ଆଇଏସ୍‌ଏଲ୍‌-୭: ଆଜି ଓଏଫ୍‌ସି-ଜାମସେଦପୁର ଏଫ୍‌ସି ମ୍ୟାଚ

  • ସବୁ ବିଭାଗରେ ଉନ୍ନତି ଜରୁରୀ: ବ୍ୟାକ୍ସଟର

ଭୁବନେଶ୍ୱର : ଚଳିତ ଆଇଏସ୍‌ଏଲର ସପ୍ତମ ସଂସ୍କରଣରେ ରବିବାର ଭୁବନେଶ୍ୱରଭିତ୍ତିକ ଫ୍ରାଞ୍ଚାଇଜି ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ତା’ର ଦ୍ୱିତୀୟ ମ୍ୟାଚ୍ ଖେଳିବ । ରବିବାର ଦୁଇଟି ମୁକାବିଲା ଖେଳାଯିବାକୁ ଥିବା ବେଳେ ପ୍ରଥମ ମ୍ୟାଚ୍‌ରେ ଓଏଫସିର ମୁକାବିଲା ଜାମସେଦପୁର ଏଫ୍‌ସି ସହ ହେବ । ଏହି ମ୍ୟାଚ୍‌ରେ ଉଭୟ ଦଳ ପଏଣ୍ଟ୍ ଖାତା ଖୋଲିବା ସକାଶେ ଲକ୍ଷ୍ୟ ରଖିଛନ୍ତି । କାରଣ ଉଭୟ ଦଳ ସେମାନଙ୍କ ପ୍ରଥମ ମୁକାବିଲାରେ ପରାସ୍ତ ହୋଇଛନ୍ତି । ଓଏଫ୍‌ସି ହାଇଦ୍ରାବାଦଠାରୁ ୦-୧ରେ ହାରିଥିବା ବେଳେ ଜାମସେଦପୁର ଚେନ୍ନାୟିନ୍ ଏଫ୍‌ସିଠାରୁ ୧-୨ରେ ପରାସ୍ତ ହୋଇଛି । ତେବେ ସିଜନ୍‌ର ପ୍ରଥମ ବିଜୟ ହାସଲ କରିବାକୁ ହେଲେ ଓଏଫ୍‌ସିକୁ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି ମୁଖ୍ୟ କୋଚ୍ ୬୭ ବର୍ଷୀୟ ଷ୍ଟୁଆର୍ଟ ବ୍ୟାକ୍ସଟର୍ ସ୍ପଷ୍ଟ କରିଦେଇଛନ୍ତି । ଶନିବାର ପ୍ରାକ୍‌-ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀରେ ବ୍ୟାକ୍ସଷ୍ଟର୍ କହିଛନ୍ତି, ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହେବା ପରେ ଇତିମଧ୍ୟରେ ଖେଳାଳିଙ୍କ ସହ ୧୪ଟି ସେସନ୍‌ରେ ଆଲୋଚନା କରିସାରିଛି । ସିଜନ୍ ଆରମ୍ଭ ପୂର୍ବରୁ ଖେଳାଳିଙ୍କୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରିଥିଲେ ହେଁ କେତେକ କ୍ଷେତ୍ରରେ ସୁଧାରର ଆବଶ୍ୟକତା ପରିଲକ୍ଷିତ ହୋଇଛି । ତେଣୁ ଦ୍ୱିତୀୟ ମ୍ୟାଚ୍ ପାଇଁ ଖେଳାଳିମାନଙ୍କୁ ସ୍ୱତନ୍ତ୍ର ବାର୍ତ୍ତା ଦିଆଯାଇଛି । ଗତ ମ୍ୟାଚ୍‌ରେ ବିନୀତ୍ ରାଏ, କୋଲେ ଆଲେକଜାଣ୍ଡର୍‌, ଜାକବ୍ ଟ୍ରାଟ୍ ଓ ଜେରୀ ଏମ୍‌.ଙ୍କ ପରି ପ୍ରମୁଖ ଖେଳାଳିଙ୍କ ବିନା ଓହ୍ଲାଇବାକୁ ପଡ଼ିଥିଲା । ତେଣୁ ସନ୍ତୁଳନ ରକ୍ଷା କରିବା ସମ୍ଭବପର ହୋଇ ନ ଥିଲା । ସମ୍ମୁଖ ଭାଗ ଖେଳାଳିଙ୍କ ଅନୁପସ୍ଥିତି ଅନୁଭୂତ ହୋଇଥିଲା । ତା’ଛଡ଼ା ଦଳରେ ସଂଖ୍ୟାଧିକ ଯୁବ ଖେଳାଳି ପ୍ରତିପକ୍ଷ ଖେଳାଳିଙ୍କୁ ଟକ୍କର ଦେବା ସକାଶେ ସାହସ ମଧ୍ୟ ସଞ୍ଚୟ କରିପାରି ନ ଥିଲେ ବୋଲି ବ୍ୟାକ୍ସଟର୍ ସ୍ପଷ୍ଟୋକ୍ତି କରିଛନ୍ତି ।

ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ଖେଳାଳିମାନଙ୍କ ପୋଜିସନ୍ ବଦଳିବ । ଜେରୀ ଉପଲବ୍ଧ ନ ଥିବାରୁ ଆମକୁ ମାନୁଏଲ୍ ଓନଉଙ୍କୁ ୱିଙ୍ଗର୍ ଭାବେ ନୁହେଁ, ବରଂ ଡିଫେଣ୍ଡର୍ ଭାବେ ଖେଳାଇବାକୁ ପଡ଼ିବ । ଏହା ତାଙ୍କ ପସନ୍ଦର ପୋଜିସନ୍ ଓ ସେ ପୂର୍ବରୁ ମଧ୍ୟ ଏହି ଭୂମିକା ସଫଳତାର ସହ ତୁଲାଇପାରିଛନ୍ତି । ତେଣୁ ପ୍ରଥମ ମ୍ୟାଚ୍ ତୁଳନାରେ ଦ୍ୱିତୀୟ ମ୍ୟାଚ୍‌ରେ ମାନୁଏଲ୍ ସବୁଠାରୁ ବଡ଼ ସମାଧାନର ବାଟ । ସେ ଡିଏଗୋ ଓ ମାର୍ସେଲିନୋଙ୍କ ସହ ସମ୍ମୁଖ ଭାଗର ନେତୃତ୍ୱ ନେବେ ବୋଲି ବ୍ୟାକ୍ସଟର୍ କହିଛନ୍ତି । ଓଏଫ୍‌ସିରେ ଅଧିନାୟକ ଷ୍ଟିଭେନ୍ ଟେଲର୍‌ଙ୍କ ସହ ଟ୍ରାଟ୍‌ଙ୍କ ପରି ଦୃଢ଼ ରକ୍ଷଣପନ୍ଥୀ ଖେଳାଳି ରହିଛନ୍ତି । ତା\’ଛଡ଼ା ଶୁଭମ୍ ଷଡ଼ଙ୍ଗୀ, ହେଣ୍ଡ୍ରି ଆଣ୍ଟୋନୀ ଓ ଗୌରବ ବୋରାଙ୍କ ପରି ଯୁବ ଭାରତୀୟ ଖେଳାଳି ମଧ୍ୟ ଅଛନ୍ତି । ତେବେ ଗତ ମ୍ୟାଚ୍‌ରେ ଟ୍ରାଟ୍ ନ ଥିବାରୁ ଦଳର ଡିଫେନ୍ସ ବିଭାଗ ବେଶ୍ ଦୁର୍ବଳ ହୋଇଥିଲା । ଦ୍ୱିତୀୟ ମ୍ୟାଚ୍‌ରେ ବି ସେ ଉପଲବ୍ଧ ହେବେ କି ନାହିଁ, ସେଥିନେଇ ସନ୍ଦେହ ରହିଛି । ତେଣୁ ରବିବାର ମୁକାବିଲାରେ ଟିମ୍ ଏହି ଦୁର୍ବଳତାକୁ ଦୂର କରିପାରିଲେ, ଜାମସେଦପୁର ବିପକ୍ଷରେ ପଏଣ୍ଟ୍ ଅର୍ଜନ କରିବାରେ ସକ୍ଷମ ହେବ ବୋଲି ଆଶା କରାଯାଉଛି । ଏହାଛଡ଼ା ଖେଳାଳିମାନେ ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିବାର ବି ଆବଶ୍ୟକତା ରହିଛି ବୋଲି ପୂର୍ବତନ ଇଂଲିଶ୍ ଖେଳାଳି ବ୍ୟାକ୍ସଟର୍ କହିଛନ୍ତି ।

Spread the love