିତ୍ର ମାସ ରୂପେ ଗ୍ରହଣ କରାଯାଇଥାଏ।

‘ଆ-କା-ମା-ବୈ’ର ଏହି ଧାର୍ମିକ ପରଂପରା କେବଳ ଯେ ଆମ ଓଡ଼ିଶାରେ ଅଛି, ତାହା ନୁହେଁ। ‘ମତ୍ସ୍ୟପୁରାଣ’ରେ ଏହାର ଉଲ୍ଲେଖ ମିଳେ। ବିଷୁବ ସଂକ୍ରାନ୍ତିରେ ଦାନ କଲେ, ଏହି ଧର୍ମ ମାସଗୁଡ଼ିକର ପୁଣ୍ୟ ଫଳ ମିଳେ ବୋଲି ସେଥିରେ କୁହାଯାଇଛି।

ଏଣୁ କାର୍ତ୍ତିକ ପୂର୍ଣ୍ଣମୀର ଡଙ୍ଗାଭସା ବେଳର ଏହି ଲୋକଗୀତର ସଂକେତ ଅତି ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଆମକୁ ଆମର ଧାର୍ମିକ ପରମ୍ପରା ସହିତ ହିଁ ଯୋଡ଼ିଥାଏ।

Spread the love