ଆଜି ଭୀଷଣ ବାତ୍ୟା ରୂପ ନେବା ‘ନିଭାର’

  • ଓଡ଼ିଶାରେ କୋହଲା ପାଗ ସହ ଅଳ୍ପ ବର୍ଷା ସମ୍ଭାବନା

ଭୁବନେଶ୍ୱର :  ଆଜି ଭୀଷଣ ବାତ୍ୟା ରୂପ ନେବା ‘ନିଭାର’। ଓଡ଼ିଶାରେ କୋହଲା ପାଗ ସହ ଅଳ୍ପ ବର୍ଷା ସମ୍ଭାବନା। ଥଣ୍ଡା ବଢ଼ିବ। ସନ୍ଧ୍ୟାରୁ ରାଜ୍ୟରେ ପାଗ ପରିବର୍ତନ ହେବା ସହ ୨୭ ଯାଏ କୋହଲା ପାଗ ରହିବ । ୨୪ ତାରିଖରୁ ରାତିର ତାପମାତ୍ରା ବଢ଼ିବ। ଫଳ‌ରେ ଶୀତ କମିବ । ତେବେ ୨୮ ତାରିଖଠାରୁ ରାତିର ତାପମାତ୍ରା କ୍ରମଶଃ କମିବା ଯୋଗୁଁ ଶୀତ ପଡ଼ିବା ଆରମ୍ଭ ହୋଇଯିବ ବୋଲି ଡ. ପଶୁପାଳକ କହିଛନ୍ତି । ୨୫ ତାରିଖ ଅପରାହ୍ନରେ ତାମିଲନାଡ଼ୁ ଓ ପୁଡୁଚେରି ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୧୦ କିମି ମଧ୍ୟରେ ରହିବ। ସ୍ଥଳବିଶେଷରେ ୧୨୦ କିମି ବେଗରେ ପବନର ଝଟ୍‌କା ଅନୁଭୂତ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ୱାସ କହିଛନ୍ତି ଯେ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ବଳୟଟି ମଙ୍ଗଳବାର ଘନୀଭୂତ ହୋଇ ଅବପାତର ରୂପ ନେଇଛି। ଏହା ଧୀରେ ଧୀରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରୁଛି। ଆସନ୍ତା ୨୪ ଘଣ୍ଟା‌‌‌ରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ପରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରି ୨୫ ତାରିଖ ଅପରାହ୍ନ ସୁଦ୍ଧା କରାଇକାଲ୍‌ ଓ ମାମାଲ୍ଲାପୁରମ୍‌ ମଧ୍ୟ ଦେଇ ‘ଭୀଷଣ ବାତ୍ୟା’ ରୂପରେ ତାମିଲନାଡ଼ୁ ଓ ପୁଡୁଚେରି ଉପକୂଳ ଦେଇ ଅତିକ୍ରମ କରିବ। ବାତ୍ୟା ପ୍ରଭାବରେ ୨୫ ତାରିଖ ଦିନ ମାଲକାନଗିରି, ରାୟଗଡ଼ା, ଗଜପତି, କୋରାପୁଟ, ଗଞ୍ଜାମ ଓ କନ୍ଧମାଳ ଆଦି ଜିଲ୍ଲାରେ କେ‌ତେକ ଅଞ୍ଚଳ ସହ ରାଜ୍ୟର ବାକି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୨୬ ତାରିଖକୁ ବର୍ଷା ପରିମାଣ ବଢ଼ିପାରେ। ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁର ଆଦି ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷା ହେବ।

Spread the love