ଆଜି ଦ୍ୱିତୀୟ ଦିନିକିଆ : ‘କର ବା ମର’ ସ୍ଥିତିରେ ଭାରତ

  • ଅଷ୍ଟ୍ରେଲିଆ ପାଖରେ ସିରିଜ୍ ସିଲ୍ ସୁଯୋଗ

  • ଷ୍ଟୋଇନିସଙ୍କ ସ୍ଥାନରେ ଖେଳିବେ ଗ୍ରୀନ୍‌

ସିଡ୍‌ନୀ : ରବିବାର ଚଳିତ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍‌ରେ ୬୬ ରନ୍‌ରେ ପରାଜୟ ବରଣ କରିଥିବା ଟିମ୍ ଇଣ୍ଡିଆ ପାଇଁ ସିରିଜ୍ ବଞ୍ଚାଇବା ସକାଶେ ବିଜୟ ହାସଲ କରିବା ଏକମାତ୍ର ବିକଳ୍ପ । ଅନ୍ୟପକ୍ଷରେ ଶୁକ୍ରବାର ପ୍ରତିଟି ବିଭାଗରେ ଭାରତକୁ ପଛରେ ପକାଇଥିବା ଅଷ୍ଟ୍ରେଲିଆ ସିରିଜ୍ ଜିତିବା ସକାଶେ ଫେବରିଟ୍ ରହିଛି । କରୋନା ପରବର୍ତ୍ତୀ ପ୍ରଥମ ମ୍ୟାଚ୍‌ରେ ଭାରତୀୟ ବୋଲରମାନେ ଅଧିନାୟକ ବିରାଟ କୋହଲିଙ୍କୁ ନିରାଶ କରିବା ସହ ଅଲ୍‌ରାଉଣ୍ଡରର ଅଭାବ ସ୍ପଷ୍ଟ ଅନୁଭୂତ ହୋଇଥିଲା । ତେଣୁ ଅଧିନାୟକ କୋହଲି ଓ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ ଆଗରେ ଦ୍ୱିତୀୟ ଦିନିକିଆ ପୂର୍ବରୁ ଏହା ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି ।

ରବିବାର ମୁକାବିଲାରେ ଏହି ସମସ୍ୟାର ସମାଧାନରେ ଉଭୟ କେତେଦୂର ସକ୍ଷମ, ତାହା ଜଣାପଡ଼ିବ । ଶୁକ୍ରବାର ମ୍ୟାଚ୍‌ରେ ଭାରତ ପାଇଁ କେବଳ ଗୋଟିଏ ସକାରାତ୍ମକ ଦିଗ ଥିଲା ଓ ତାହା ହେଉଛି ଦୀର୍ଘଦିନ ପରେ ଟିମ୍ ଇଣ୍ଡିଆକୁ ଫେରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫର୍ମ । ୯୦ ରନ୍‌ର ଜବରଦସ୍ତ ଇନିଂସ ଖେଳି ପାଣ୍ଡ୍ୟା ଯଦିଓ କିଛି ସମୟ ପାଇଁ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ, କିନ୍ତୁ ତାହା ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ପରି କେବଳ ବ୍ୟକ୍ତିଗତ ରେକର୍ଡରେ ସୀମାବଦ୍ଧ ହୋଇ ରହିଥିଲା । ପୂର୍ବରୁ ପାଣ୍ଡ୍ୟାଙ୍କ ଉପସ୍ଥିତିରେ ଟିମ୍ ଇଣ୍ଡିଆ ଅଲ୍‌ରାଉଣ୍ଡରଙ୍କ ଅଭାବ ଅନୁଭବ କରିପାରୁ ନ ଥିଲା । କାରଣ ପାଣ୍ଡ୍ୟା ଏହି ଭୂମିକା ତୁଲାଇଆସିଥିଲେ । କିନ୍ତୁ ପାଣ୍ଡ୍ୟା ଏବେ ବୋଲିଂ କରିବେ ନାହିଁ । ଆବଶ୍ୟକ ପଡ଼ିଲେ ଆସନ୍ତା ବର୍ଷ ଟି-୨୦ ବିଶ୍ୱକପ୍‌ରେ ଏହି ଭୂମିକା ତୁଲାଇପାରନ୍ତି ବୋଲି କହିବା ପରେ କୋହଲି ଓ ଶାସ୍ତ୍ରୀଙ୍କ ଚିନ୍ତା ବଢ଼ିଯାଇଛି । ତେଣୁ ଟିମ୍ ଇଣ୍ଡିଆକୁ କୌଣସି ବିକଳ୍ପ ଚିନ୍ତା ନ କରି କେବଳ ନିଜର ଶକ୍ତିଶାଳୀ ବ୍ୟାଟିଂ ଲାଇନଅପ୍ ଉପରେ ନିର୍ଭର କରିବାକୁ ପଡ଼ିବ । କୌଣସି ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍‌ଙ୍କ ପାଖରେ ବୋଲିଂ କରିବାର ଦକ୍ଷତା ନ ଥିବା ବେଳେ ଟପ୍ ଅର୍ଡର୍ ବୋଲର୍ ବି ବ୍ୟାଟିଂରେ ପାରଙ୍ଗମ ନୁହନ୍ତି । ତେଣୁ ଉଭୟ ବିଭାଗରେ ଖେଳାଳମାନେ ଉନ୍ନତ ପ୍ରଦର୍ଶନ କଲେ ହିଁ ଭାରତ ସିରିଜ୍ ବଞ୍ଚାଇପାରିବ, ଏହା ଏକମାତ୍ର ବିକଳ୍ପ । ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନର ସମ୍ଭାବନା ମଧ୍ୟ ନାହିଁ । ଅବଶ୍ୟ ୟୁଜବେନ୍ଦ୍ର ଚହଲ୍ ଓ ନବଦୀପ ସୈନୀ ଅନଫିଟ୍ ଘୋଷିତ ହେଲେ, ପରିବର୍ତ୍ତନ ସୁନିଶ୍ଚିତ । ଶୁକ୍ରବାର ମ୍ୟାଚ୍‌ରେ ଚହଲ୍ ତାଙ୍କ ସ୍ପେଲ୍ ପୂରଣ କରିବା ପରେ ଆହତ ହୋଇ ପଡ଼ିଆରୁ ବାହୁଡ଼ିଥିଲେ ।ସେହିପରି ସୈନୀଙ୍କର ବ୍ୟାକ୍ ସ୍ପାଜ୍‌ମ ସମସ୍ୟା ଥିବାରୁ ଟି. ନଟରାଜନ୍‌ଙ୍କୁ ବ୍ୟାକଅପ୍ ଭାବେ ସାମିଲ୍ କରାଯାଇଛି । ଉଭୟ ଅନଫିଟ୍ ସାବ୍ୟସ୍ତ ହେଲେ, ବ୍ୟାଟିଂରେ ସାମାନ୍ୟ ଦକ୍ଷତା ଥିବା ଶାର୍ଦ୍ଦୁଲ୍ ଠାକୁର ଓ ଚୀନାମାନ୍ କୁଲଦୀପ ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବ । ବ୍ୟାଟିଂରେ ଅଧିନାୟକ କୋହଲିଙ୍କୁ ଏକ ଚମତ୍କାର ଇନିଂସ ଖେଳିବାକୁ ପଡ଼ିବ । ଅନ୍ୟ ବ୍ୟାଟ୍ସମ୍ୟାନ୍‌ମାନେ ସେମାନଙ୍କ ଦକ୍ଷତାନୁଯାୟୀ ପ୍ରଦର୍ଶନ କଲେ, ସିରିଜ୍ ବଞ୍ଚାଇବାରେ ଟିମ୍ ଇଣ୍ଡିଆ ସକ୍ଷମ ହେବ । ତା\’ଛଡ଼ା ଇନଜୁରୀ ପରେ ପ୍ରତ୍ୟାବର୍ତ୍ତନ କରିଥିବା ଜସପ୍ରୀତ୍ ବୁମରାଙ୍କୁ ମଧ୍ୟ ତାଙ୍କ ପ୍ରତିଷ୍ଠାନୁସାରେ ପ୍ରଦର୍ଶନ କରିବାକୁ ପଡ଼ିବ । ଅନ୍ୟପକ୍ଷରେ ସିରିଜ୍‌ରେ ଆଗୁଆ ଥିବା ଅଷ୍ଟ୍ରେଲିଆ ପକ୍ଷରୁ ଅଲ୍‌ରାଉଣ୍ଡର୍ କାମେରନ୍ ଗ୍ରୀନ୍ ଡେବ୍ୟୁ କରିବାର ସୁଯୋଗ ପାଇବେ । ପ୍ରଥମ ମ୍ୟାଚ୍‌ରେ ଆହତ ହୋଇଥିବା ମାର୍କସ୍ ଷ୍ଟୋଇନିସ୍‌ଙ୍କ ସ୍ଥାନରେ ସେ ଖେଳିବେ ବୋଲି ଉଭୟ ଅଧିନାୟକ ଆରୋନ୍ ଫିଞ୍ଚ୍ ଓ ଷ୍ଟିଭେନ୍ ସ୍ମିଥ କହିସାରିଛନ୍ତି ।

ସମ୍ଭାବ୍ୟ ଭାରତୀୟ ଏକାଦଶ :
ଶିଖର ଧୱନ୍‌, ମୟଙ୍କ ଅଗରୱାଲ୍‌, ବିରାଟ କୋହଲି (ଅଧିନାୟକ), ଶ୍ରେୟସ୍ ଆୟର୍‌, ଲୋକେଶ ରାହୁଲ୍ (ୱିକେଟ୍‌କିପର୍‌), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ୍ ଠାକୁର/ନବଦୀପ ସୈନୀ, ମହମ୍ମଦ ଶମୀ, ୟୁଜବେନ୍ଦ୍ର ଚହଲ୍‌/କୁଲଦୀପ ସିଂ ଓ ଜସପ୍ରୀତ୍ ବୁମ୍‌ରା ।

ସମ୍ଭାବ୍ୟ ଅଷ୍ଟ୍ରେଲିଆ ଏକାଦଶ :
ଡେଭିଡ୍ ୱାର୍ଣ୍ଣର୍‌, ଆରୋନ୍ ଫିଞ୍ଚ୍ (ଅଧିନାୟକ), ଷ୍ଟିଭେନ୍ ସ୍ମିଥ୍‌, ମାର୍ନସ୍ ଲାବୁଶେନ୍‌, ଆଲେକ୍ସ କ୍ୟାରି (ୱିକେଟ୍‌କିପର୍‌), ଗ୍ଲେନ୍ ମ୍ୟାକ୍ସୱେଲ୍‌, କାମେରନ୍ ଗ୍ରୀନ୍‌, ପ୍ୟାଟ୍ କମିନ୍ସ, ମିଚେଲ୍ ଷ୍ଟାର୍କ, ଆଡାମ୍ ଜାମ୍ପା ଓ ଜୋଶ୍ ହେଜଲଉଡ୍ ।

Spread the love