ଆଜି ୩ ଟିକା ପ୍ରସ୍ତୁତି କେନ୍ଦ୍ର ବୁଲିବେ ମୋଦୀ

ହାଇଦ୍ରାବାଦ: ଆଜି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍‌-୧୯ ଟିକା ପ୍ରସ୍ତୁତ ହେଉଥିବା ତିନିଟି କେନ୍ଦ୍ରକୁ ପରିଦର୍ଶନରେ ଯିବେ ବୋଲି ପିଏମ୍‌ଓ ପକ୍ଷରୁ କୁହାଯାଇଛି । ଏହି ତିନିଟି କେନ୍ଦ୍ର ହେଲା ହାଇଦ୍ରାବାଦ, ପୁଣେ ଓ ଅହମ୍ମଦାବାଦ । ମୋଦୀ ପ୍ରଥମେ ଅହମ୍ମଦାବାଦସ୍ଥିତ ଜାଇଡସ୍ କାଡିଲା କାରଖାନା ପରିଦର୍ଶନ କରି ଟିକା ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ ବୋଲି ଗୁଜରାଟ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ସୂଚନା ଦେଇଛନ୍ତି । ଏହାପରେ ମୋଦୀ ପୁଣେ ଗସ୍ତରେ ଯାଇ ସିରମ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରିଦର୍ଶନ କରିବେ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଏଠାରେ ଆଷ୍ଟ୍ରଜେନିକା ଟିକା ପ୍ରସ୍ତୁତ କରାଯାଉଛି । ଏହି ଟିକାର ପ୍ରସ୍ତୁତି, ବିତରଣ ସଂକ୍ରାନ୍ତରେ ମୋଦୀ ସେଠାକାର ଉଚ୍ଚପଦସ୍ତ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି । ଶେଷରେ ମୋଦୀ ହାଇଦ୍ରାବାଦ ଗସ୍ତ କରି ସେଠାରେ ଥିବା ଭାରତ ବାୟୋଟେକ୍ କମ୍ପାନୀ ପରିଦର୍ଶନ କରିବେ । ଏଠାରେ କୋଭାକ୍ସିନ୍ ନାମରେ କୋଭିଡ୍ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି ।

Spread the love