ଆସନ୍ତାକାଲି ନାଗାର୍ଜୁନ ବେଶରେ ସଜ୍ଜିତ ହେବେ ମହାପ୍ରଭୁ

  • ଆଜି ରାତିରୁ ପୁରୀରେ ୧୪୪ : ପତିତପାବନ ଦର୍ଶନ ବନ୍ଦ

ପୁରୀ : ଶ୍ରୀମନ୍ଦିରରେ ଶୁକ୍ରବାର ତିନି ଠାକୁରଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । ଚକ୍ରକୋଟ ଜାଗାରେ ସରିଲା ବେଶ ନିର୍ମାଣ। ଆଜି ବେଶର ହେବ ପୂଜାର୍ଚ୍ଚନା ସହ ମଙ୍ଗଳାର୍ପଣ। ଘଣ୍ଟଘଣ୍ଟା ଛତି କାହାଳୀ ସହ ବେଶ ଯିବ ଶ୍ରୀମନ୍ଦିର। ରାତି ୩ଟା ମଧ୍ୟରେ ପହଞ୍ଚିବା ପାଇଁ ହୋଇଛି ବ୍ୟବସ୍ଥା । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଏନେଇ ଗୁରୁବାର ରାତି ୨ଟାରୁ ବେଶ ଓଲାଗି ପର୍ଯ୍ୟନ୍ତ ପୁରୀରେ ୧୪୪ ଧାରା ବଳବତର ରହିବ । ରିଚକୋଟ ଛକରୁ ସିଂହଦ୍ୱାର ଓ ମନ୍ଦିର ଚତୁଃପାଶ୍ୱର୍ରେ ୧୪୪ ଧାରା ଜାରି କରାଯିବ । ଏଥିଯୋଗୁଁ ଭକ୍ତ ପତିତପାବନଙ୍କ ଦର୍ଶନରୁ ବଂଚିତ ହେବେ । ହରଚଣ୍ଡୀ ସାହିରୁ ନାଗାବେଶକୁ କଡ଼ା ସୁରକ୍ଷାରେ ଅଣାଯିବା ନେଇ ସ୍ଥିର ହୋଇଛି । ନାଗାର୍ଜୁନ ବେଶ ଲାଗି ସହରରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସୁରକ୍ଷା ଦାୟିତ୍ୱରେ ୨ଜଣ ଏଏସ୍‌ପି, ୭ଜଣ ଡିଏସ୍‌ପି, ୧୯ଜଣ ଏସ୍‌ଆଇ, ୭୭ ଜଣ ଏଏସ୍‌ଆଇ ନିଯୁକ୍ତି ରହିବେ । ଜିଲା ବାହାର ଲୋକଙ୍କୁ ପୁରୀ ନ ଆସିବା ଲାଗି ନିବେଦନ କରାଯାଇଛି ।

ସୂଚନା ଯେ, ଦୀର୍ଘ ୨୫ବର୍ଷ ବ୍ୟବଧାନରେ ଏହା ବେଶ ଅନୁଷ୍ଠିତ ହେଉଛି । କୋଭିଡ୍ କଟକଣା ଯୋଗୁଁ ଭିଡ କମାଇବା ପାଇଁ ଏହାକୁ ଭକ୍ତମାନେ ଦେଖିପାରିବେ ନାହିଁ । ଶ୍ରୀମନ୍ଦିର ଇତିହାସରେ ଏହା ପ୍ରଥମ ଘଟଣା ହେବାକୁ ଯାଉଛି । ରାତି ୨ଟାରେ ଶ୍ରୀମନ୍ଦିର କବାଟ ଖୋଲାଯିବ ଏବଂ ୨.୩୦ମିନିଟ୍ ସୁଦ୍ଧା ବେଶ ପାଇଁ ଥିବା ସାଜ ସରଞ୍ଜାମ ମନ୍ଦିର ଭିତରକୁ ଆସିବ । ନାଗାର୍ଜୁନ ବେଶରେ ଶ୍ରୀମନ୍ଦିର ଭିତରକୁ ଦର୍ଶନାଥୀମାନଙ୍କୁ ଛଡ଼ାଯିବ ନାହିଁ । ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ । ସମସ୍ତ ସେବାୟତ ନିଯୋଗ ଶୃଙ୍ଖଳିତ ଭାବେ ବେଶର ନୀତିକାନ୍ତି ସମ୍ପାଦନ ପାଇଁ ସହଯୋଗ କରିବେ । ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତମାନେ ମିଶି ମହାପ୍ରଭୁଙ୍କ ଏହି ବେଶକୁ ସଫଳ କରାଇବେ । ଭକ୍ତମାନେ ନାଗାର୍ଜୁନ ବେଶଦର୍ଶନ କରିପାରିବେ ନାହିଁ । କେହି ଭୁଲବାଟରେ କିମ୍ବା ଛଦ୍ମବେଶରେ ମନ୍ଦିରରେ ପ୍ରବେଶ କରିପାରିବେ ନାହିଁ । ସେଥିପ୍ରତି କଡ଼ା ନଜର ରଖାଯାଇଛି । କେହି ନିୟମ ଉଲ୍ଲଂଘନ କରି ମନ୍ଦିରରେ ପ୍ରବେଶ କରିବାକୁ ଉଦ୍ୟମକଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେବାୟତମାନେ ଯେପରି ମନ୍ଦିର ଭିତରକୁ ମୋବାଇଲ ନେଇ ନପାରିବେ ସେଥିପାଇଁ କଡା ଯାଂଚ ବ୍ୟବସ୍ଥା କରାଯିବ । ନାଗାର୍ଜୁନ ବେଶ ପାଇଁ ଏସ୍‌ଓପି ପ୍ରସ୍ତୁତ କରାଯାଉଛି ।

Spread the love