ଆଇଏସ୍‌ଏଲ୍‌-୭: ଜାମସେଦପୁରକୁ ହରାଇଲା ଚେନ୍ନାୟିନ

  • ପ୍ରଥମ ଭାରତୀୟ ଭାବେ ଗୋଲ୍ ଦେଲେ ଥାପ୍ପା, ଚେନ୍ନାୟିନ୍ ପକ୍ଷରୁ ଦ୍ରୁତତମ ଗୋଲ୍ ସ୍କୋରର୍‌

ଗୋଆ : ଚଳିତ ଆଇଏସ୍‌ଏଲ୍‌ରେ ଭାରତୀୟ ଖେଳାଳି ଗୋଲ୍ ଦେବା ସକାଶେ ପଞ୍ଚମ ମ୍ୟାଚ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଛି । ସୋମବାର ସୁଦ୍ଧା ୪ଟି ମ୍ୟାଚ୍ ଖେଳାଯାଇଥିଲେ ହେଁ ଏଥିରେ କେବଳ ବିଦେଶୀ ଖେଳାଳି ହିଁ ସ୍କୋର୍ କରିଥିଲେ । କିନ୍ତୁ ମଙ୍ଗଳବାର ରାତିରେ ଏଠାକାର ତିଲକ ମୈଦାନଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ଅନିରୁଦ୍ଧ ଥାପ୍ପା ଗୋଲ୍ କରିଛନ୍ତି । ଏଥିସହ ସେ ଚେନ୍ନାୟିନ୍ ପକ୍ଷରୁ ଆଇଏସଏଲରେ ଦ୍ରୁତତମ ଗୋଲ୍ ଦେବାର ରେକର୍ଡ ନିଜ ନାମରେ କରିଛନ୍ତି । ଆହୁରି ଚଳିତ ସଂସ୍କରଣରେ ସେ ପ୍ରଥମ ଭାରତୀୟ ଭାବେ ଗୋଲ୍ ସ୍କୋର୍ କରିବା ସହ ଦଳକୁ ୨-୧ ଗୋଲ୍‌ରେ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ନେଇଛନ୍ତି । ମ୍ୟାଚ୍ ଆରମ୍ଭ ହେବାର ୫୨ତମ ସେକେଣ୍ଡ୍‌ରେ ହିଁ ଥାପ୍ପା ଏହି ଗୋଲ୍‌ଟି ଦେଇ ଚେନ୍ନାୟିନ୍ ଏଫସିକୁ ୧-୦ରେ ଆଗୁଆ କରାଇଥିଲେ । ପରେ ୨୬ତମ ମିନିଟ୍‌ରେ ଇସମାଇଲ୍ ଗୋନସାଲଭେସ୍ ଦ୍ୱିତୀୟ ଗୋଲ୍ ଦେଇଥିଲେ । ସେହିପରି ପ୍ରତିପକ୍ଷ ଜାମସେଦପୁର ଏଫସି ପକ୍ଷରୁ ଗତ ବର୍ଷର ଗୋଲଡେନ୍ ବୁଟ୍ ବିଜେତା ନେରିଜସ୍ ଭାଲସ୍କିସ୍ ୩୭ତମ ମିନିଟ୍‌ରେ ଗୋଲ୍ ଦେଇଥିଲେ । ମ୍ୟାଚ୍‌ର ତିନିଟିଯାକ ଗୋଲ୍ ପ୍ରଥମାର୍ଦ୍ଧରେ ହିଁ ହୋଇଥିଲା । ଏଥିସହ ଗତ ସିଜନ୍‌ରେ ଚେନ୍ନାୟିନ୍‌ର କୋଚ୍ ଥିବା ଓୱେନ୍ କୋଲେ ଜାମସେଦପୁର ଟିମ୍ ସହ ତାଙ୍କର ଅଭିଯାନ ପରାଜୟରୁ ଆରମ୍ଭ କରିଛନ୍ତି । ପ୍ରଥମ ମିନିଟ୍‌ରେ ଥାପ୍ପା ସାଥୀ ଖେଳାଳି ରାଫେଲ୍ କ୍ରିଭେଲାରୋ ଓ ଗୋନସାଲଭେସ୍‌ଙ୍କ ଉଦ୍ୟମରେ ବଲ୍ ପାଇଥିଲେ । ଏହାକୁ ସେ ଗୋଲ୍‌ରେ ପରିଣତ କରି ମ୍ୟାଚ୍‌ରେ ପ୍ରାରମ୍ଭରୁ ହିଁ ରୋମାଞ୍ଚ ଭରିଦେଇଥିଲେ । ସପ୍ତମ ମିନିଟ୍‌ରେ ଜାମସେଦପୁରର ଇଂଲିଶ୍ ଡିଫେଣ୍ଡର୍ ପିଟର୍ ହାର୍ଟଲି ଗୋଲ୍ ଦେବାର ଏକ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲେ । ୨୦ତମ ମିନିଟ୍‌ରେ ଏଲ. ଛାଙ୍ଗଟେ ଏକ ଗୋଲ୍ ସୁଯୋଗ ହାତଛଡ଼ା କରିଥିଲେ ହେଁ ୨୬ତମ ମିନିଟ୍‌ରେ ଗୋନସାଲଭେସ୍ ଚେନ୍ନାୟିନ୍ ଟିମ୍‌ର ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ । ଏହାପରେ ହାର୍ଟଲି ଆହତ ହେବା ଫଳରେ ଚେନ୍ନାୟିନ୍ ରକ୍ଷଣ ବିଭାଗ ଦୁର୍ବଳ ହୋଇପଡ଼ିଥିଲା । ଏହାର ସୁଯୋଗ ନେଇ ଚାକିଚାନ୍ଦ ସିଂଙ୍କ କ୍ରସ୍ ପାସ୍‌କୁ ଭାଲସ୍କିସ୍ ହେଡର୍ ମାଧ୍ୟମରେ ଗୋଲପୋଷ୍ଟରେ ପ୍ରବେଶ କରାଇଥିଲେ । ମଙ୍ଗଳବାର ୨ ଥରର ଚାମ୍ପିଅନ୍ ଚେନ୍ନାୟିନ୍ ଜାମସେଦପୁର ବିପକ୍ଷରେ ତୃତୀୟ ବିଜୟ ହାସଲ କରିଛି ।

Spread the love