ଆଇଆଇଏଫ୍‌ଏଲ୍‌ ଲୁଟ ଘଟଣା : ଆଉ ୨ ଅଭିଯୁକ୍ତ ଗିରଫ

କଟକ : ନୟାସଡ଼କ ଆଇଆଇଏଫ୍‌ଏଲ୍‌ ଲୁଟ ଘଟଣାରେ ଗିରଫ ସଂଖ୍ୟା ବଢିବାରେ ଲାଗିଛି। ଏହାରି ମଧ୍ୟରେ ଲୁଟରେ ସମ୍ପୃକ୍ତ ଆଉ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏବେ ସୁଦ୍ଧା ଗିରଫ ସଂଖ୍ୟା ୧୦ରେ ପହଞ୍ଚି ଥିବାବେଳେ ଆଗକୁ ଆହୁରି ବଢିବା ନେଇ ଅନୁମାନ କରାଯାଉଛି । ମାତ୍ର ଏନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳି ନ ଥିବାବେଳେ ଗିରଫ ଦୁଇଜଣ ଏକ ସୁନା ଋଣ ପ୍ରଦାନ କରୁଥିବା ସଂସ୍ଥାର କର୍ମଚାରୀ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ରିମାଣ୍ତରେ ଆସିଥିବା ୫ ଅଭିଯୁକ୍ତଙ୍କୁ ନେଇ ପୋଲିସ ଶନିବାର ସାଲେପୁର ସ୍ଥିତ କେନ୍ଦ୍ରାପଡ଼ା କେନାଲରେ ଫିଙ୍ଗାଯାଇଥିବା ମୋବାଇଲ୍‌ ଖୋଜାଖୋଜି କରିଛି। ଅଭିଯୁକ୍ତମାନେ ସୁନା ନେଇ ଫେରାର‌୍‌ ହେଉଥିବାବେଳେ ଆଇଆଇଏଫ୍‌ଏଲ୍‌ କର୍ମଚାରୀଙ୍କ ମୋବାଇଲ ଛଡ଼ାଇ ନେଇଥିଲେ। ମୋବାଇଲ୍‌ଗୁଡ଼ିକୁ କେନ୍ଦ୍ରାପଡ଼ା କେନାଲରେ ଫିଙ୍ଗିଦେଇଥିବା ସେମାନେ ପୋଲିସ‌କୁ କହିଛନ୍ତି। ତେଣୁ ମୋବାଇଲ୍‌ ଗୁଡ଼ିକର ସନ୍ଧାନ ପାଇବା ପାଇଁ ଅଭିଯୁକ୍ତଙ୍କୁ କେନାଲ ପାଖକୁ ନିଆଯାଇ ଖୋଜାଖୋଜି କରାଯାଇଥିଲା। କିନ୍ତୁ ପୋଲିସକୁ ସେଠାରୁ କୌଣସି ଫୋନ୍‌ ମିଳିନଥିବା ଜଣାପଡ଼ିଛି।

Spread the love