ଆଇସିସି ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର୍ ପୁରସ୍କାର; କୋହଲିଙ୍କ ଆଧିପତ୍ୟ, ଅଶ୍ୱିନ ବି ସାମିଲ

ଦୁବାଇ : ଆଇସିସି ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର୍ ପୁରସ୍କାରରେ ଟିମ୍ ଇଣ୍ଡିଆ କ୍ୟାପ୍‌ଟେନ୍ ବିରାଟ କୋହଲି ଆଧିପତ୍ୟ ବିସ୍ତାର କରିଛନ୍ତି । ସେ ପୁରୁଷ ବିଭାଗର ସମସ୍ତ ୫ଟି ବର୍ଗ ପାଇଁ ମନୋନୀତ ହୋଇଛନ୍ତି । ତାଙ୍କ ସହ ଭେଟେରାନ୍ ଅଫ୍‌-ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ ମଧ୍ୟ ମର୍ଯ୍ୟାଦାଜନକ ଦଶନ୍ଧିର ଶ୍ରେଷ୍ଠ ଆଇସିସି ପୁରୁଷ ଖେଳାଳି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଅନ୍ୟପକ୍ଷରେ ଗତ ୧୦ ବର୍ଷର ଅବିଶ୍ୱସନୀୟ କ୍ୟାରିୟର୍ ପାଇଁ କୋହଲି ପୁରୁଷ ବିଭାଗର ସମସ୍ତ ୫ଟି କ୍ୟାଟେଗରୀରେ ସ୍ଥାନ ପାଇଛନ୍ତି । ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଁ କୋହଲି ଓ ଅଶ୍ୱିନଙ୍କ ସମେତ ବିଶ୍ୱର ୭ଜଣ କ୍ରିକେଟର୍ ମନୋନୀତ ହୋଇଛନ୍ତି । ଏହି ଦୁଇ ଭାରତୀୟଙ୍କ ବ୍ୟତୀତ ମନୋନୀତ ଅନ୍ୟ ଖେଳାଳିମାନେ ହେଲେ ଜୋ ରୁଟ୍ (ଇଂଲଣ୍ଡ), କେନ ୱିଲିଅମ୍‌ସନ୍ (ନ୍ୟୁଜିଲାଣ୍ଡ), ଷ୍ଟିଭ୍ ସ୍ମିଥ୍ (ଅଷ୍ଟ୍ରେଲିଆ), ଏବି ଡି ଭିଲିୟର୍ସ (ସାଉଥ୍ ଆଫ୍ରିକା) ଏବଂ କୁମାର ସାଙ୍ଗକାରା (ଶ୍ରୀଲଙ୍କା) । ସେହିପରି ପୁରୁଷ ଦିନିକିଆ ଖେଳାଳିଙ୍କ ମଧ୍ୟରେ ପୂର୍ବତନ ଟିମ୍ ଇଣ୍ଡିଆ କ୍ୟାପ୍‌ଟେନ୍ ମହେନ୍ଦ୍ର ସିଂହ ଧୋନି, ରନ୍ ମେସିନ୍ ରୋହିତ ଶର୍ମା ମଧ୍ୟ କୋହଲି, ଲାସିଥ ମାଲିଙ୍ଗା (ଶ୍ରୀଲଙ୍କା), ମିଚେଲ୍ ଷ୍ଟାର୍କ (ଅଷ୍ଟ୍ରେଲିଆ, ଡି ଭିଲିୟର୍ସ (ସାଉଥ୍ ଆଫ୍ରିକା) ଏବଂ ସାଙ୍ଗକାରାଙ୍କ ସହ ମନୋନୀତ ହୋଇଛନ୍ତି । କୋହଲି ଓ ରୋହିତ ମଧ୍ୟ ଦଶନ୍ଧିର ପୁରୁଷ ଟି-୨୦ ଖେଳାଳି ପୁରସ୍କାର ବର୍ଗରେ ସ୍ଥାନ ପାଇଛନ୍ତି । ଏହି ବର୍ଗରେ ରସିଦ ଖାନ୍ (ଆଫଗାନିସ୍ତାନ), ଇମ୍ରାନ୍ ତାହିର (ସାଉଥ୍ ଆଫ୍ରିକା), ଆରୋନ୍ ଫିଞ୍ଚ୍ (ଅଷ୍ଟ୍ରେଲିଆ), ମାଲିଙ୍ଗା ଓ ଗ୍ରିସ୍ ଗେଲ୍ (ୱେଷ୍ଟଇଣ୍ଡିଜ୍‌) ମଧ୍ୟ ସ୍ଥାନ ପାଇଛନ୍ତି । ସେହିପରି କୋହଲି ମଧ୍ୟ ପୁରୁଷ ଟେଷ୍ଟ ଖେଳାଳି ଏବଂ ଆଇସିସି ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । କୋହଲିଙ୍କ ବ୍ୟତୀତ ଧୋନି ମଧ୍ୟ ଦଶନ୍ଧିର ଆଇସିସି ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର ବର୍ଗରେ ସ୍ଥାନ ପାଇଛନ୍ତି । କ୍ରିକେଟ୍‌ର ସମସ୍ତ ବର୍ଗରେ ୫୦ରୁ ଊର୍ଦ୍ଧ୍ୱ ଆଭରେଜ୍‌ରେ ରନ୍ ସଂଗ୍ରହ କରିଥିବା କୋହଲି ୭୦ ଅନ୍ତର୍ଜାତୀୟ ଶତକ ହାସଲ କରିସାରିଛନ୍ତି । ତାଙ୍କ ଆଗରେ କେବଳ ସଚିନ୍ ତେନ୍ଦୁଲକର (୧୦୦) ଓ ରିକି ପଣ୍ଠିଂ (୭୧) ରହିଛନ୍ତି । ସେ ମଧ୍ୟ ୨୧,୪୪୪ ରନ୍ ସହ ସର୍ବକାଳୀନ ସର୍ବାଧିକ ରନ୍ ସ୍କୋରର୍ ତାଲିକାରେ ରକି ପଣ୍ଟିଂ (୨୭,୪୮୩) ଓ ତେନ୍ଦୁଲକର (୩୪,୩୫୭)ଙ୍କ ପଛରେ ୩ୟ ସ୍ଥାନରେ ରହିଛନ୍ତି । ଗତ ଦଶନ୍ଧିରେ କୋହଲି ଟେଷ୍ଟ କ୍ରିକେଟ୍‌ରେ ୭୦୦୦ ରନ୍ ସଂଗ୍ରହ କରିଛନ୍ତି । ସେହିପରି ଭାରତୀୟ କ୍ୟାପ୍‌ଟେନ୍ ଦିନିକିଆରେ ୧୧୦୦୦ ଏବଂ ଟି-୨୦ରେ ୨୬୦୦ ରନ୍‌ରୁ ଊର୍ଦ୍ଧ୍ୱ ସ୍କୋର୍ କରିଛନ୍ତି । ତେବେ ଖେଳାଳିଙ୍କ ସପକ୍ଷରେ ମିଳିଥିବା ଭୋଟ୍ ଆଧାରରେ ଏହି ପୁରସ୍କାରଗୁଡ଼ିକର ବିଜୟୀଙ୍କୁ ଚୟନ କରାଯିବ । ଏହା ବ୍ୟତୀତ ଭାରତୀୟ ମହିଳା ଟିମ୍‌ର କ୍ୟାପ୍‌ଟେନ୍ ମିତାଲି ରାଜ ଓ ଫାଷ୍ଟ ବୋଲର୍ ଝୁଲନ ଗୋସ୍ୱାମୀ ମଧ୍ୟ ଆଇସିସିର ଏହି ପୁରସ୍କାର ଦୌଡ଼ରେ ଅଛନ୍ତି । ମିତାଲି ଦଶକର ଶ୍ରେଷ୍ଠ ମହିଳା ଖେଳାଳି ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ସେ ମଧ୍ୟ ମହିଳା ଦିନିକିଆ ବର୍ଗରେ ଝୁଲନ ଗୋସ୍ୱାମୀଙ୍କ ସହ ସ୍ଥାନ ପାଇଛନ୍ତି ।
ଶ୍ରେଷ୍ଠ ପୁରୁଷ ଖେଳାଳି: ବିରାଟ କୋହଲି (ଭାରତ), ରବିଚନ୍ଦ୍ରନ୍ ଅଶ୍ୱିନ (ଭାରତ), ଜୋ ରୁଟ୍ (ଇଂଲଣ୍ଡ), କେନ୍ ୱିଲିଅମ୍‌ସନ୍ (ନ୍ୟୁଜିଲାଣ୍ଡ), ଷ୍ଟିଭ୍ ସ୍ମିଥ୍ (ଅଷ୍ଟ୍ରେଲିଆ), ଏବି ଡି ଭିଲିୟର୍ସ (ସାଉଥ୍ ଆଫ୍ରିକା) ଏବଂ କୁମାର ସାଙ୍ଗକାରା (ଶ୍ରୀଲଙ୍କା)
ଶ୍ରେଷ୍ଠ ପୁରୁଷ ଦିନିକିଆ ଖେଳାଳି: ବିରାଟ କୋହଲି (ଭାରତ), ଲାସିଥ ମାଲିଙ୍ଗା (ଶ୍ରୀଲଙ୍କା), ମିଚେଲ୍ ଷ୍ଟାର୍କ (ଅଷ୍ଟ୍ରେଲିଆ), ଏବି ଡି ଭିଲିୟର୍ସ (ସାଉଥ୍ ଆଫ୍ରିକା), ରୋହିତ ଶର୍ମା (ଭାରତ), ଏମ୍‌ଏସ୍ ଧୋନି (ଭାରତ) ଏବଂ କୁମାର ସାଙ୍ଗକାରା (ଶ୍ରୀଲଙ୍କା) ।
ଦଶକର ଶ୍ରେଷ୍ଠ ପୁରୁଷ ଟେଷ୍ଟ ଖେଳାଳି: ବିରାଟ କୋହଲି (ଭାରତ), କେନ ୱିଲିଅମ୍‌ସନ୍ (ନ୍ୟୁଜିଲାଣ୍ଡ), ଷ୍ଟିଭ୍ ସ୍ମିଥ୍ (ଅଷ୍ଟ୍ରେଲିଆ), ଜେମ୍ସ ଆଣ୍ଡରସନ୍ (ଇଂଲଣ୍ଡ), ରଙ୍ଗନା ହେରାଥ (ଶ୍ରୀଲଙ୍କା) ଏବଂ ୟାସିର ଶାହା (ପାକିସ୍ତାନ) ।
ଶ୍ରେଷ୍ଠ ପୁରୁଷ ଟି-୨୦ ଖେଳାଳି: ରସିଦ ଖାନ୍ (ଆଫଗାନିସ୍ତାନ), ବିରାଟ କୋହଲି (ଭାରତ), ଇମ୍ରାନ୍ ତାହିର (ସାଉଥ୍ ଆଫ୍ରିକା), ଆରୋନ୍ ଫିଞ୍ଚ୍ (ଅଷ୍ଟ୍ରେଲିଆ), ଲାସିଥ ମାଲିଙ୍ଗା (ଶ୍ରୀଲଙ୍କା), କ୍ରିସ୍ ଗେଲ୍ (ୱେଷ୍ଟଇଣ୍ଡିଜ୍‌) ଏବଂ ରୋହିତ ଶର୍ମା (ଭାରତ) ।
ଶ୍ରେଷ୍ଠ ଆଇସିସି ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର: ବିରାଟ କୋହଲି (ଭାରତ), କେନ୍ ୱିଲିଅମ୍‌ସନ୍ (ନ୍ୟୁଜିଲାଣ୍ଡ), ବ୍ରେଣ୍ଡନ୍ ମ୍ୟାକ୍‌କୁଲମ୍ (ନ୍ୟୁଜିଲାଣ୍ଡ), ମିସ୍‌ବା ଉଲ୍ ହକ୍ (ପାକିସ୍ତାନ), ଏମ୍‌ଏସ୍ ଧୋନି (ଭାରତ), ଅନ୍ୟା ଶ୍ରୁବସୋଲ୍ (ଇଂଲଣ୍ଡ), କାଥେରିନ୍ ବ୍ରଣ୍ଟ (ଇଂଲଣ୍ଡ), ମାହେଲା ଜୟବର୍ଦ୍ଧନେ (ଶ୍ରୀଲଙ୍କା) ଏବଂ ଡାନିଏଲ୍ ଭିଟ୍ଟୋରୀ (ନ୍ୟୁଜିଲାଣ୍ଡ) ।
ଶ୍ରେଷ୍ଠ ମହିଳା ଦିନିକିଆ ଖେଳାଳି : ମେଗ ଲାନିଙ୍ଗ୍ (ଅଷ୍ଟ୍ରେଲିଆ), ଏଲିସ୍ ପେରି (ଅଷ୍ଟ୍ରେଲିଆ), ମିତାଲି ରାଜ (ଭାରତ), ସୁଜି ବେଟ୍ସ (ନ୍ୟୁଜିଲାଣ୍ଡ), ଷ୍ଟେଫାନି ଟେଲର୍ (ୱେଷ୍ଟଇଣ୍ଡିଜ୍‌) ଏବଂ ଝୁଲନ ଗୋସ୍ୱାମୀ (ଭାରତ) ।
ଶ୍ରେଷ୍ଠ ମହିଳା ଖେଳାଳି: ଏଲିସ ପେରି (ଅଷ୍ଟ୍ରେଲିଆ), ମେଗ୍ ଲାନିଙ୍ଗ୍ (ଅଷ୍ଟ୍ରେଲିଆ), ସୁଜି ବେଟ୍ସ (ନ୍ୟୁଜିଲାଣ୍ଡ), ଷ୍ଟେଫାନି ଟେଲର (ୱେଷ୍ଟଇଣ୍ଡିଜ୍‌), ମିତାଲି ରାଜ (ଭାରତ), ସାରା ଟେଲର (ଇଂଲଣ୍ଡ) ।

Spread the love