ଆଇସିସିର ନୂଆ ଅଧ୍ୟକ୍ଷ ହେଲେ ଗ୍ରେଗ୍‌ ଓ୍ୱାର୍କେଲ

ନୂଆଦିଲ୍ଲୀ : ଗ୍ରେଗ୍‌ ଓ୍ୱାର୍କେଲ ହେଲେ ଆଇସିସିର ନୂଆ ଅଧ୍ୟକ୍ଷ। ସେ ଆଇସିସିର କାର୍ଯ୍ୟକାରୀ ଅଧ୍ୟକ୍ଷ ଇମ୍‌ରାନ ଖ୍ୱାଜାଙ୍କୁ ପରାସ୍ତ କରି ଚୟନ ହୋଇଛନ୍ତି । ଶଶାଙ୍କ ମନୋହର ଇସ୍ତଫା ଦେବା ପରେ ଇମ୍‌ରାନ୍‌ ଖ୍ୱାଜାଙ୍କୁ ଆଇସିସିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା। ଆଇସିସିର ଅଧ୍ୟକ୍ଷ ଭାବେ ଚୟନ ହେବା ପରେ ଖୁସି ଜାହିର କରିଛନ୍ତି ଗ୍ରେଗ୍‌। ସେ କହିଛନ୍ତି ଯେ, ଆଇସିସିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ଏକ ଗର୍ବର ବିଷୟ । ମୁଁ ସମସ୍ତ ଲୋକଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ମୋତେ ସହଯୋଗ କରିଛନ୍ତି । ଆଶା କରୁଛି ଯେ, ଏଭଳି ମହାମାରୀ ସମୟରେ ପୂର୍ବପେକ୍ଷା ଅଧିକ ମଜବୁତ ହୋଇ ଛିଡା ହେବୁ । ସେହିପରି ଆଇସିସିର ସମସ୍ତ ୧୦୪ ସଦସ୍ୟଙ୍କ ସହିତ ମିଶି କାର୍ଯ୍ୟ କରିବା ଉପରେ ଧ୍ୟାନ ଦେବି । ମୁଁ ଇମ୍‌ରାନ ଖ୍ୱାଜାଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରୁଛି କି, ଏଭଳି ଏକ କଠିନ ସମୟରେ ସେ କ୍ରିକେଟକୁ ଆଗକୁ ନେବାକୁ କାମ କରିଛନ୍ତି । ଭବିଷ୍ୟତରେ ଆମେ ଏକାଠି କାମ କରିବୁ ।
ଗ୍ରେଗ୍‌ ଓ୍ୱାର୍କେଲ ଆଇସିସିରେ ବର୍ତ୍ତମାନ ନ୍ୟୁଜିଲାଣ୍ଡ କ୍ରିକେଟର ପ୍ରତିନିଧିତ୍ୱ କରୁଥିଲେ। ଏବେ ସେ ନିଜ ପଦରୁ ଇସ୍ତଫା ଦେବେ । ସେ କ୍ରିକେଟର ଜଣେ କୁଶଳୀ ପ୍ରଶାସକ ଭାବେ ଜଣାଶୁଣା। ସେ ଅଷ୍ଟ୍ରେଲଆ-ନ୍ୟୁଜିଲାଣ୍ଡରେ ହୋଇଥିବା ୨୦୧୫ ଦିନିକିଆ ବିଶ୍ୱକପ୍‌ ଆୟୋଜନର ନିର୍ଦ୍ଦେଶକ ରହିଥିଲେ। ଏହା ବ୍ୟତୀତ ଗ୍ରେଗ୍‌ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡର ଅନେକ କମ୍ପାନୀରେ ନିର୍ଦ୍ଦେଶକ ଭାବେ ନିଜ କାର୍ଯ୍ୟ କରିବାର ଅନୁଭୁବ ରହିଛି । ସୂଚନା ଯେ, ବିଶ୍ୱ କ୍ରିକେଟ୍‌ର ସର୍ବୋଚ୍ଚ ସଂସ୍ଥା ଆଇସିସି କ୍ରିକେଟ୍ ପରିଷଦର ଅଧ୍ୟକ୍ଷ ପଦ ଗତ ୬ମାସ ପରେ ପୂରଣ ହୋଇଛି । ଜୁଲାଇ ମାସରେ ଶଶାଙ୍କ ମନୋହରଙ୍କ ୨ବର୍ଷର କାର୍ଯ୍ୟକାଳ ସରିଯାଇଥିବାବେଳେ ସେବେଠାରୁ ଏହି ପଦ ଖାଲି ରହିଥିଲା।

Spread the love