ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲା ; ଜେଲ ଗଲେ ପାଠକ ବାପ-ପୁଅ

ଭୁବନେଶ୍ୱର : ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ବରିଷ୍ଠ ଆଇଏଫଏସ୍ ଅଧିକାରୀ ତଥା ରାଜ୍ୟର ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ ଏବଂ ତାଙ୍କର ପୁଅ ଆକାଶ ପାଠକ ରାଜ୍ୟ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଜାମିନ୍ ଖାରଜ ହେବା ପରେ ସେମାନଙ୍କୁ ଜେଲ୍ ଯିବାକୁ ପଡିଛି । ଶୁକ୍ରବାର ଦିନ ପାଠକ ବାପ-ପୁଅଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ଜାମିନ୍ ଖାରଜ ହେବା ପରେ କୋର୍ଟ ସେମାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଭିଜିଲାନ୍ସ ପକ୍ଷରୁ ରିମାଣ୍ଡରେ ନେବା ଲାଗି ହୋଇଥିବା ଆବେଦନ କୋର୍ଟ ମଞ୍ଜୁର କରି ନଥିବା ଜଣାପଡ଼ିଛି । ଗତ ତିନିଦିନ ହେଲା ଅଭୟକାନ୍ତଙ୍କର ରାଜ୍ୟ ଓ ରାଜ୍ୟ ବାହାରେ ଥିବା ବିଭିନ୍ନ ଘର, ଫାର୍ମ ହାଉସ୍ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରି ସଂପତି ଯାଂଚ କରିଥିଲା । ଭୁବନେଶ୍ୱର, ମୁମ୍ବାଇ, ପୁନେ, ଉଦୟପୁରରେ ଭିଜିଲାନ୍ସର ଚଢାଉ ସମୟରେ ଅଭୟକାନ୍ତ ପାଠକଙ୍କର ଘରୁ ମିଳିଛି ପ୍ରାୟ ୬୦ଲକ୍ଷ ଟଙ୍କା ନଗଦ,୮୦୦ଗ୍ରାମର ସୁନା ଅଳଙ୍କାର ମିଳିବା ସହିତ ୨୩ ଲକ୍ଷ ଟଙ୍କାର ସୁନାଗହଣା କିଣାଯାଇଥିବାର କାଗଜପତ୍ର ଜବତ ହୋଇଥିଲା । ଅଭୟକାନ୍ତଙ୍କ ପୁଅ ଆକାଶଙ୍କ ଆକାଉଂଟରେ ୯.୪ କୋଟି ଟଙ୍କା ଜମା ହୋଇଥିବା ଜଣାପଡିଥିଲା । ଏହି ଟଙ୍କା ମଧ୍ୟରୁ କେବଳ ଭୁବନେଶ୍ୱରରେ ଜମା ହୋଇଛି ୮.୪ କୋଟି ଟଙ୍କା । ଅଧିକାଂଶ ଟଙ୍କା ଭୁବନେଶ୍ୱରର ସହିଦ ନଗର ଏବଂ ନୟାପଲ୍ଲୀରେ ଥିବା ଏଟିଏମ ମାଧ୍ୟମରେ ଜମାହୋଇଛି । ପୁଅ ଆକାଶ ନାଁରେ ମର୍ସିଡିଜ, ବିଏମଡବ୍ଲୁ, ଟାଟା ହାରିୟର ଭଳି ୩ଟି ଦାମୀ ଗାଡି ରହିଛି । ସେହିପରି ୩ଟି ୟାମାହା ଏଫଜେଡଏସ ମୋଟରସାଇକେଲ ମଧ୍ୟ ଆକାଶ ନାଁରେ ରହିଛି । ଅପରପକ୍ଷରେ ଅଭୟକାନ୍ତ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ କିଛି ବି ଠକେଇ ହୋଇନି । ସବୁ ଠିକ ଅଛି, ତାଙ୍କ ପୁଅର ମାସିକ ଦରମା କୋଟିଏ ଟଙ୍କା ।

Spread the love