ଆଜି ସ୍ଥଳ ଭାଗ ଛୁଇଁବ ବାତ୍ୟା ‘ନିଭାର’

ଚେନ୍ନଇ : ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେଉଛି ବାତ୍ୟା ‘ନିଭାର’ । ଘଣ୍ଟା ପ୍ରତି ୬ କିମି ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ମୁହାଁଉଛି । ଆଜି ରାତିରେ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ ‘ନିଭାର’ । ଓଡ଼ିଶାରେ ‘ନିଭାର’ର ବିଶେଷ ପ୍ରଭାବ ପଡ଼ିବନି । ଆଜି ଓ କାଲି ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ।

ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ‘ନିଭାର’ ବୁଧବାର ସନ୍ଧ୍ୟାରେ ତାମିଲନାଡୁ ଓ ପୁଦୁଚେରୀ ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସ୍ଥଳଭାଗ ଛୁଇଁବା ସମୟରେ ଝଡ ଭୟଙ୍କର ରୂପ ଧାରଣ କରିବ ଏବଂ ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିମି ରହିବ ବୋଲି ଆଶଙ୍କା କରାଯାଉଛି । ତେବେ ନିଭାର ଲ୍ୟାଣ୍ଡ ଫଲ୍ କରିବା ପୂର୍ବରୁ ଚେନ୍ନାଇରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କୁଡାଲୁର, ପୁଦୁକୋଟ୍ଟାଇ ଓ ଭିଲୁପୁରମ ଜିଲାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ପରିସ୍ଥିତିର ମୁକାବିଲା କରିବାକୁ ଏନଡିଆରଏଫ୍‌ର ଅଧିକାଂଶ ଟିମ୍ ସେମାନଙ୍କର ଆବଶ୍ୟକୀୟ ସାମଗ୍ରୀ ଓ ଯନ୍ତ୍ରପାତି ସହ ସମ୍ବେଦନଶୀଳ ସ୍ଥାନରେ ପହଞ୍ଚି ସାରିଛନ୍ତି । ଏହାବ୍ୟତୀତ ଚେନ୍ନଇରେ ଏନଡିଆରଏଫ୍‌ର ଆଉ କେତେକ ଟିମ୍‌କୁ ଷ୍ଟାଣ୍ଡବାଏ ରଖାଯାଇଛି । ବୁଧବାର ସକାଳୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ଚେତାବନୀ ଦିଆଯାଇଛି । ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଏଥିସହିତ ବୁଧବାରକୁ ତାମିଲନାଡୁ ସରକାର ଛୁଟି ଘୋଷଣା କରିଛନ୍ତି । ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି । ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ଯେପରି ସମୟ ମୁତାବକ ରିଲିଫ ଯୋଗାଇ ଦିଆଯିବ, ସେଥିପାଇଁ ଚେନ୍ନଇରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଏହି ଝଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରୁ ସାତଟି ଜିଲାରେ (ପୁଦୁକୋଟ୍ଟାଇ, କୁଡାଲୁର, ନାଗପଟ୍ଟିନମ, ତାଞ୍ଜାଭୁର, ତିରୁଭାରୁର, ଭିଲୁପୁରମ ଓ ଚେଙ୍ଗଲପାଟ୍ଟୁ) ବସ୍ ଚଳାଚଳକୁ ବାତିଲ କରିଥିବାବେଳେ ଏହି ପଥ ଦେଇ ଯାତ୍ରା କରୁଥିବା ସମସ୍ତ ଟ୍ରେନ ସେବାକୁ ମଧ୍ୟ ରଦ୍ଦ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇତିମଧ୍ୟରେ ତାମିଲନାଡୁ ଓ ପୁଦୁଚେରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ପୁଦୁଚେରୀ ସରକାର ମଧ୍ୟ ସମ୍ଭାବ୍ୟ ଝଡର ପ୍ରକୋପକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଝଡ ପରବର୍ତ୍ତୀ ସମୟରେ ସହରରେ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରଖିବାକୁ ପୁଦୁଚେରୀ ଜିଲାପାଳ କଡା ନିର୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମୋଦୀ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ।

Spread the love